ଭଞ୍ଜନଗର,୨୨/୧୧ : ଭଞ୍ଜନଗରସ୍ଥିତ ତନରଡାଠାରେ ଥିବା ୮ମ ଆଇଆରବି ବାଟାଲିୟନର ନୂତନ ଜିମ୍ ଗୃହ ଉଦଘାଟନ କଲେ ରାଜ୍ୟ ପୁଲିସ ମୁଖ୍ୟ ଡିଜିପି ଓ୍ବାଇ ବି ଖୁରାନିଆ। ଏହି ସମୟରେ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଡିଜିପି ଖୁରାନିଆ ସନ୍ଧ୍ୟାରେ ତନରଡା ୮ମ ଆଇଆରବି ବାଟାଲିୟନ ପରିସରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। ବାଟାଲିୟନ କମାଣ୍ଡଣ୍ଟ ସୁଧାକର ମିଶ୍ର ଡିଜିପିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।

ଏହି ଅବସରରେ ଡିଜିପି ଖୁରାନିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଅନୌପଚାରିକ ଭାବେ ଆଲୋଚନା କରିବାବେଳେ ରାଜ୍ୟରେ ମାଓ ଦମନ ଅଭିଯାନର ଗ୍ରାଉଣ୍ଡ ଜିରୋ ସର୍ଭେ ପାଇଁ ସେ ବଉଦ ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଥିଲେ ବୋଲି ଉଲ୍ଲେଖ କରି ଖୁବଶୀଘ୍ର ଓଡ଼ିଶା ମାଓବାଦୀ ମୁକ୍ତ ହେବ ବୋଲି ସୂଚନା ଦେଇଥିଲେ। ଶନିବାର ଅପରାହ୍ନରେ ଡିଜିପି ଓ୍ବାଇ ବି ଖୁରାନିଆ ଓ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର ଫେରିବା ବାଟରେ ଭଞ୍ଜନଗର ବନ ବିହାର ପରିସରରେ ଥିବା ପ୍ରକୃତି ଶିବିରରେ କିଛି ସମୟ ବିଶ୍ରାମ ନେଇଥିଲେ। ଆଉ ସେଠାରେ ପୁଲିସ ଅଧିକାରୀମାନଙ୍କ ସହ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ। ପରେ ତନରଡାଠାରେ ଅବସ୍ଥିତ ୮ମ ଆଇଆରବି ବାଟାଲିୟନ ପରିସରରେ ପହଞ୍ଚି ଜିମ୍ ଉଦଘାଟନ କରିଥିଲେ।