PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବିଜୟ ସଂକଳ୍ପ ସଭାରେ ଧର୍ମେନ୍ଦ୍ର ପ୍ରଧାନ, ‘ହିଞ୍ଜିଳିରେ ଶୁଭିଲାଣି ପରିବର୍ତ୍ତନର ପଦଧ୍ୱନି’

ବ୍ରହ୍ମପୁର/ ହିଞ୍ଜିଳିକାଟୁ, ୮ ।୪(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ପରିବର୍ତ୍ତନର ସଙ୍କେତ ନେଇ ଆସୁଛି । ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଯେଉଁମାନେ ଗଣିତ କଷୁଛନ୍ତି, ରାଜନୈତିକ ବିଶେଷଜ୍ଞଙ୍କ ଭଳି ମତ ଦେଉଛନ୍ତି ସେମାନେ ଜାଣି ରଖନ୍ତୁ ଯେ ପରିବର୍ତ୍ତନର ପଦଧ୍ୱନି ହିଞ୍ଜିଳିକାଟୁ ପାଖରେ ପହଞ୍ଚିଲାଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ହିଞ୍ଜିଳିକାଟୁ ଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏଥର ନିର୍ବାଚନ ସାଂସଦ କିମ୍ବା ବିଧାୟକ ପଦ ପାଇଁ ହେଉନି । ବରଂ ଏକବିଂଶ ଶତାଦ୍ଦୀର ଭାରତ କାହା ନେତୃତ୍ୱରେ ଆଗକୁ ଯିବ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ବେଳକୁ ଆମ ରାଜ୍ୟ କେଉଁ ଅବସ୍ଥାରେ ଥିବ ତାହା ଏହି ନିର୍ବାଚନ ସ୍ଥିର କରିବ ।

ଏହି ସଭାରେ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଫେଲ୍‌ ମାରିଥିବା କଟୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ ପ୍ରଶ୍ନ କରିଥିଲେ ଯେ, ୧୯ ବର୍ଷ ହେଲା ପଶ୍ଚିମ ଓଡ଼ିଶା ପ୍ରତି ଧ୍ୟାନ ଦେଉ ନଥିବା ମୁଖ୍ୟମନ୍ତ୍ରୀ ଏବେ କାହିଁକି ବିଜେପୁର ଗଲେ । କାରଣ ଖୋଦ୍‌ ତାଙ୍କ ନିର୍ବାଚନମଣ୍ଡଳୀରେ ସବୁ ଗାଁକୁ ପିଇବା ପାଣି ପାଇପ୍‌ ଯୋଗେ ମିଳୁନି, ଚାଷ ଜମିରୁ ଉତ୍ପନ୍ନ ଶସ୍ୟ ରଖିବାକୁ ଶୀତଳଭଣ୍ଡାର ନାହିଁ, ଜମିକୁ ଜଳସେଚନ ଅଭାବରୁ ବର୍ଷକୁ ୩ଟି ଫସଲ ସମ୍ଭବପର ହେଉନି । ମୋଦି ଚାଷୀଙ୍କୁ କୁଇଣ୍ଟାଲ୍‌ ପିଚ୍ଛା ୧୭୫୦ ଟଙ୍କା ଦେଉଛନ୍ତି । ହେଲେ ଏଠିକାର କୃଷକ କୁଇଣ୍ଟାଲ୍‌ ପିଛା ଧାନ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । କାରଣ ଏଠି ମାଫିଆ, ଚିଟ୍‌ଫଣ୍ଡ୍‌ ଲୁଟେରା, ପିସି କାରବାରୀମାନଙ୍କ ସରକାର ଚାଲିଛି ।

