୨୦ ଲକ୍ଷ ମୁଣ୍ଡ ନେଲାଣି ଜଳବାୟୁ ବିପର୍ଯ୍ୟୟ, ବିକାଶଶୀଳ ଦେଶଗୁଡ଼ିକରେ ୯୦% ମୃତ୍ୟୁ: ଡବ୍ଲ୍ୟୁଏମ୍ଓ ରିପୋର୍ଟ

ନୂଆଦିଲ୍ଲୀ,୨୩/୦୫: ଜଳବାୟୁ ବିପର୍ଯ୍ୟୟ ୧୯୭୦ ପରଠୁ ନେଇଗଲାଣି ୨୦ ଲକ୍ଷ ମୁଣ୍ଡ । ଅସ୍ୱାଭାବିକ, ସାଙ୍ଘାତିକ ତଥା ଅଦିନିଆ ପ୍ରାକୃତିକ ବିପର୍ଯ୍ୟୟ ବେଳକୁ ବେଳ ଘାତକ ପାଲଟୁଛି । ଏହା କବଳକୁ ଆସି ଜୀବନ ହରାଉଛନ୍ତି ଲକ୍ଷ ଲକ୍ଷ ଲୋକ । ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।
ଡବ୍ଲ୍ୟୁଏମ୍ଓ ରିପୋର୍ଟ ଦର୍ଶାଇଛି ଯେ ୧୯୭୦ ପରଠାରୁ ଅର୍ଥାତ୍ ଗଲା ପ୍ରାୟ ୫୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ବିକାଶଶୀଳ ଦେଶଗୁଡ଼ିକ ପାଇଁ ଅଧିକ କାଳ ସାଜିଛି । ଆଲୋଚ୍ୟ ବର୍ଷଗୁଡ଼ିକ ମଧ୍ୟରେ ହୋଇଥିବା ମୋଟ ୨୦ ଲକ୍ଷ ମୃତ୍ୟୁରେ ଏହି ଦେଶଗୁଡ଼ିକର ଅଂଶ ୯୦%ରୁ ଅଧିକ ରହିଛି ।
ଜଳବାୟୁ ବିପର୍ଯ୍ୟୟ ଭୟଙ୍କର ଆର୍ଥିକ ଦୁର୍ଗତି ବି ଆଣିଛି । ବନ୍ୟା, ବାତ୍ୟା ଏବଂ ଜଙ୍ଗଲ ନିଆଁ ଆଦି କାରଣରୁ ଗତ ୫୦ ବର୍ଷ ମଧ୍ୟରେ ମୋଟ ୪.୩ ଲକ୍ଷ କୋଟି ଡଲାର କ୍ଷୟକ୍ଷତି ହୋଇଛି । ଏହି ସମୟ ମଧ୍ୟରେ (୧୯୭୦ରୁ ୨୦୨୧) ପ୍ରାୟ ୧୧,୭୭୮ ବିପର୍ଯ୍ୟୟର ସାମ୍ନା କରିଛନ୍ତି ବିଶ୍ୱବାସୀ । ଆମେରିକା ଅର୍ଥନୀତିକୁ ସର୍ବାଧିକ ୧.୭ ଲକ୍ଷ କୋଟି ଡଲାର କ୍ଷତି ହୋଇଛି, ଯାହା କି ମୋଟ କ୍ଷତିର ୩୯% ।
ରିପୋର୍ଟ ଦର୍ଶାଇଛି ଯେ ୧୯୯୦ ପର୍ଯ୍ୟନ୍ତ ଜଳବାୟୁ ବିପର୍ଯ୍ୟୟ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା । କିନ୍ତୁ ଆଗୁଆ ସତର୍କତା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବାରୁ ୧୯୯୦ ପରଠାରୁ ତତ୍ଜନିତ ମୃତ୍ୟୁ ସଂଖ୍ୟା ଖସିବାକୁ ଲାଗିଛି । ଉନ୍ନତ ବିପର୍ଯ୍ୟୟ ପରିଚାଳନା ମଧ୍ୟ ଏ ଦିଗରେ ବିଶେଷ ସହାୟକ ହୋଇଛି ।
୨୦୨୦ ଓ ୨୦୨୧ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୋଟ ୨୨,୬୦୮ ମୁଣ୍ଡ ନେଇଥିଲା, ଯାହା କି ଏହାର ପୂର୍ବ ବର୍ଷଗୁଡ଼ିକ ତୁଳନାରେ କମ୍ । ତେବେ ମୃତ୍ୟୁ ସଂଖ୍ୟା କମିଥିବା ବେଳେ ଅର୍ଥନୈତିକ କ୍ଷତି ରେକର୍ଡ ମାତ୍ରାରେ ବଢ଼ିଚାଲିଛି । ଡବ୍ଲ୍ୟୁଏମ୍ଓ ମହାସଚିବ ପ୍ରଫେସର ପିଟ୍ଟେରି ତାଲାସ୍ କହିଛନ୍ତି, ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଅନୁନ୍ନତ ଦେଶଗୁଡ଼ିକ ସର୍ବାଧିକ ଜଳବାୟୁ ବିପର୍ଯ୍ୟୟର ସାମ୍ନା କରୁଛନ୍ତି । ସଦ୍ୟ ସାମୁଦ୍ରିକ ଝଡ଼ ‘ମୋକା’ ଏହାର ଏକ ଉଦାହରଣ, ଯାହା କି ମ୍ୟାଁମାର ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।
ବିଶ୍ୱରେ ଗତ ୫୦ ବର୍ଷରେ ହୋଇଥିବା ମୋଟ ମୃତ୍ୟୁରେ ଏସିଆର ଅଂଶ ୪୭% ବା ପାଖାପାଖି ୧୦ ଲକ୍ଷ ହେବ । ବିଶେଷକରି ବାତ୍ୟା ହିଁ ଏସୀୟ ରାଷ୍ଟ୍ରଗୁଡ଼ିକ ଲାଗି ଅଧିକ ସମସ୍ୟା ଡାକି ଆଣୁଛି । ଆଲୋଚ୍ୟ ବର୍ଷଗୁଡ଼ିକରେ ବାଂଲାଦେଶରେ ମୋଟ ୨୮୧ ବିପର୍ଯ୍ୟୟ ଆସିଥିଲା ଏବଂ ସର୍ବାଧିକ ୫,୨୦,୭୫୮ ଲୋକ ପ୍ରାଣ ହରାଇଥିଲେ । ୟୁରୋପରେ ୧,୭୮୪ ବିପର୍ଯ୍ୟୟ ଯୋଗୁ ୧,୬୬,୪୯୨ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା କି ମୋଟ ମୃତ୍ୟୁର ୮% ।
ଅତ୍ୟଧିକ ତାପମାତ୍ରା ମୃତ୍ୟୁ ସଂଖ୍ୟା ବୃଦ୍ଧିର କାରଣ ସାଜୁଥିବା ବେଳେ ବନ୍ୟା ଯୋଗୁ ଆର୍ଥିକ କ୍ଷୟକ୍ଷତି ଘଟୁଥିବା ରିପୋର୍ଟ ଦର୍ଶାଇଛି । ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଏମ୍ଓ ଆଗୁଆ ସତର୍କତା ବ୍ୟବସ୍ଥାକୁ ପ୍ରତ୍ୟେକ ଦେଶ ପାଇଁ ସୁନିଶ୍ଚିତ କରିବା ଲାଗି ଲକ୍ଷ୍ୟ ରଖିଛି । ୨୦୨୭ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଆଶା ରଖିଛି ସଂଗଠନ ।