ଭୁବନେଶ୍ୱର,୦୪/୦୬: ବହୁଚର୍ଚ୍ଚିତ  କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା  ମାମଲାରେ ଜାତୀୟ ମାନବିକ ଅଧିକାର  ଆୟୋଗ(ଏନ୍‌ଏଚ୍‌ଆର୍‌ସି)ଙ୍କ ତଦନ୍ତକାରୀ ଟିମ୍‌ ତୃତୀୟ ଦିନରେ ୬ ଜଣଙ୍କୁ ଜେରା କରିଛନ୍ତି । ଏନ୍‌ଏଚ୍‌ଆର୍‌ସିର ୨ ତଦନ୍ତକାରୀ ଅଧିକାରୀଙ୍କ  ଆଗରେ ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ,  ୨ ପୀଡିତା ଯୁବତୀ ଏବଂ ମିନି ଟ୍ରକ ଚାଳକ ଜେରା ବେଳେ ସତ ଉଗାରିଛନ୍ତି ।  

ଅପରାଧସ୍ଥଳରୁ ହସ୍ପିଟାଲ ନେବା ଭିତରେ ସୌମ୍ୟଙ୍କ ଅସ୍ୱାଭାବିକ ମୃତ୍ୟୁର ଅସଲ ରହସ୍ୟ ଖୋଲିଛନ୍ତି ମିନି ଟ୍ରକ ଚାଳକ । ଏନ୍‌ଏଚ୍‌ଆର୍‌ସି  ଟିମ୍‌ ସାମ୍ନାରେ ସେ କହିଛନ୍ତି, ହଂସପାଳ ନିମାପଡ଼ା ରାସ୍ତାରେ ଖାଲି ଟ୍ରକ ନେଇ କାକଟପୁରରୁ ବାହାରିଥିଲେ । ମଞ୍ଚେଶ୍ୱରରୁ ଟ୍ରକ ଡାଲାରେ ଚୋକଡ଼ ଲଦା ଯିବା ପରେ ପୁଣି କାକଟପୁର ଫେରଥାନ୍ତେ । ହେଲେ, ବାଲିଅନ୍ତା ନିକଟରେ ଗହଳି ଦେଖି ସେ ସ୍ପିଡ୍‌ କମ କରିଥିଲେ । ହଠାତ୍‌ ଜଣେ ପୁଲିସ ତାଙ୍କ ଆଡ଼କୁ ମାଡି଼ ଆସିଥିଲା । ଜଣେ ଯୁବକଙ୍କୁ ଟ୍ରକରେ ଲଦି ହସ୍ପିଟାଲ ନେବାକୁ କହିଥିଲା ।  ଡ୍ରାଇଭର ଜଣକ ବ୍ୟସ୍ତ ଥିଲେ ହେଁ, ଖାକି ବର୍ଦ୍ଦି  ସାମ୍ନାରେ ନିରୁପାୟ ହୋଇଗଲେ ।  ପରେ କିଛି ଲୋକ ସୌମ୍ୟଙ୍କୁ ଏକ  ବାଡି଼ରେ ଲଟକାଇ ଟ୍ରକ ଡାଲାରେ ଚଢ଼ାଇଲେ ।  

ଜଣେ ବି ପୁଲିସ କର୍ମଚାରୀ ଟ୍ରକ ଡାଲାକୁ ଚଢ଼ିଲେନି । ଜଣେ ସାଦା ପୋଷାକଧାରୀ  ପୁଲିସ ବାବୁ ତାଙ୍କ ସହ ଟ୍ରକର ଆଗ ସିଟ୍‌ରେ  ବସିଲେ । ଟ୍ରକ ଆଗରେ ଓ ପଛରେ ୨ ପୁଲିସ ଭ୍ୟାନ୍‌ ଗଲା । ଟ୍ରକ ଡାଲାରେ ସୌମ୍ୟଙ୍କ ସହ ୬ରୁ ୭ଜଣ ଯୁବକ ଉପସ୍ଥିତ ଥିଲେ ।  ସେମାନେ ସୌମ୍ୟଙ୍କୁ ରାସ୍ତାସାରା ନିର୍ଘାତ ମାଡ଼  ମାରୁଥିଲେ ବୋଲି ଡ୍ରାଇଭର ଜଣକ କହୁଛନ୍ତି ।  ହୁଏତ୍‌, ସେମାନେ ସୌମ୍ୟଙ୍କ ମୁଣ୍ଡକୁ ଟ୍ରକ  ଡାଲାରେ ଛେଚି ଥାଇପାରନ୍ତି ବୋଲି ସେ  ଅନୁମାନ କରୁଛନ୍ତି ।  

