କଟକ, ୮।୬: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା ସାରି ଫେରୁଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ଜିଲ୍ଲାପାଳଙ୍କ ଅଫିସରେ ସମୀକ୍ଷା ବୈଠକ ସାରି ଫେରୁଥିବା ବେଳେ ପାହାଚରେ ବାମ ପାଦ ମୋଡି ମକଚି ହୋଇଯାଇଥିଲା। ଫଳରେ ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିଲା। ଆଘାତ ଲାଗିଥିଲେ ମଧ୍ୟ ଏଠାରୁ ସେ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ନେଇ ବାଲିଯାତ୍ରା ପଡ଼ିଆ ଯାଇ କେତେକ କାର୍ଯ୍ୟର ସମୀକ୍ଷା କରୁଥିଲେ।
ତେବେ ପାଦରେ ଯନ୍ତ୍ରଣା ବଢ଼ିବାରୁ ବାଲିଯାତ୍ରା ପଡିଆରୁ ସିଧାସଳଖ ଏସସିବି ଟ୍ରମା କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ଯାଇଥିଲେ। ମେଡିକାଲ ଅଧୀକ୍ଷକ ପ୍ରଫେସର. ଡାକ୍ତର ଗୌତମ ଶତପଥିଙ୍କ ଉପମୁଖ୍ୟ ମନ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହିତ ଗୋଡ଼ରେ ଏକ୍ସରେ କରାଯାଇଥିଲା। ଏକ୍ସରେ ପାଦରେ ଜଖମ ଲାଗିବା ସହ ହେୟାର ଲାଇନ୍ ଫ୍ରାକଚର ହୋଇଥିବା ଜଣାପଡିଥିଲା। ତେବେ ଏସସିବିରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ବର ଫେରି ଯାଇଥିବା ଜଣାପଡିଛି।