ଭର୍ଚୁଆଲ ପ୍ଲାଟଫର୍ମରେ ଖେଳାଳିମାନଙ୍କୁ ଉପାଦେୟ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

• ଖେଳରେ ପରାଜୟ ନ ଥାଏ, କେବଳ ଶିଖିବାର ଅବସର ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଲେ

• ସମ୍ବଲପୁରକୁ କ୍ରୀଡ଼ାର 'ହବ୍' ଭାବେ ଗଢ଼ିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେବ

• ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ଖେଳର ଆୟୋଜନ କରିବା ପାଇଁ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ ହେଉ

• ସ୍ପୋର୍ଟସ କଲେଜରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଅତ୍ୟାଧୁନିକ ଷ୍ଟାଡିୟମ ହେବ

• ୨୦୩୦କମନୱେଲଥ ଓ ଆଗାମୀ ଅଲିମ୍ପିକ ପାଇଁ ସମ୍ବଲପୁରରୁ ବାହାରିବେ ମେଡାଲ ବିଜେତା

• ମହାନଦୀରେ 'ବୋଟ ଫେଷ୍ଟିଭାଲ' ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବାକୁ ଦେଲେ ପ୍ରସ୍ତାବ

ସମ୍ବଲପୁର,୨୫/୧୨ : କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଖେଳରେ ଯୁବପ୍ରତିଭାଙ୍କ ଭାଗିଦାରୀକୁ ଅଧିକ ବଢାଇବା ଆମ ସରକାରଙ୍କ ଲକ୍ଷ୍ୟ ରହିଛି । ଏ ଦିଗରେ ସାଂସଦ ଖେଳ ମହୋତ୍ସବ ଏହି ଯୋଜନାକୁ ସାକାର କରିବା ଦିଗରେ ବିଶେଷ ଭାବରେ ସହାୟକ ହୋଇଛି ବୋଲି ଆଜି ସମ୍ବଲପୁରରେ ଆୟୋଜିତ 'ସାଂସଦ ଖେଳ ମହୋତ୍ସବ'ର ରାଷ୍ଟ୍ରୀୟ ସମାପନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଉପସ୍ଥିତ ଖେଳାଳି ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦେଶର ଯୁବ ଖେଳାଳିମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନୋବଳ ବଢାଇଛନ୍ତି । ଖେଳରେ ହାର୍-ଜିତ୍ ନ ଥାଏ । ଖେଳରେ ଜଣେ ଜିତେ, ନଚେତ୍ ଶିଖେ । ପରାଜୟ ଆମକୁ ଆଗକୁ ବଢ଼ିବାର ବାଟ ଦେଖାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଯୁବ ଖେଳାଳିମାନଙ୍କ ମଧ୍ୟରେ ଏକ ନୂତନ ଉନ୍ମାଦନା ଭରିଦେଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲା ଏକ 'ସ୍ପୋର୍ଟମ୍ୟାନ ସ୍ପିରିଟ୍'ର ଜିଲ୍ଲା । ଏହି ମାଟି ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି କରିସାରିଛି । ବର୍ତ୍ତମାନ ସମୟ ଆସିଛି ଆମେ ୱାର୍ଡ଼ ଓ ପଞ୍ଚାୟତସ୍ତରରୁ ନୂତନ ପ୍ରତିଭାମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ବିଶ୍ୱସ୍ତରୀୟ ତାଲିମ୍ ପ୍ରଦାନ କରିବା । କେନ୍ଦ୍ରମନ୍ତ୍ରୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଥଲେଟିକ ଆସୋସିଏସନ ଏବଂ କ୍ରୀଡ଼ା ଅଧିକାରୀମାନଙ୍କୁ ଏକ 'ମାଷ୍ଟରପ୍ଲାନ' ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ ଖେଳର ଆୟୋଜନ କରିବା ପାଇଁ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ ହେଉ । ଗ୍ରାମାଞ୍ଚଳରେ ଥିବା ଖେଳପଡ଼ିଆ ଗୁଡ଼ିକର ସୁଦୃଢ଼ୀକରଣ ହେବା ଦରକାର । ଫୁଟବଲ, କବାଡ଼ି, ଖୋ-ଖୋ, ଆଥଲେଟିକ୍ସ ଏବଂ ସନ୍ତରଣ ଭଳି ଖେଳକୁ ପ୍ରୋତ୍ସାହନ ଦେବାକୁ ହେବ । ସମ୍ବଲପୁରରେ ଥିବା ସ୍ପୋର୍ଟସ କଲେଜରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଅତ୍ୟାଧୁନିକ ଷ୍ଟାଡିୟମ ପାଇଁ ଉଦ୍ୟମ ହେବ । ମହାନଦୀରେ 'ବୋଟ ଫେଷ୍ଟିଭାଲ' ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୩୦ମସିହାରେ ଭାରତରେ କମନୱେଲଥ ଗେମ୍ସ ଆୟୋଜିତ ହେବାକୁ ଥିବାବେଳେ ୨୦୩୬ଅଲିମ୍ପିକ ପାଇଁ ଭାରତ ନିଜର ଦାବି ଜଣାଇବାକୁ ପ୍ରସ୍ତୁତ ହେଉଛି । ସମ୍ବଲପୁରରୁ ଏଭଳି ଏକ ବାତାବରଣ ତିଆରି କରାଯିବ, ଯେଉଁଠାରୁ ବାହାରିଥିବା ପିଲାମାନେ ଦେଶ ପାଇଁ ମେଡାଲ ଆଣିବେ ।