ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ କେନ୍ଦ୍ର ମନ୍ତ୍ରୀ

ମୁନିଗୁଡା,୨୮ା୧(ଆପ୍ର): ଓଡିଶାରେ ଦୀର୍ଘ ୧୯ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ସାଢେ ୪କୋଟି ଲୋକଙ୍କୁ ଶାସନ କରୁଛି । ହେଲେ ଆଜିପର୍ଯ୍ୟନ୍ତ ଲୋକଙ୍କୁ ଏହି ଦଳ ଦେଇଛି କ’ଣ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ମୁନିଗୁଡାଠାରେ ଆୟୋଜିତ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମର ବିଶାଳ ସମାବେଶକୁ ଉଦ୍ବୋଧନ ଦେଇ ଏଭଳି କହିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରଧାନ ।
ଆଜି ମୁନିଗୁଡାଠାରେ ବିଜେପି ପକ୍ଷରୁ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ । ପାଗ ପ୍ରତିକୂଳ ସତ୍ତେ୍ୱ ସେ ପହଞ୍ଚିଥିଲେ । ନିର୍ଦ୍ଧାରିତ ସମୟର ୨ ଘଣ୍ଟା ବିଳମ୍ବରେ ସ୍ଥାନୀୟ ସିଆରପିଏଫ୍ ମୁଖ୍ୟ କାର୍ଯ୍ୟାଳୟ ହେଲିପେଡ୍ରେ ଓହ୍ଲାଇଥିଲେ । ଜିଲ୍ଲା ବିଜେପି ସଭାପତି ଶିବଶଙ୍କର ଉଲ୍ଲାକା, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହୋରାଙ୍କ ମିଳିତ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରାଯାଇଥିଲା । ଦଳୀୟ କର୍ମୀମାନେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ନେଇ ଏକ ରୋଡ ଶୋ କରିଥିଲେ । ମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ଅଣାଯିବା ବାଟରେ ତାରାତାରିଣୀ ପେଟ୍ରୋଲ ପମ୍ପ, ପ୍ରେସ କ୍ଲବ, ବଜରଙ୍ଗଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଶୁଣ୍ଡିସାହି ମହିଳା ସଂଘ, ଭାରତୀୟ ଯୁବମୋର୍ଚ୍ଚା ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ପରେ ମୁନିଗୁଡା ଠାରେ ଆୟୋଜିତ ସମାବେଶରେ ସେ ଉଦ୍ବୋଧନ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ ବିଷମକଟକ ନିର୍ବାଚନ ମଣ୍ଡଳୀର ଗାଁଗୁଡିକ ପାଇଁ ରାଜ୍ୟସରକାର କିଛି କରିନାହାନ୍ତି । ଅଞ୍ଚଳର ଶିକ୍ଷକଙ୍କୁ ଦରମା ମିଳୁନି । ଘରେ ଘରେ ପାଇପପାଣିର ସୁବିଧା କରାଯାଇନି । ଚାଷୀ ଧାନ ଅମଳ ପରେ ପରେ ମଧ୍ୟ ଧାର୍ଯ୍ୟ ଅର୍ଥ ପାଇପାରୁନି । ୫୦ପ୍ରତିଶତ ଗାଁରେ ପାଇଖାନା ନାହିଁ । ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଏହି ଜିଲ୍ଲାରେ ୨ଲକ୍ଷ ଲୋକଙ୍କ ପାଇଖାନା ପାଇଁ କେନ୍ଦ୍ର ଟଙ୍କା ଦେଇଥିଲା । କିନ୍ତୁ ନା ପାଇଖାନା ତିଆରି ହେଲା ନା ଟଙ୍କା ରହିଲା । ଟଙ୍କାଗୁଡିକୁ ଅନ୍ୟବାଟରେ ନବୀନ ସରକାର ଖର୍ଚ୍ଚ କରିଦେଇଥିବା ସେ ଅଭିଯୋଗ କରିଥିଲେ । କାଳିଆ ଯୋଜନା ପାଇଁ ୧ଲକ୍ଷ କୋଟି ଟଙ୍କା ରାଜ୍ୟ ସରକାର ଋଣ କଲେଣି । ଦୁର୍ନୀତିକୁ ଛୁପାଇବା ପାଇଁ ଅନ୍ତରାଷ୍ଟ୍ରୀୟସ୍ତରରେ ହକି ଖେଳର ଆୟୋଜନ କରାଗଲା । ବାହାର ଅଭିନେତାଙ୍କୁ କୋଟି କୋଟି ଟଙ୍କା ଦିଆଗଲା । ହେଲେ ସ୍ଥାନୀୟ ଶିକ୍ଷକଙ୍କୁ ଦରମା ଦିଆଗଲାନି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିବା ସହ ସରକାର ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା, ରବରବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଶିଶିର ଗମାଙ୍ଗ, ରାମଚନ୍ଦ୍ର ମୁଟିକା, ସୁକାନ୍ତ ସେଠୀ, ବାଦଲ ରଣା, ରାମକୃଷ୍ଣ ପଣ୍ଡା, ଭୀମ ବେହେରା, ଭୋଳାନାଥ ଦୁବେ, ରମେଶ ଗୌଡ, ରମେଶ କନ୍ଧପାଣି, ପଞ୍ଚାନନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରତିକୂଳ ପାଗ ସତ୍ତେ୍ୱ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ପୁରୁଷ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଥିଲା ।