ଆସ୍କା, ଖଲ୍ଲିକୋଟ ଓ ରଣପୁର ବିଜୟ ସମାବେଶରେ ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି: ଓଡ଼ିଶାରେ ଏଥର ବିଜେପିର ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଗରିବଙ୍କ ବିକାଶ ପ୍ରତି ସମସ୍ତେ ଆଖି ବୁଜି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଗରିବଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି । କେବଳ ବିକାଶର ଯୋଜନା ନୁହେଁ, ଦେଶର ସୁରକ୍ଷା ମଧ୍ୟ ମୋଦିଙ୍କ ହାତରେ ସୁରକ୍ଷିତ । ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡ଼ିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନର ସରକାର ଦେବାକୁ ମନସ୍ଥ କରିସାରିଲେଣି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଗଞ୍ଜାମ ଜିଲ୍ଲାର ଆସ୍କା, ଖଲ୍ଲିକୋଟ ଓ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରଣପୁର ନିର୍ବାଚନମଣ୍ଡଳୀ ଡିମିସରଠାରେ ଆୟୋଜିତ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କାଳିଆ ଯୋଜନାକୁ ସମାଲୋଚନା କରି କହିଛନ୍ତି, ରାଜ୍ୟ ସରକାରଙ୍କ ଏ ଯୋଜନାରୁ କିଏ ଲାଭ ପାଇଲା? ଏ କଥା କାହାକୁ ଜଣାନାହିଁ । ଏ ପଟେ ମୋଦିଜୀ ସାରାଦେଶର ଗରିବଙ୍କ ଚିକିତ୍ସା ପାଇଁ ପରିବାର ପିଚ୍ଛା ୫ ଲକ୍ଷ ଟଙ୍କା ଦେବାକୁ ଆୟୁଷ୍ମାନ ନାମରେ ଯୋଜନା କରିଛନ୍ତି । ରାଜ୍ୟ ସରକାର ଏଥିରେ ସାମିଲ ନହୋଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କଲେ । ହେଲେ ଏହି ଯୋଜନାରେ ଓଡ଼ିଆ ରୋଗୀ ରାଜ୍ୟକୁ ଛାଡ଼ି ଦେଲେ ଅନ୍ୟ ରାଜ୍ୟର ସବୁ ହସ୍ପିଟାଲରେ ଚିକିତ୍ସା ସେବା ପାଇବାକୁ ବଞ୍ଚିତ ହେଉଛନ୍ତି । କେବଳ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବା ଭୟରେ ଆୟୁଷ୍ମାନ ଯୋଜନାରେ ସାମିଲ ହେଲାନି ରାଜ୍ୟ ସରକାର ।
ପୂର୍ବ ସରକାରରେ ଓଡ଼ିଶାରେ ମାତ୍ର ୨୦ ଲକ୍ଷ ପରିବାରରେ ଏଲ୍ପିଜି ଥିଲା । ଏବେ ଏଥିରେ ପରିବର୍ତ୍ତନ ହୋଇଛି । ଏ ସଂଖ୍ୟା ୭୫ ଲକ୍ଷ ପରିବାରରେ ପହଞ୍ଚିଲାଣି । ସେଥିରୁ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୪୦ ଲକ୍ଷ ଘରେ ଏଲ୍ପିଜି ସଂଯୋଗ ଦିଆଯାଇଛି । ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୫ ଏକର ଜମି ତଳେ ଥିବା ଚାଷୀଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରିଥିଲେ । ଏହି ଯୋଜନାରେ ରାଜ୍ୟରୁ ୪୫ ଲକ୍ଷ ଚାଷୀ ଉପକୃତ ହୋଇଥାନ୍ତେ । ହେଲେ ମୋଦିଙ୍କ ଲୋକପ୍ରିୟତାରୁ ଏଠି ବି ଭୟରେ ଚାଷୀଙ୍କ ତାଲିକା ଦେଉନି ରାଜ୍ୟ ସରକାର ।
ଶ୍ରୀ ପ୍ରଧାନ କହିଛନ୍ତି, ଗଞ୍ଜାମର ଆସ୍କା ଓ ପାଖାପାଖି ଅଞ୍ଚଳରେ ଋଷିକୂଲ୍ୟାର ବନ୍ୟା ପାଣି ପଶୁଛି । ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଦାୟିତ୍ୱରେ ରହିବା ପରେ ବି ନିଜ ଜିଲ୍ଲାର ଏହି ସମସ୍ୟାର ସମାଧାନ କରିନାହାନ୍ତି । ୧୯ ବର୍ଷ ହେଲା ବିଜେଡି ଓଡ଼ିଶାରେ କ୍ଷମତାରେ ଥାଇ ମଧ୍ୟ ରାଜ୍ୟବାସୀଙ୍କୁ ମୌଳିକ ସେବା ଯୋଗାଇ ପାରିନାହାନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପାକିସ୍ତାନ ଭାରତର ସୈନିକଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଘଟଣାର କିଛିଦିନ ପରେ ଭାରତୀୟ ବାୟୁସେବା ପାକିସ୍ତାନରେ ପଶି ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଲେ । ପାକିସ୍ତାନ ଭାରତୀୟ ବାୟୁସେନାର ଆକ୍ରମଣକୁ ସ୍ୱୀକାର କରୁଥିବା ବେଳେ କଂଗ୍ରେସ ନେତାମାନେ ପ୍ରମାଣ ମାଗୁଛନ୍ତି । ନିଆଳିର ଯୁବକ ସହିଦ ଓଡ଼ିଆ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଶାସକ ଦଳର ବିଧାୟକଙ୍କ ତଣ୍ଟିଆମରା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।