ମହିଳାଙ୍କୁ ସମ୍ମାନ ନବୀନଙ୍କ କେବଳ ଏକ ନାରା: ଧର୍ମେନ୍ଦ୍ର

ଭୁବନେଶ୍ୱର , ୮ । ୨ ( ବ୍ୟୁରୋ ) : ମହିଳାଙ୍କୁ ସମ୍ମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେବଳ ଏକ ନାରା ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି/ଏସ୍ଟି) ମହିଳାଙ୍କ ସମ୍ପର୍କରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ରଖିଥିବା ଲିଖିତ ଉତ୍ତରର ପ୍ରତିକ୍ରିୟାରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଗୃହରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଉତ୍ତର ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଭୀର ଚିନ୍ତା ଓ କ୍ଷୋଭର ବିଷୟ । ଆମର ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ରାଜ୍ୟର ଗରିବୀ ଓ ସାମାଜିକ ପଛୁଆ ବର୍ଗରେ ଆଗରେ ଅଛନ୍ତି । ସେମାନେ ଯେ ରାଜ୍ୟରେ ଅପମାନିତ ଓ ଅବହେଳିତ ତାହା ସରକାରୀ ଲିଖିତ ଉତ୍ତର ହିଁ ପ୍ରମାଣ କରୁଛି । ଧର୍ମେନ୍ଦ୍ର କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିଜେ ତାଙ୍କ ଉତ୍ତରରେ କହିଛନ୍ତି, ୨୦୧୭ ଏବଂ ୧୮ ମସିହାରେ ୪୪୫ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନାବାଳିକା, ବାଳିକା ଓ ମହିଳା ବଳାତ୍କାର ଶିକାର ହୋଇଛନ୍ତି । ୨୦୧୪ରୁ ରାଜ୍ୟ ସରକାରଙ୍କ ଆବାସିକ ବିଦ୍ୟାଳୟଗୁଡ଼ିକର ଛାତ୍ରୀନିବାସରେ ୧୨ ଜଣ ଗର୍ଭଧାରଣ କରିଥିବା ବେଳେ ୪ଜଣ ସନ୍ତାନ ଜନ୍ମ କରିଥିବା ଘଟଣାକୁ ମଧ୍ୟ ରାଜ୍ୟ ସରକାର ଗୃହରେ ସ୍ୱୀକାର କରିଛନ୍ତି । ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ନିର୍ଯାତନା ଓ ବଳାତ୍କାର ଶିକାର ହୋଇଥିବା ନାବାଳିକା, ବାଳିକା ଓ ମହିଳାମାନଙ୍କ ତଥ୍ୟ ନିଜେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଦାଦନ ଖଟିବାକୁ ଯାଉଥିବା ପରିବାରଗୁଡ଼ିକରେ ମା’, ଭଉଣୀଙ୍କ ସହ ଘଟୁଥିବା ଅନେକ ଅଘଟଣର ଖବର ବାହାରୁଛି । ମାତ୍ର ରୋଜଗାର ଅନ୍ୱେଷଣରେ ଯାଉଥିବା ଏହି ଓଡ଼ିଆ ପରିବାରଗୁଡ଼ିକ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା ଦୁଃଖ ଓ ପରିତାପର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) କିଛି ଦିନ ତଳେ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ମଧ୍ୟ ଚିନ୍ତା ବଢ଼ାଇଛି । ଏହି ରିପୋର୍ଟରେ ରାଜ୍ୟରେ ଚାଲୁଥିବା ଛୋଟ ପିଲାମାନେ ରହୁଥିବା ସୁଧାର ଗୃହ (ସେଲଟର୍ ହୋମ୍)ଗୁଡ଼ିକରେ ଶିଶୁଙ୍କୁ ନିର୍ଯାତନା, ବେଆଇନ ଧର୍ମାନ୍ତରୀକରଣ ଆଇନକାନୁନର ଖୋଲା ଉଲ୍ଲଂଘନ କରାଯାଉଥିବା କଥା ଉଲ୍ଲେଖ କରାଯାଇଛି । ଶିଶୁମାନଙ୍କ ଅଧିକାର ଓ ଆଇନର ରକ୍ଷା କରିବାର ଦାୟିତ୍ୱ ନେଇଥିବା ରାଜ୍ୟ ସରକାର ବେନିୟମ କାମ ପାଇଁ ଆଖି ବୁଜିଦେବା ଓ ଶାସକ ଦଳର ନେତା ଏହି ସେଲ୍ଟର୍ ହୋମ୍ଗୁଡ଼ିକୁ ପ୍ରୋତ୍ସାହନ ଦେବା ଅଭିଯୋଗ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।