ଭୁବନେଶ୍ବର,୨୮।୯ ; ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର ଲୋକ | ସିବିଆଇ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ନେତୃତ୍ବରେ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ଝିଅ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି |
ମମିତା ମେହେରଙ୍କୁ ଯିଏ ହତ୍ୟା କରିଛି ସିଏ ମୋ ବାପାଙ୍କୁ ହତ୍ୟା କରିଛି ବୋଲି ଗୋବିନ୍ଦଙ୍କ ଝିଅ କହିଛନ୍ତି | ବାପାଙ୍କ ହତ୍ୟା କାଣ୍ଡରେ ଷଡଯନ୍ତ୍ର ହୋଇଛି | ମୁଁ ଓ ଆମ ପରିବାର ଏ ନେଇ ଭୟଭୀତ ଅବସ୍ଥାରେ ରହିଛୁ | ଆମ ସମ୍ପତ୍ତି ସବୁ କବଜା କରିଛନ୍ତି | ମୋ ସହ ଓ ମୋ ପରିବାର ସହ କିଛି ବି ହୋଇପାରେ ବୋଲି ଗୋବିନ୍ଦଙ୍କ ଝିଅ କହିଛନ୍ତି | ଏଥିସହ ସେମାନଙ୍କୁ ଦିଆଯାଉଥିବା ଧମକରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି | କେଶ ରିଓପନ ହେବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କରାଯାଇଥିଲା। ଏହି ଘଟଣାରେ କଳାହାଣ୍ଡି ଜିଲା ମହାଲିଙ୍ଗ ସ୍ଥିତ ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ପରିଚାଳନା ପରିଷଦ ସଭାପତି ଗୋବିନ୍ଦ ସାହୁ ଗିରଫ ହୋଇ ଜେଲରେ ଥିଲେ। ପରବର୍ତ୍ତି ସମୟରେ ଗୋବିନ୍ଦ ଜେଲ ପରିସରରେ ଆତ୍ମହତ୍ୟା କରିଥିଲେ।