ପାଟନା, ୧୫/୧୧: ବିହାରରେ ବିଜେପି ନେତୃତ୍ବାଧୀନ ଏନଡିଏର ପ୍ରଚଣ୍ଡ ବିଜୟ । ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ସବୁଠି ଚର୍ଚ୍ଚା । ୨୦୨ ଆସନରେ ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି ଏନଡିଏ । ଏଥିରେ ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଛି । ୧୦୧ ଆସନରେ ପ୍ରାର୍ଥୀ ଦଇେଥିବା ବିଜେପି ୮୯ ଆସନରେ ବାଜିମାତ୍ କରିଛି । ବିହାରରେ ବିଜେପି ତଥା ଏନଡିଏର ସଫଳତାର ଶ୍ରେୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଉଛି । କେନ୍ଦ୍ରୀୟ ନେତୃତ୍ବ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ବ ଦେଇଥିଲେ । ସେ ଏହାକୁ ସଫଳତାର ସହ ନିର୍ବାହ କରିଛନ୍ତି ଓଡ଼ିଆ ପୁଅ । ଏନଡିଏର ଏହି ପ୍ରଚଣ୍ଡ ବିଜୟ ଲାଗି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି ବିହାର ବିଜେପି ସଭାପତି ଦିଲ୍ଲୀପ କୁମାର ଜୟସ୍ବାଲ ।
ଦିଲ୍ଲୀପ କୁମାରଙ୍କୁ ବିହାରରେ ବଡ଼ ବିଜୟ ପଛର କାରଣ କ’ଣ ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେଇ ଦିଲ୍ଲୀପ କୁମାର କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ନେତୃତ୍ବ ଏବଂ ଦକ୍ଷ ରଣନୀତି ଲାଗି ସଫଳତା ମିଳିଛି । ଧର୍ମେନ୍ଦ୍ର ପ୍ରଧାନ ଜଣେ ଭଲ ରଣନୀତିକାର । ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ରାଜନୀତିକୁ ନେଇ ଖୁବ୍ ଅନୁଭବ ରହିଛି ଏବଂ ବିହାରର ପ୍ରତିଟି ଅଞ୍ଚଳକୁ ସେ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି । ଏହାର ଫାଇଦା ବିହାର ବିଧାନସଭା ନିର୍ବାଚନରେ ମିଳିଛି ।
ସେ ଆହୁରି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଇକ୍ରୋ ମ୍ୟାନେଜମେଣ୍ଟ ମାଧ୍ୟମରେ ସବୁ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଥିଲେ । ଏଥିପାଇଁ ନିର୍ବାଚନରେ କୌଣସି କ୍ଷେତ୍ରରେ ଅସୁବିଧା ହୋଇନଥିଲା । କେନ୍ଦ୍ରୀୟ ନେତୃତ୍ବ ତାଙ୍କ ଉପରେ ଆସ୍ଥା ରଖି ବିହାର ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ବ ଦେଇଥିଲେ । ସେ ସଫଳ ନିର୍ବାଚନ ପ୍ରଭାରୀ ଭାବରେ ବିହାରରେ ଏନଡିଏକୁ ବିପୁଳ ବିଜୟ ହାସଲ କରିବାରେ ସହାୟକ ହୋଇଛନ୍ତି ।
ସୂଚନାଯୋଗ୍ୟ, ଦେଶର ରାଜନୈତିକ ଦୃଷ୍ଟିକୋଣରୁ ଚଳିତବର୍ଷ ବିହାର ବିଧାନସଭା ନିର୍ବାଚନ ବିଜେପି ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ତମାମ ଚ୍ୟାଲେଞ୍ଜ ଗୁଡ଼ିକୁ ଧର୍ମେନ୍ଦ୍ର ପ୍ରଧାନ ସଫଳତାରେ ବଦଳାଇ ଦେଇଛନ୍ତି । ୨୦୧୦ରେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ବିହାରର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା । ଏହି କାର୍ଯ୍ୟକୁ ସେ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ୨୦୧୪ରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିହାରର ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଥିଲା । ତାଙ୍କର ସଫଳ ନେତୃତ୍ୱ ପାଇଁ ଲୋକସଭା ନିର୍ବାଚନରେ ଏନଡିଏର ୩୧ଜଣ ପ୍ରାର୍ଥୀ ବିହାରରୁ ନିର୍ବାଚିତ ହୋଇପାରିଥିଲେ । ୨୦୧୫ରେ ମଧ୍ୟ ତାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହ ।
ସେପଟେ ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଜୟସ୍ବାଲ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ବିହାରରେ ଏବେ ସୁବକିଛି ଅଛି । ରୋଜଗାର, ଇଣ୍ଡଷ୍ଟ୍ରି ଏବଂ ସରକାର ଓ ଆଇନ୍ ଅଛି । ବିହାରର ଜନତା ସବୁ ଜାଣିଛନ୍ତି । ଏଥିପାଇଁ ସେମାନଙ୍କ (ବିରୋଧୀ ଦଳ) କଥା ଉପରେ କେହି ଧ୍ୟାନ ଦେଲେ ନାହିଁ । ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗ ଉପରେ ଦିଲ୍ଲୀପ ଜୟସ୍ବାଲ କହିଛନ୍ତି, ବର୍ତ୍ତମାନ ରାହୁଲ ଜଣେ ମାଚ୍ୟୁର (ପରିପକ୍ବ) ରାଜନେତା ନୁହଁନ୍ତି । ପରିପକ୍ବ ହେବାକୁ ତାଙ୍କୁ ସମୟ ଲାଗିବ । ରାହୁଲ ଗାନ୍ଧୀଙ୍କ କଥାକୁ ଦେଶ ଗମ୍ଭୀରତାର ସହ ନେଉନାହିଁ ।