ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧିରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା: ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଚିଟ୍ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପ୍ରସଙ୍ଗରେ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ବିଜେଡି ନେତାମାନେ କାହିଁକି ପ୍ରତିକ୍ରିୟାଶୀଳ ହୋଇ ପଡୁଛନ୍ତି ।
ନବୀନ ନିବାସର ସରୋଜ ସାହୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ କ’ଣ? ବାରମ୍ବାର ଏ ପ୍ରଶ୍ନ ପଚାରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବ କାହିଁକି । ଓଡ଼ିଶାବାସୀ ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ୍ ମାଗୁଛନ୍ତି । ଜଷ୍ଟିସ ଦାସ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ଓଡ଼ିଶାର ଚିଟଫଣ୍ଡ ମହାଦୁର୍ନୀତିର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ଫେରସ୍ତରେ ବିଳମ୍ବିତ ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରୁଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୨୦୧୩ ମସିହାରୁ ରାଜ୍ୟ ସରକାର ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ କରିବାରେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି । କ୍ଷତିଗ୍ରସ୍ତମାନଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହ ହତାଶ ଜମାକାରୀଙ୍କୁ ଅର୍ଥ ଫେରିପାଇବାର ଆଶା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ମିଛ ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।