ଶିଳାନ୍ୟାସରେ ସୀମିତ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ପଞ୍ଚସଖା ଓଡ଼ିଆ ନବଜାଗରଣ ଯେଉଁ ସ୍ୱପ୍ନ ଦେଖୁଥିଲେ, ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ତାହାକୁ ଆହୁରି ଆଗକୁ ନେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡ଼ିଆ ଜାତିର ଚେତନାରେ ଏହା ବିକାଶ ଆଣିବ । ଏଭଳି କିଛି ମହତ ଉଦ୍ଦେଶ୍ୟ ରଖି ପଞ୍ଚସଖାଙ୍କ କର୍ମପୀଠ ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅକ୍ଟୋବର ୯ ତାରିଖ ଗୋପବନ୍ଧୁଙ୍କ ଜୟନ୍ତୀରେ ଶିଳାନ୍ୟାସ ହୋଇଥିଲା । ଏହା ଭିତରେ ୮ ମାସରୁ ଊଦ୍ଧ୍ୱର୍ ବିତିଯାଇଥିଲେ ବି ଭିତ୍ତିପ୍ରସ୍ତର ସ୍ଥାନରେ କେବଳ ଫଳକ ଝୁଲୁଛି । ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ନେଇ କୌଣସି କାର୍ଯ୍ୟ ଆଗେଇ ପାରିନି । ଏପଟେ ଫାଇଲ୍କୁ ଅନୁମୋଦନ ମିଳୁନଥିବାରୁ ଭାଷା କମିଶନ ଗଠନ ହୋଇପାରୁନି । ଠିକ୍ ସେହିପରି ଭାଷା ନିୟମାବଳୀ ବି ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇପାରୁନି ।
ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଯେତେବେଳେ କାର୍ଯ୍ୟକ୍ରମ ଆରମ୍ଭ ହେଲା ସରକାର ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଲେ । ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଗୁରୁତ୍ୱ ଦେଇ ଉଭୟ ଐତିହ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ । ପଞ୍ଚସଖାଙ୍କ ଆଦର୍ଶର ପ୍ରଚାର ପ୍ରସାର ସହିତ ଓଡ଼ିଆ ଭାଷାରେ ଉଚ୍ଚତର ଶିକ୍ଷା ଓ ଅଧିକ ଗବେଷଣା ଦିଗରେ ଏହା ସହାୟକ ହେବ ବୋଲି ଘୋଷଣା କରିଥିଲେ । ସେଥିପାଇଁ ବଜେଟ୍ରେ ୧୦କୋଟି ଟଙ୍କା ପ୍ରଦାନ ସାଙ୍ଗକୁ ସ୍ୱତନ୍ତ୍ର ଅଧିକାରୀ ଓଏସ୍ଡି (ଅଫିସର୍ସ ଇନ୍ ସ୍ପେଶାଲ୍ ଡ୍ୟୁଟି)କୁ ନିଯୁକ୍ତି କରାଗଲା । ପ୍ରାଥମିକ କାର୍ଯ୍ୟକ୍ରମ ପରିଚାଳନା ଲାଗି ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଖୁବ୍ଶୀଘ୍ର କୁଳପତି, କୁଳସଚିବ ନିଯୁକ୍ତି ଲାଗି ପଦକ୍ଷେପ ନିଆଯାଇଥିଲା । ନୂଆ କ୍ୟାମ୍ପସ୍ ନିର୍ମାଣ ପର୍ଯ୍ୟନ୍ତ ତୋଷାଳୀ ପ୍ଲାଜାରେ ଅସ୍ଥାୟୀ କ୍ୟାମ୍ପସ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଯାହା ଫାଇଲ୍ ଭିତରେ ଚାପି ହୋଇ ରହିଛି । ଯେମିତି ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସମସ୍ତେ ଭୁଲି ଯାଇଛନ୍ତି ।
ସେହିପରି କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ଦେଖି ଓଡ଼ିଶାରେ ଭାଷା କମିଶନ ଗଠନ କରିବାକୁ ରିପୋର୍ଟ ପ୍ରସ୍ତୁତ କରିଥିଲେ ସରକାର । ଭାଷା କମିଶନ ହେଲେ ମୁଖ୍ୟାଳୟ ସହିତ ପ୍ରତି ଜିଲ୍ଲାରେ ଓଡ଼ିଆ ଭାଷାର ନିୟନ୍ତ୍ରଣ ପାଇଁ ଅଧିକାରୀ ରହିବେ । ଜଣେ କମିଶନ ରହିବା ସହିତ କାର୍ଯ୍ୟର ତଦାରଖ ପାଇଁ ଅଧିକାରୀମାନେ କାର୍ଯ୍ୟ କରିବେ । ପଞ୍ଚାୟତ, ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ମଧ୍ୟ କର୍ମକର୍ତ୍ତା ରହି ତଦାରଖ କରିବେ । ଏହାର କାର୍ଯ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନଥି ପ୍ରସ୍ତୁତି ହୋଇଥିଲା । ପରେ ଏହାକୁ ସଂସ୍କୃତି ବିଭାଗକୁ ଦିଆଯାଇଥିଲା । ସେଠାରୁ ଆଇନ୍ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ଯାଇଛି । ଏଥିସହ ଭାଷା ନିୟମାବଳୀ ବି ପ୍ରଣୟନ ହୋଇପାରୁନି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ପୂର୍ଣ୍ଣରୂପେ କାର୍ଯ୍ୟ କରିବ । ତା’ ପରଠୁ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ଚାଲିବ । କିନ୍ତୁ ତାହା ବି ଅନୁମୋଦନ ଅପେକ୍ଷାରେ ରହିଛି ।
ଏ ସମ୍ପର୍କରେ ଭାଷାବିତ୍ କହିଛନ୍ତି, ସରକାର ପ୍ରଥମେ ଭାଷା ନିୟମାବଳୀ ପ୍ରଣୟନ କରି ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରନ୍ତୁ । ଏହାକୁ ତଦାରଖ କରିବା ଏବଂ ଭାଷାର ଉନ୍ନତି ଲାଗି ଭାଷା କମିଶନ କାର୍ଯ୍ୟକାରୀ କରାଯାଉ । ତା’ସହିତ ଭିତ୍ତିପ୍ରସ୍ତରରେ ଅଟକିଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରନ୍ତୁ । କୌଣସି କାର୍ଯ୍ୟ ନକରି ଖାଲି ଓଡ଼ିଆ ଭାଷାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବାର ମାନେ କିଛି ନାହିଁ ।