ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ: ଓବିସିଙ୍କୁ ସଂରକ୍ଷଣ ଦେଉନ କାହିଁକି?

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ସାରା ଦେଶରେ ଓବିସି ବର୍ଗ ପାଇଁ ସଂରକ୍ଷଣ ସୁବିଧା ରହିଛି । କିନ୍ତୁ ଓଡ଼ିଶାରେ ଓବିସିଙ୍କୁ ଏହି ସୁବିଧା ମିଳୁନି କାହିଁକି? ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚବର୍ଗର ଆର୍ଥିକ ପଛୁଆ ଲୋକଙ୍କୁ ସଂରକ୍ଷଣ ଦେଉଛନ୍ତି । କିନ୍ତୁ ଓଡ଼ିଶା ସରକାର ଓବିସି ବର୍ଗଙ୍କୁ କାହିଁକି ସଂରକ୍ଷଣ ଦେଉନାହାନ୍ତି? ସାଲେପୁର କୁଳିଆ ସମାବେଶରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶ୍ନ ଛାଡିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଜମିକୁ ଜଳସେଚନ କରିପାରୁନି । ଘରକୁ ପିଇବା ପାଣି ଓ ଯୁବକଙ୍କୁ ରୋଜଗାର ଦେଇପାରୁନି । ଏ ସରକାରକୁ ବଦଳାଇବାର ସମୟ ଆସିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ସେ କହିଥିଲେ, ରାହୁଲ ରିମୋଟ୍ କଥା କହୁଛନ୍ତି । ନବୀନଙ୍କ ସରକାର ଓ ନିରଞ୍ଜନଙ୍କ ସାମ୍ରାଜ୍ୟର ଚାବି ଓ ପାଣ୍ଠି କେଉଁ ଖଣି ମାଫିଆଙ୍କ ପାଖରେ ରହିଛି?
ମୋଦି ସରକାର ଗରିବ ଓ ପଛୁଆ ଲୋକଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ । ସେ ଅଭିଯୋଗ ଆଣି କହିଥିଲେ, ରାଜ୍ୟରେ ୨୪ଘଣ୍ଟିଆ ବିଜୁଳି ନାହିଁ । ଓଡିଶାର କୋଇଲାରେ ସାରା ଭାରତ ଆଲୋକିତ ହୁଏ । କିନ୍ତୁ ଆଜି କଟକ, ଜଗତ୍ସିଂହପୁର ଓ କେନ୍ଦ୍ରପଡ଼ା ଭଳି ଅଞ୍ଚଳରେ ୨୪ଘଣ୍ଟିଆ ବିଜୁଳି ଅପହଞ୍ଚ । କେନ୍ଦ୍ର ସରକାର ଏଥିପାଇଁ ଟଙ୍କା ଦେଲା ପରେ ବି ରାଜ୍ୟ ସରକାର ନିରନ୍ତର ବିଜୁଳି ସେବା ପହଞ୍ଚାଇବାରେ ଫେଲ୍ ମାରିଛନ୍ତି ।
ସଲମାନ୍ ଓ ଶାହାରୁଖ୍ଙ୍କ ଭଳି ସିନେ ଷ୍ଟାରଙ୍କୁ ଆଣି ନଚାଇବାକୁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ଅଛି । କିନ୍ତୁ ଶିକ୍ଷକଙ୍କୁ ଦରମା ଦେବାକୁ ଟଙ୍କା ନାହିଁ । ଗୋଟେ ପଟେ ୧୯ ବର୍ଷର ଅପାରଗତା, ଦୁର୍ନୀତି, ମିଛ ପ୍ରତିଶ୍ରୁତି । ଅନ୍ୟ ପଟେ ୫ ବର୍ଷର ଦାୟିତ୍ୱ । ଏହାକୁ ଲୋକେ ବିଚାର କରନ୍ତୁ ବୋଲି ଧର୍ମେନ୍ଦ୍ର କହିଥିଲେ ।
ମହାବାତ୍ୟା ସମୟରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଯେଭଳି ଅର୍ଥ ଅଭାବ ରହିବନି, ସେଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରୟାସ କରିଥିଲେ । ସେବେ କେନ୍ଦ୍ର ସରକାର ୭ଲକ୍ଷରୁ ଅଧିକ ଘର ନିର୍ମାଣ ପାଇଁ ସହାୟତା ପାଣ୍ଠି ଯୋଗାଇ ଦେଇଥିଲେ । କଂଗ୍ରେସ ସମୟରେ ଯେତିକି ଘର ଆସୁଥିଲା, ଏବେ ମୋଦି ସରକାର ତାର ୩ଗୁଣା ଅଧିକ ରାଜ୍ୟକୁ ଦେଇଛନ୍ତି । ରାଜ୍ୟରେ ବିନା ହାତଗୁଞ୍ଜାରେ କାହାକୁ ଘର ଖଣ୍ଡେ ମିଳେନି । ଏଠାରେ ପିସି ସରକାରକୁ ହଟାଇବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଜିଲ୍ଲା ଖଣିଜ ପାଣ୍ଠିରେ କେନ୍ଦ୍ର ସରକାର ରାଜ୍ୟକୁ ୬ହଜାର କୋଟି ଦେଲେ । କିନ୍ତୁ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିପାରୁନାହାନ୍ତି । ଶିଶୁ ମୃତ୍ୟୁ ହାରରେ ଓଡ଼ିଶା ଦେଶରେ ଏକ ନମ୍ବର । ଏ ସରକାରକୁ ହଟାଇବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ ।