ତିଗିରିଆ ବ୍ଳକରେ ଡେଙ୍ଗୁ ଆତଙ୍କ, ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା

ତିଗିରିଆ,୨୭/୧୧: ତିଗିରିଆ ବ୍ଳକରେ ଡେଙ୍ଗୁ ଆତଙ୍କ। ମୋଟ ୧୪ଟି ପଞ୍ଚାୟତରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ବର୍ଷାଦିନ ଗଲା ପରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ଲକର ମହାନଦୀ କୂଳବର୍ତ୍ତି ପଞ୍ଚାୟତଗୁଡ଼ିକରେ ବନ୍ୟା ପରଠାରୁ ମଧ୍ୟ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଭଲ ହୋଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ବ୍ଳକର ୫ ଗାଁ ସୋମପଡ଼ା, ସୁଦର୍ଶନପୁର ଆଦି ଗ୍ରାମରେ ମଧ୍ୟ ଡେଙ୍ଗୁରୋଗୀ ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଛନ୍ତି । ଗତ ମାସକ ପୂର୍ବେ ବ୍ଲକର ନଦୀକୂଳବର୍ତ୍ତୀ ଗଦାଧରପୁର, ହାଟମାଳ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଡେଙ୍ଗୁରୋଗୀ ବହୁ ସଂଖ୍ୟାରେ ଚିହ୍ନଟ ହୋଇଥିଲେ। ବର୍ଷା ଦିନ କିମ୍ବା ବନ୍ୟା ଛାଡିଯିବା ପରେ ନଦୀ କୂଳ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ରହିଥିବା ଆବର୍ଜନା ସଫେଇ ଯେଉଁ ଭଳି କରାଯିବା କଥା ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ପଞ୍ଚାୟତ ଗୁଡିକରେ ଥିବା ବିଭିନ୍ନ ଗାଁ କଲ୍ୟାଣ ସମିତି କିମ୍ବା ପଞ୍ଚାୟତ ପକ୍ଷରୁ ଗାଁ ଗହଳିରେ ଥିବା ନାଳନର୍ଦମା ସଫେଇ କରାଯାଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଅପରପକ୍ଷେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳଗୁଡିକରେ ସେଭଳି କୌଣସି ଆଖିଦୃଶିଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଚାଲିଛି । ପରିମଳ ସଫେଇ କିମ୍ବା ଲୋକଙ୍କୁ ବ୍ୟାପକ ସଚେତନ କରାଯାଉନଥିବା ଜଣାପଡ଼ିଛି । ବର୍ଷ ବର୍ଷ ଧରି ଖାଲି କାଗଜ କଲମରେ ସରକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯାଇ ଏବାବଦରେ ଆସୁଥିବା ଅନୁଦାନକୁ ମିଳିମିଶି ଚଳୁ କରୁଥିବାରୁ ଲୋକଙ୍କ ଉପରେ ଏହାର ବିପରୀତ ପ୍ରତିକ୍ରିୟା ପଡ଼ିବାକୁ ଆରମ୍ଭ କରିଛି । ଜିଲ୍ଲା ପ୍ରଶାସନ ତଥା, ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।