ମାସକ ଭିତରେ ଦ୍ବିତୀୟ ଥର, ଏୟାର ଇଣ୍ଡିଆ ଉପରେ ପୁଣି ଡିଜିସିଏ ଲଗାଇଲା ୧୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୪।୧: ଥମୁନି ଏୟାର ଇଣ୍ଡିଆ କମ୍ପାନୀର ଅଡୁଆ। ମାସକ ଭିତରେ ଦ୍ବିତୀୟ ଥର ପାଇଁ ଲାଗିଛି ଜରିମାନା। ଏୟାର ଇଣ୍ଡିଆର AI 142 ପ୍ୟାରିସ-ଦିଲ୍ଲୀ ବିମାନର ଓ୍ବାଶ୍ ରୁମ୍ରେ ସିଗାରେଟ୍ ପିଇବା ଓ ସିଟରେ ପରିସ୍ରା କରିବା ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଦିନ ଏୟାରଲାଇନ୍ସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡିଜିସିଏ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।ଏୟାର ଇଣ୍ଡିଆ ଉପରେ ଅଭିଯୋଗ ରହିଛି ସେମାନେ ଡିଜିସିଏକୁ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇଥିଲେ। ଏହି ଘଟଣା ଗତ ବର୍ଷ ୬ ଡିସେମ୍ବରର ଥିଲା।

ଡିଜିସିଏ ୯ ଜାନୁଆରୀରେ, ଗତ ବର୍ଷ ଡିସେମ୍ବର ମାସରେ ପ୍ୟାରିସ-ନୂଆଦିଲ୍ଲୀ ବିମାନରେ ଯାତ୍ରୀଙ୍କ ଅସଦାଚରଣ ଘଟଣାରେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଡିଜିସିଏ ଅନୁଯାୟୀ, ପ୍ରଥମ ଘଟଣାରେ ଜଣେ ନିଶାସକ୍ତ ଯାତ୍ରୀ ଶୌଚାଳୟରେ ଧୂମପାନ କରିଥିଲେ ଏବଂ କର୍ମଚାରୀଙ୍କ କଥା ଶୁଣି ନଥିଲେ। ଦ୍ୱିତୀୟ ଘଟଣାରେ ଜଣେ ଯାତ୍ରୀ ମହିଳା ସହ-ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଥିଲେ। ଉଭୟ ଘଟଣା ୬ ଡିସେମ୍ବର ୨୦୨୨ ରେ ପ୍ୟାରିସ-ନୂଆଦିଲ୍ଲୀ ବିମାନରେ ଘଟିଥିଲା।
ଏହା ପୂର୍ବରୁ ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ପରିସ୍ରା କରିଥିବା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଡିଜିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ। ଏଥିସହ ବିମାନର ପାଇଲଟ-ଇନ-କମାଣ୍ଡରଙ୍କ ଲାଇସେନ୍ସକୁ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି। କେବଳ ସେତିକି ନୁହେଁ ଏୟାର ଲାଇନ୍ସର ବିମାନ ସେବା ନିର୍ଦ୍ଦେଶକଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।