କାହା ପାଇଁ ସେ ମାଚୋ ମ୍ୟାନ୍, କାହା ପାଇଁ ସାଦା ସିଧା ମଣିଷ । କାହା ପାଇଁ ରୋମାଣ୍ଟିକ୍ ହିରୋ, କାହା ପାଇଁ ଆଙ୍ଗ୍ରି ୟଙ୍ଗ୍ମ୍ୟାନ୍ । କାହା ପାଇଁ କମେଡିଆନ୍, କାହା ପାଇଁ ଭୋଳା-ସରଳିଆ ମଣିଷ । କାହା ପାଇଁ ସବୁ କଷ୍ଟକୁ ପିଇଯାଉଥିବା ଜଣେ ସଚ୍ଚୋଟ ଚରିତ୍ର । ତମାମ ଭାବନାର ସଙ୍ଗମ ଯାହାଠାରେ ସମାହିତ ଥିଲା, ସେ ଧର୍ମେନ୍ଦ୍ର ଓରଫ ଧରମ୍ଜୀ । ଧର୍ମେନ୍ଦ୍ର ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏ କେବେ ଫେଲ୍ ହୋଇନାହାନ୍ତି । କିନ୍ତୁ ପ୍ରସିଦ୍ଧି ପଛରେ କେବେ ଦୌଡ଼ିନାହାନ୍ତି । ୬ ଦଶନ୍ଧିର ଲମ୍ବା କ୍ୟାରିଅର୍ରେ ସେ ଗଢ଼ିଛନ୍ତି ସଫଳତାର ଅନେକ ମାଇଲଖୁଣ୍ଟ ।
ମାଟିନି ଆଇଡଲ୍ରୁ ମେଗାଷ୍ଟାର୍
ମାଟିନି ଆଇଡଲ୍ରୁ ମେଗାଷ୍ଟାର୍ ପର୍ଯ୍ୟନ୍ତର ଯାତ୍ରା ବେଶ୍ ରୋମାଞ୍ଚକର । ଦୀର୍ଘ ୬ ଦଶନ୍ଧିର କ୍ୟାରିଅର୍ରେ ୩୦୦ରୁ ଅଧିକ ଫିଲ୍ମ । ହିନ୍ଦୀ ସିନେମାର ଅଲ୍ ଟାଇମ୍ ହିରୋ ଧରମ୍ଜୀଙ୍କ କାଳଜୟୀ ସିନେମା ଦର୍ଶକଙ୍କ ପାଖରେ ତାଙ୍କୁ ଚିରସ୍ମରଣୀୟ କରିଛି । ୬୦ ଦଶକର କଳା-ଧଳା ରୋମାନ୍ସଠୁ ୭୦ ଓ ୮୦ ଦଶକର ରଙ୍ଗୀନ୍ ବ୍ଲକ୍ବଷ୍ଟର । ‘ଗରମ୍ ଧରମ୍’ ନାମରେ ପରିଚିତ ଧର୍ମେନ୍ଦ୍ର ଆକ୍ସନ୍, ଡ୍ରାମା, କମେଡି, ସାମାଜିକ ଫିଲ୍ମ ଆଦିରେ ବହୁମୁଖୀ ପ୍ରତିଭାର ଛାପ ଛାଡ଼ିଛନ୍ତି । ତାଙ୍କର ଲମ୍ବା ସିନେ କ୍ୟାରିଅରକୁ ସମୃଦ୍ଧ କରିଥିବା ଫିଲ୍ମ ମଧ୍ୟରେ ଅଛି- ଶୋଲେ, ଚୁପ୍କେ ଚୁପ୍କେ, ସତ୍ୟମ୍, ହକିକତ୍, ଅନୁପମା, ସୀତା ଔର୍ ଗୀତା, ପ୍ରତିଜ୍ଞା, ଫୁଲ୍ ଔର୍ ପତ୍ଥର୍, ବନ୍ଦିନୀ, ଧରମ୍ ବୀର, ଦ ବର୍ନିଂ ଟ୍ରେନ୍, ମେରା ଗାଓଁ ମେରା ଦେଶ୍, ଜୀବନ୍ ମୃତ୍ୟୁ, ନୟା ଜମାନା, ଜୁଗ୍ନୁ, ଜନି ଗଦ୍ଦାର, ଗୁଲାମୀ, ଗୁଡ୍ଡି, ଆଁଖେ, ଦୋସ୍ତ୍, ଚରସ୍, ଅପ୍ନେ, ଦିଲ୍ଲଗୀ, ସମାଧି, ପ୍ୟାର୍ କିୟା ତୋ ଡର୍ନା କ୍ୟା, ଲାଇଫ୍ ଇନ୍ ଏ ମେଟ୍ରୋ, ଜ୍ୱାର ଭଟ୍ଟା, ଶାଲିମାର, ଭାଗୱତ, ରାମ ବଲରାମ୍, ନୌକର୍ ବିୱି କା, ୟମ୍ଲା ପଗ୍ଲା