ମୁମ୍ବାଇ: ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ବିଧାନସଭାରେ ଅଜିତ ପାଓ୍ବାରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି । ଅଜିତ ପାଓ୍ବାରଙ୍କୁ ଫଡ଼ନବିସ୍ କହିଛନ୍ତି, ତୁମକୁ ସମସ୍ତେ ସ୍ଥାୟୀ ଉପମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି । କିନ୍ତୁ ମୋର ଆଶା ରହିଛି ତୁମେ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଅଜିତ ପାଓ୍ବାରଙ୍କ କେତେ ଯେ ଇଚ୍ଛା ସେକଥା ସମସ୍ତଙ୍କୁ ଜଣା । ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ବୋଲି ଅନେକ ସମୟରେ ସାର୍ବଜନୀନ ଭାବେ ମଧ୍ୟ କହିଛନ୍ତି ଅଜିତ ପାଓ୍ବାର । ଆଉ ଏବେ ଦେବେନ୍ଦ୍ର ଫଡ଼ନବିସ୍‌ ଅଜିତ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନକୁ ଆହୁରି ତାଜା କରି  ଦେଇଛନ୍ତି । ଆଜି ଗୃହରେ ଫଡ଼ନବିସ୍‌ ଆହୁରି କହିଛନ୍ତି ଯେ, ‘ମୁଁ ଏବଂ ମୋର ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ୨୪*୭ ଶିଫ୍ଟରେ କାର୍ଯ୍ୟ କରିବୁ । ଅଜିତ ପାଓ୍ବାର ଜଲଦି ଉଠୁଥିବାରୁ ସେ ସକାଳ ଶିଫ୍ଟ କରିବେ । ମୁଁ ଦିନ ୧୨ରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ କାମ କରିବି । ଏକାନାଥ ସିନ୍ଦେ ବିଳମ୍ବିତ ରାତି ଯାଏଁ କାମ କରନ୍ତି, ଏକଥା ଆପଣମାନେ ଜାଣିଛନ୍ତି ।’  

ସେପଟେ ଷଷ୍ଠ ଥର ଲାଗି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଫଡ଼ନବିସ୍‌ ।  ଏହା ପରେ ସ୍ଥାୟୀ ଉପମୁଖ୍ୟମନ୍ତ୍ରୀ ଆଖ୍ୟା ପରିବର୍ତ୍ତନ ହୋଇ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁଣିବାକୁ ମିଳପାରେ ବୋଲି ଚିନ୍ତା କରି ଏନସିପି ନେତା ଖୁସି ହୋଇଥିବେ ନିଶ୍ଚୟ । ସର୍ବଦା ସାର୍ବଜନୀନ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଥିବା କହୁଥିବା ଅଜିତ ପାଓ୍ବାରଙ୍କ ସ୍ବପ୍ନକୁ ଫଡ଼ନବିସ୍‌ଙ୍କ ମନ୍ତବ୍ୟ ତାଜା କରିଦେଇଥିବା ଚର୍ଚ୍ଚା ହେଉଛି ।  

ଡିସେମ୍ବର ୫ରେ ଅଜିତ ପାଓ୍ବାର, ଏକାନଥ ସିନ୍ଦେଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସୂଚନାଯୋଗ୍ୟ, ୨୦୨୩ରେ ଅଜିତ ପାଓ୍ବାର ନିଜ ଦାଦା ଶରଦ ପାଓ୍ବାରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)କୁ ଦୁଇଫାଳ କରି ବିଜେପି ନେତୃତ୍ବାଧୀନ ମହାୟୁତି ସରକାରରେ ସାମିଲ ହୋଇଥିଲେ । ଏବେ ଏନସିପି ଦୁଇ ଫାଳ ହୋଇଥିବା ବେଳେ ତାଙ୍କ ଦାଦା ଶରଦ ପାଓ୍ବାର ଏନସିପି (ଏସପି)ର ମୁଖ୍ୟ ଅଛନ୍ତି । ଏପସିପି (ଏସପି) ମହାବିକାଶ ଅଘାଡ଼ି ମେଣ୍ଟର ଅଂଶ ହୋଇଥିବା ବେଳେ ଶିବସେନା (ୟୁବିଟି) ଏବଂ କଂଗ୍ରେସ ଏହାର ସହଯୋଗୀ । ଗତ ଲୋକସଭା ନିର୍ବାଚନରେ ଅଜିତ ପାଓ୍ବାରଙ୍କ ଏନସିପି ଦଳ ନିରାଶ ହୋଇଥିବା ବେଳେ ବିଧାନସଭା ନିର୍ବାଚନରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୪୧ ଆସନ ହାତେଇଛି  ।  ୨୮୮ ଆସନରୁ ମହାୟୁତି ଖାତାକୁ ଆସିଛି ୨୩୦ ଆସନ । ବିରୋଧୀ ମହାବିକାଶ ଅଘାଡ଼ି ମାତ୍ର ୪୬ ଆସନରେ ସନ୍ତୁଷ୍ଟ ରହିଛି ।