ବୌଦ୍ଧ,୨୪/୬ : ଓଡ଼ିଶା ବିଧାନସଭା ଗୃହ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଭାରତୀୟ କିଷାନ ସଙ୍ଘ ପକ୍ଷରୁ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାଲୁଙ୍କି ନଦୀର ଗୁରୁଜୀମୁଣ୍ଡା ନିକଟସ୍ଥ ଗମ୍ଭୀର ଦର୍ହ ଠାରେ ଏକ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ଦାବି କରାଯାଇଛି। ଏହି ଜଳଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କ ଏକ ବୈଷୟିକ ପ୍ରତିନିଧି ଦଳ ଅତୀତରେ ଏହି ସ୍ଥଳକୁ ପରିଦର୍ଶନ କରି ଏହାର ସର୍ଭେ କାମ ଆରମ୍ଭ କରିବା ପାଇଁ ମତ ଦେଇଥିଲେ।
ଏହି ଜଳଭଣ୍ଡାର ନିର୍ମାଣ ହେଲେ ଜିଲ୍ଲାର ପୁରୁଣାକଟକ ଠାରୁ ବାଉଁଶୁଣୀ ପର୍ଯ୍ୟନ୍ତ ଦୁଇ ପ୍ରକାରର ଫସଲ କରିହେବ ଓ ଚାଷୀର ଆର୍ଥିକ ମାନଦଣ୍ଡର ଉନ୍ନତି ହେବା ସଙ୍ଗେସଙ୍ଗେ ଜଳ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିହେବ। ଏହି ଦାଦନ ପ୍ରବଣ ଜିଲ୍ଲାର ସମସ୍ୟା ମଧ୍ୟ ସମାଧାନ ହୋଇପାରିବ ବୋଲି କିଷାନ ସଙ୍ଘ ପକ୍ଷରୁ କମିଟିକୁ ଅବଗତ କରାଯାଇଛି। ଏନେଇ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ କମିଟି ସମ୍ମୁଖରେ ଉଠାଇ ସାରିଛନ୍ତି ଏବଂ କମିଟି ଏହି ପ୍ରକଳ୍ପ ପାଇଁ ଗମ୍ଭୀରତାର ସହ ବିଚାର କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ହାଉସ କମିଟିର ଅଧ୍ୟକ୍ଷ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ କିଷାନ ସଂଘର ସଭାପତି ଭୋଲାଗିରୀ ସାହୁ, ଚାଷୀ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ, ମାଗୁଣି ଗାଇଗୌରିଆ, ବାମନ ବାରିକ, ନବୀନ ଗାଇଗୌରିଆ ପ୍ରମୁଖ ସାମିଲ ଥିଲେ।