ଦିୱାନା, ଆଜାଦ୍, ଇଶ୍କ ପର୍ ଜୋର୍ ନହିଁ, ଡ୍ରିମ୍ ଗର୍ଲ, ଇଣ୍ଟର୍ନ୍ୟାସନାଲ କ୍ରୁକ୍, ରାଜ୍ପୁତ, ଆୟି ମିଲନ୍ କୀ ବେଲା, ଅଲି ବାବା ଔର୍ ଚାଲିସ୍ ଚୋର୍, ରାଜା ରାନୀ, ଲୋଫର୍, ବଟ୍ୱାରା, ଆଦ୍ମି ଔର୍ ଇନ୍ସାନ, ଲୋହା, ଜାଗିର୍, ଚାଚା ଭତିଜା, ରଜିୟା ସୁଲ୍ତାନ ।
୧୯ରେ ବିବାହ, ୨୦୦ରେ ଚାକିରି
୧୯୩୫, ଡିସେମ୍ବର ୮ରେ ପଞ୍ଜାବର ଲୁଧିଆନା ଜିଲ୍ଲାର ନସରାଲି ଗାଁରେ ପଞ୍ଜାବୀ ହିନ୍ଦୁ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ ଧର୍ମେନ୍ଦ୍ର । ପୂରା ନାଁ ଧର୍ମେନ୍ଦ୍ର କେୱଲ କ୍ରିଶନ ଦେଓଲ । ବାପା କେୱଲ କ୍ରିଶନ ଓ ମା’ ସତୱନ୍ତ କୌର । ପଞ୍ଜାବରେ ସେ ସ୍କୁଲ ଶିକ୍ଷା ଶେଷ କରିଥିଲେ । ମାତ୍ର ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଧର୍ମେନ୍ଦ୍ର ଓ ପ୍ରକାଶଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଦୁଇ ପୁତ୍ର- ସନ୍ନି ଓ ବବି ଏବଂ ଦୁଇ କନ୍ୟା - ଅଜେତା ଓ ବିଜେତା । କମ୍ ବୟସରେ ବିବାହ, ସେଥିରେ ପୁଣି ପରିବାର ବୋଝ । ତେଣେ ସେଭଳି କୌଣସି ଆଖିଦୃଶିଆ ରୋଜଗାର ନଥିଲା ଧର୍ମେନ୍ଦ୍ରଙ୍କର । ପରିବାର ଚଳାଇବାକୁ ବାଧ୍ୟ ହୋଇ ସେ ଏକ ଡ୍ରିଲିଂ ଫାର୍ମରେ ମାସିକ ୨୦୦ ଟଙ୍କା ଦରମାରେ ଚାକିରି କଲେ ।
ପ୍ରଥମ ଫିଲ୍ମ ‘ଦିଲ୍ ଭି ତେରା ହମ୍ ଭି ତେରେ’
ଗୁଜୁରାଣ ମେଣ୍ଟାଇବାକୁ ଡ୍ରିଲିଙ୍ଗ୍ ଫାର୍ମରେ ସ୍ୱଳ୍ପ ଦରମାରେ ଧର୍ମେନ୍ଦ୍ର ଚାକିରି କରୁଥିଲେ ସତ ମନ କିନ୍ତୁ ବୁଝୁନଥିଲା । ତାଙ୍କ ଆଖିରୁ ନିଦ ହଜେଇ ଦେଇଥିଲା ଅଭିନୟ କରିବାର ଝୁଙ୍କ୍ । ଚାକିରି କରିବା ସହିତ ଯେତେବେଳେ ବି ତାଙ୍କୁ ସମୟ ମିଳୁଥିଲା, ସେ ବିଭିନ୍ନ ପ୍ରଯୋଜନା ସଂସ୍ଥାର ଅଫିସ୍ ଆଖପାଖରେ ଘୂରି ବୁଲୁଥିଲେ । ଉଦ୍ଦେଶ୍ୟ ଥିଲା, କେଉଁଠି ନା କେଉଁଠି କେବେ ଦିନେ କେଉଁ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଭେଟ ହୋଇଯିବ ଓ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଯିବ । ଶେଷରେ ଭାଗ୍ୟଦେବୀ ଧର୍ମେନ୍ଦ୍ରଙ୍କ ଉପରେ ପ୍ରସନ୍ନ ହେଲେ ଓ ଅର୍ଜୁନ ହିଙ୍ଗେରାନିଙ୍କ ‘ଦିଲ୍ ଭି ତେରା ହମ୍ ଭି ତେରେ’ ସିନେମାରେ ଅଭିନୟର ସୁଯୋଗ ମିଳିଲା । ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ମିଳିଥିଲା ୫୧ ଟଙ୍କା । ୧୯୬୦ରେ ରିଲିଜ ହୋଇଥିଲା ଏ ଫିଲ୍ମ । ସୁଟିଂ ସେଟ୍ରେ ପହଞ୍ଚିବା ପାଇଁ ବେଶ୍ କିଛି ବାଟ ଯାତ୍ରା କରିବାକୁ ପଡ଼ୁଥିଲା । ଯିବା ଆସିବାରେ ଯେଉଁ ଖର୍ଚ୍ଚ, ତାହାକୁ ବଞ୍ଚାଇବା ପାଇଁ ସୁଟିଂ ସରିବା ଯାଏଁ ଅର୍ଜୁନ ହିଙ୍ଗୋରାନିଙ୍କ ଗ୍ୟାରେଜ୍ରେ ରହିଥିଲେ ଧର୍ମେନ୍ଦ୍ର । ପ୍ରଥମ ଫିଲ୍ମ ତାଙ୍କୁ ପରିଚିତ କରାଇଥିଲା । ଏହିଠାରୁ ଧର୍ମେନ୍ଦ୍ରଙ୍କ ସିନେ ଯାତ୍ରା ଆରମ୍ଭ ହୋଇଥିଲା ।
ଟପ୍-୫ ହ୍ୟାଣ୍ଡ୍ସମ ମ୍ୟାନ୍
ସୁଠାମ ଶରୀର ଓ ଆକ୍ସନ୍-ମ୍ୟାନ୍ ବ୍ୟକ୍ତିତ୍ୱ ପାଇଁ ବଲିଉଡ୍ର ହିମ୍ୟାନ୍ ଭାବେ ଚିରସ୍ମରଣୀୟ । ୭୦ ଦଶକରେ ଫିଲ୍ମ ଜଗତର ଜଣେ ଆଗଧାଡ଼ିର ନାୟକ ଭାବେ ସେ ଲୋକପ୍ରିୟତା ପାଇଥିଲେ । ଏହି ଖ୍ୟାତି ତାଙ୍କୁ ଭାରତ ତଥା ବିଦେଶରେ ଅନେକ ସିନେ ପତ୍ରିକାରେ ସ୍ଥାନ ଦେଇଥିଲା । ୭୦ ଦଶକରେ ଅନ୍ତର୍ଜାତୀୟ ପ୍ରକାଶନ ତାଙ୍କୁ ବିଶ୍ୱର ଟପ୍-୧୦ ଓ ଟପ୍-୫ ସୁଦର୍ଶନ ପୁରୁଷଙ୍କ ତାଲିକାରେ ସାମିଲ କରିଥିଲେ । ତନ୍ମଧ୍ୟରୁ କିଛି ଖବରସଂସ୍ଥା ଧର୍ମେନ୍ଦ୍ରଙ୍କୁ ଶୀର୍ଷରେ ସ୍ଥାନ ଦେଇଥିଲେ । ସେତେବେଳର ଲୋକପ୍ରିୟ ହଲିଉଡ୍ ଷ୍ଟାର୍ ଜେମ୍ସ ଡିନ୍ ଓ ପଲ୍ ନ୍ୟୁମ୍ୟାନ୍ଙ୍କ ଭଳି ଅଭିନେତାଙ୍କ ସହିତ ତାଙ୍କୁ ତୁଳନା କରାଯାଇଥିବା ନିଜେ ଧର୍ମେନ୍ଦ୍ର କହିଥିଲେ । ଲେହରେନ୍ ରେଟ୍ରୋଙ୍କ ସହ ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ, କିଛି ଲୋକ ମୋତ ଜଣେ ହଲିଉଡ୍ ଷ୍ଟାର୍ଙ୍କ ସହ ତୁଳନା କଲେ । କିନ୍ତୁ ମୁଁ ସେହି ଅଭିନେତାଙ୍କ ଫିଲ୍ମ ଦେଖିନଥିଲି । ପରେ ମୁଁ ତାଙ୍କର ଫିଲ୍ମ ଦେଖିଲି । ମୁଁ ବି ଟିକେ ଟିକେ ତାଙ୍କ ସହ ନିଜକୁ ତୁଳନା କଲି ।