ଭୁବନେଶ୍ୱର, ୧୮/୧୨ : ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲା। ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସତ୍ୟ ପ୍ରକାଶକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ବାଡ୍। ତା’ର ଅନ୍ୟ ୨ ସହଯୋଗୀ ବି ଫେରାର୍ ଅଛନ୍ତି। ଖୁବଶୀଘ୍ର ପୁଲିସ ସେମାନଙ୍କୁ ଗିରଫ କରିବ। ଏନେଇ ପୁଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ସେପଟେ ମୁଖ୍ୟ ଅଭିଯୁକ୍ତ ହାପିକୁ ଧରି ପୁଲିସ ଦୟା ନଦୀ ପଠାରେ ସିନ୍ ରିକ୍ରିଏସନ୍ କରିଛି। ଅଭିଯୁକ୍ତ ଗଣଦୁଷ୍କର୍ମ ଘଟଣାର ଡେମୋ ଦେଖାଇଛି।
ସୂଚନା ଅନୁଯାୟୀ, ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍ ପୁଲିସର ମୁଣ୍ଡ ବ୍ୟଥା ବଢ଼ାଇଛି । ଘଟଣାକୁ ସପ୍ତାହେ ବିତିବା ସତ୍ତ୍ଵେ ଏଯାଏ ସବୁ ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି। ମାମଲା ରେଡ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୁଲିସ ସହ କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ଓରଫ ହାପିକୁ ପୁଲିସ ଗଞ୍ଜାମରୁ ଉଠାଇ ଆଣିଛି। ଖୁବଶୀଘ୍ର ତା’ର ଅନ୍ୟ ୨ ସହଯୋଗୀ ଧରାପଡ଼ିବେ।
୨ ଦିନ ଯାଏଁ ଛାତି ଫୁଲାଇ ବୁଲୁଥିଲା ଦୁଷ୍କର୍ମୀ
ସୂଚନା ଥାଉକି, ଗଣଦୁଷ୍କର୍ମ ଘଟଣା ପରେ ହାପି କେଉଁଆଡ଼େ ଫେରାର୍ ହୋଇନଥିଲା । ପୁଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣି ୨ ଦିନ ଧରି ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ଛାତି ଫୁଲାଇ ଘୁରି ବୁଲୁଥିଲା । ଘଟଣା ପରଦିନ ଅପରାହ୍ଣରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍ପିଟ୍ କରିଥିଲା । ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା । ୧୨ ତାରିଖ ରାତିରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳେ ପୀଡି଼ତାର ମା’ ଥାନାକୁ ଆସି ଆଉ ଥରେ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ । ନିଜ ଥାନା ଅଞ୍ଚଳରେ ଏତେ ବଡ଼ କାଣ୍ଡ ଘଟିଯାଇଥିଲେ ହେଁ ତତ୍କାଳୀନ ଥାନା ଅଧିକାରୀ ଚେତି ନଥିଲେ । ହାପିକୁ ଧରିବାକୁ ଥରୁଟିଏ ବି ଚେଷ୍ଟା କରି ନଥିଲେ । ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୁଲିସ ହାପିର ୨ଜଣ ସହଯୋଗୀ(ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର)ଙ୍କୁ କାବୁ କରିଥିଲା । ଏହି ଖବର ଶୁଣିବା ପରେ ହାପି ରାତାରାତି କୁଆଡ଼େ ଅର୍ନ୍ତଧ୍ୟାନ ହୋଇଯାଇଥିଲା।
ରିପୋର୍ଟ ମାଗିଲେ ରାଜ୍ୟ ସରକାର
ରାଜ୍ୟ ସରକାର ଏହି ମାମଲାରେ ପୁଲିସକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । ଏନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପୁଲିସ କମିଶନର ଆଦେଶିତ ହୋଇଛନ୍ତି । ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମଧ୍ୟ ଭୁବନେଶ୍ୱର ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ।
ଧଉଳି ଥାନାରେ ମହିଳା ପୁଲିସ ଅଭାବ
ବିଶ୍ୱପ୍ରସିଦ୍ଧ ଶାନ୍ତିସ୍ତୂପ ଧଉଳିକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଅଣଓଡ଼ିଆ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ । କିନ୍ତୁ ଏହି ଅନ୍ତର୍ଜତୀୟ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଥିବା ଧଉଳି ଥାନାରେ ଦୀର୍ଘଦିନ ଧରି ମହିଳା ପୁଲିସର ଘୋର ଅଭାବ ଲାଗି ରହିଛି । ଥାନାରେ ଜଣେ ବି ମହିଳା ଅଧିକାରୀ ନାହାନ୍ତି । ଜାନ୍ଭୀ ଟାଣ୍ଡି ନାମକ ଜଣେ ମହିଳା ସବ୍ଇନ୍ସପେକ୍ଟରଙ୍କୁ ଜୁନ୍ ମାସରୁ ଥାନାରୁ ବଦଳି କରାଯାଇଛି । ଅନ୍ୟ ଜଣେ ସବ୍ଇନ୍ସପେକ୍ଟର ମାସକ ପାଇଁ ଟ୍ରେନିଂରେ ଆସି ପଳାଇଲେ । ଏବେ ଥାନାରେ ମାତ୍ର ୨ଜଣ ମହିଳା କନଷ୍ଟେବଳ ଓ ଜଣେ ଓଏପିଏଫ୍ ବାଟାଲିଅନର ଯବାନ ଅଛନ୍ତି । ୩ଜଣ ମହିଳା ହୋମଗାର୍ଡଙ୍କୁ ଥାନାରେ ନିୟୋଜିତ କରାଯାଇଛି । ମହିଳା ପର୍ଯ୍ୟଟକଙ୍କ କ୍ଷେତ୍ରରେ କୌଣସି ଅସୁବିଧା କିମ୍ବା ଅପରାଧ ଘଟିଲେ, ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ ଜଣେ ବି ମହିଳା ଅଧିକାରୀ ନାହାନ୍ତି । କେହି ମହିଳା ଅସଦାଚରଣ କିମ୍ବା ନିର୍ଯାତନାର ଶିକାର ହେଲେ, ପ୍ରାଥମିକ ସ୍ତରରେ ତାଙ୍କୁ ଥାନାରେ ପଚରାଉଚରା କରିବା ବେଳେ ପୁରୁଷ ପୁଲିସ ଅଧିକାରୀଙ୍କୁ ଅକଳରେ ପକାଉଛି।