ମାଲକାନଗିରି ଜିଲ୍ଲାରେ ଉନ୍ନତମାନର ମତ୍ସ୍ୟଚାଷ ଓ ପ୍ରାଣୀ ସମ୍ପଦ ବିକାଶ କାର୍ଯ୍ୟକ୍ରମ ନେଇ ବିଭାଗୀୟ ସଚିବଙ୍କ ସମୀକ୍ଷା…

ମାଲକାନଗିରି,୩୦।୧୧ (ଆପ୍ର): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉନ୍ନତମାନର ମତ୍ସ୍ୟଚାଷ ଓ କୃଷି ପ୍ରାଣୀ ପାଳନକୁ ନେଇ ସମୀକ୍ଷା କରିଛନ୍ତି ବିଭାଗୀୟ ସଚିବ। ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ ମାଲକାନଗିରି ଜିଲ୍ଲା ଗସ୍ତକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ପ୍ରାଣୀପାଳନ, ଚାଷୀ ମାନଙ୍କର ଆୟ ବୃଦ୍ଧି ଓ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ସହାୟକ ହୋଇଥିବାରୁ ରାଜ୍ୟ ସରକାର ବିଭିନ୍ନ ରିହାତି ପ୍ରଦାନ ମାଧ୍ୟମରେ ପ୍ରାଣୀ ପାଳନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି କହିଛନ୍ତି ।
ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ବୈଠକରେ ସଚିବ ଶ୍ରୀ ବଶିଷ୍ଠ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶର ବିଭିନ୍ନ ଯୋଜନାର ସମୀକ୍ଷା କରି କହିଥିଲେ ଯେ, ରାଜ୍ୟରେ ଉନ୍ନତ ପ୍ରଜାତିର ପ୍ରାଣୀ ପାଳନ ନିମନ୍ତେ ଆକର୍ଷଣୀୟ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଚାଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଯେପରି ଠିକ୍ ସମୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ସେଥି ନିମନ୍ତେ ସେ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଜିଲ୍ଲା ପାଇଁ ଥିବା ଧାର୍ଯ୍ୟ ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ପୂରଣ କରିବା ପାଇଁ ମଧ୍ୟ କ୍ଷେତ୍ର ଅଧିକାରୀମାନଙ୍କୁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଭାବେ ଡିଏଲ୍ସି ବୈଠକ ଆୟୋଜନ କରିବାକୁ ଶ୍ରୀ ବଶିଷ୍ଠ କହିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ସମେତ ଏହି ବିଭାଗର କ୍ଷେତ୍ର ଅଧିକାରୀ ଓ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।