​​​​​​​

ଘଟଣାଦିନ ବାଲିଅନ୍ତାର ଅପରାଧସ୍ଥଳରେ ପ୍ରକୃତରେ କ’ଣ ଘଟିଥିଲା? ଘଟଣାଦିନ  କିଭଳି ଝଗଡ଼ାର ସୂତ୍ରପାତ ହୋଇଥିଲା?  ପ୍ରକୃତରେ ଭୁଲ କାହାର ଥିଲା? ଏନେଇ  ତଦନ୍ତକାରୀ ୨ ଅଫିସର ସୌମ୍ୟଙ୍କ ଉପରେ  ଅସଦାଚରଣର ଅଭିଯୋଗ ଲଦିଥିବା ୨  ପୀଡ଼ିତା ଏବଂ ଓମ୍‌ପ୍ରକାଶଙ୍କୁ ଟିକ୍‌ନିକ୍‌  ପଚରାଉଚରା କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ  ଠିକ୍‌ ନା ସୌମ୍ୟଙ୍କୁ ଫିଟ୍‌ସ ମାରିବା ଯୋଗୁ  ସେ ଓମ୍‌ ପ୍ରକାଶଙ୍କ ତଣ୍ଟି ଚିପି ଦେବାରୁ ଏହି  ଦୁର୍ଘଟଣା ଘଟିଥିଲା । ଏନେଇ ଦୁଇ ପକ୍ଷ(୨  ପୀଡ଼ିତା ଏବଂ ଓମ୍‌ପ୍ରକାଶ)ଙ୍କୁ ସାମ୍ନାସାମ୍ନି  ବସାଇ ଏନ୍‌ଏଚ୍‌ଆର୍‌ସି ଟିମ୍‌ ଜେରା କରିଥିଲା ।  ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତର  ଲକ୍ଷ୍ମୀଧର ବେହେରା ମଧ୍ୟ ଟିମ୍‌ ସାମ୍ନାରେ  ସୌମ୍ୟଙ୍କ ମୃତ୍ୟୁର କାରଣ ବଖାଣିଥିଲେ ।

ପୂର୍ବରୁ ଏନ୍‌ଏଚ୍‌ଆରସି ଟିମ୍‌  ବାଲିଅନ୍ତାରେ ସରଜମିନ୍‌ ତଦନ୍ତ  କରିସାରିଛନ୍ତି । ମାମଲାରେ ଛନ୍ଦି ହୋଇଥିବା  ବରିଷ୍ଠ ଆଇପିଏସ୍‌ଙ୍କ କ୍ୱାର୍ଟର୍ସରେ ପୂର୍ବରୁ  ଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଟିମ୍‌  ପଚରାଉଚରା କରି ସାରିଛନ୍ତି । ସମ୍ପୃକ୍ତ  ବରିଷ୍ଠ ଆଇପିଏସ୍‌ଙ୍କୁ ଆସନ୍ତାକାଲି ଅତିଥି  ଭବନରେ ଜେରା କରାଯିବ । ସତରେ  ସେ ସୌମ୍ୟଙ୍କୁ ନିର୍ଯାତନା ଦେଉଥିଲେ ନା  ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ।  ସେନେଇ ସେ ପକ୍ଷ ରଖିବେ । ସେହିପରି  ଆସନ୍ତାକାଲି ଅପରାହ୍ଣରେ ପୁଲିସ କମିଶନର  ଡ. ଦେବଦତ୍ତ ସିଂ ଓ ଡିସିପି ଜଗମୋହନ  ମୀନା ମଧ୍ୟ ହାଜର ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ :- Balianta Murder Case: ଅଭିଯୋଗକାରୀ ଯୁବତୀକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କଲା NHRC ଟିମ୍ !