ବିଜେପ ତା ସଂକଳ୍ପପତ୍ରରେ ଘୋଷଣା କରିଛି କି ସରକାର ଗଠନ ହେଲେ ପ୍ରଥମ କାମ ହେବ ଯେ ଚିଟ୍‌ଫଣ୍ଡ୍‌ ଲୁଟେରାମାନଙ୍କୁ ଜେଲ୍‌ ପଠାଇ ଦିଆଯିବ । କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ- ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ମିଳୁନି । ପଢ଼ାଇବାକୁ ଶିକ୍ଷକ ନାହାନ୍ତି କି ଶିକ୍ଷକମାନଙ୍କୁ ଅର୍ଥ ଦେବାକୁ ସରକାରଙ୍କ ପାଖରେ ଅର୍ଥ ନାହିଁ । ଅଥଚ ରାଜ୍ୟ ସରକାର ପ୍ରଚୁର ଟଙ୍କା ଦେଇ ଶାହରୁଖ- ସଲମାନ- ମାଧୁରୀଙ୍କୁ ଆଣି ନଚାଉଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ତଥାପି ଆୟୁଷ୍ମାନ୍‌ ଭାରତ ଯୋଜନାରେ ଓଡ଼ିଶା ସାମିଲ ହୋଇପାରୁନି ।

କାଳିଆ ଯୋଜନାରେ ଟଙ୍କା ଦେଉନାହାନ୍ତି କି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟର ଚାଷୀମାନଙ୍କ ସୂଚୀ କେନ୍ଦ୍ରକୁ ପ୍ରଦାନ କରୁନାହାନ୍ତି । କାରଣ ରାଜ୍ୟ ସରକାର ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନ୍ୟାୟରେ କାମ କରୁଛନ୍ତି । ମୋଦିଙ୍କ ନାମ ପ୍ରଚାର ହୋଇଯିବ ବୋଲି କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ ଲାଗୁ କରାଯାଉନି । କାଳିଆ ଯୋଜନା ମୋ ସ୍କିମ୍‌ ବୋଲି ଏତେ ପ୍ରଚାର କରୁଛନ୍ତି । ହେଲେ କାଳିଆ ଯୋଜନାରେ ହିତାଧିକାରୀ ସାଜିଛନ୍ତି ମନ୍ତ୍ରୀଙ୍କ ସମ୍ପର୍କୀୟ, ତାଙ୍କ ପରିବାର ଲୋକ । ପିସି କାରବାରରେ ତଳତଳିଆ, ଛୋଟ କର୍ମଚାରୀଙ୍କୁ ବଳି ପକାଯାଉଛି, ଅଥଚ ବଡ଼ ଦୋଷୀ ସୁରକ୍ଷିତ ରହିଛନ୍ତି । ୪୦ ଲକ୍ଷ ନୂଆ ପରିବାରକୁ ଉଜ୍ଜ୍ୱଳା ସ୍କିମ୍‌ରେ ନିଶୁଳ୍କ ଗ୍ୟାସ୍‌ ସଂଯୋଗ ଦିଆଯାଇଛି । ରାଜ୍ୟର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ ଡବଲ୍‌ ଇଞ୍ଜିନ୍‌ ସରକାର ଅର୍ଥାତ୍‌ ଦିଲ୍ଲୀରେ ଫିର୍ ଏକ୍‌ ବାର୍‌ ମୋଦି ସରକାର ସାଙ୍ଗକୁ ରାଜ୍ୟରେ ଏବେକାର ସରକାର ବଦଳିବା ଦରକାର ବୋଲି ଆହ୍ୱାନ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ସମାବେଶରେ ବିଜେପି ଆସିକା ଲୋକସଭା ଆସନ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଓ ହିଞ୍ଜିଳିକାଟୁ ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ଗଠିତ ହେବା ବା ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ତଥା ହିଞ୍ଜିଳିକାଟୁ ସହରରେ ବିଜେପିର ଏହା ଥିଲା ପ୍ରଥମ ବଡ଼ ଧରଣର ନିର୍ବାଚନୀ ସଭା । ହିଞ୍ଜିଳିକାଟୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଚିକିଟିରେ ରୋଡ୍‌ ସୋ’ କରିଥିଲେ । ଦଳର ବ୍ରହ୍ମପୁର ଲୋକସଭା ଆସନ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରା ଉପସ୍ଥିତ ଥିଲେ ।