ପୋଲ ତଳକୁ ଖସିଲା ନୀଳମାଧବ ବସ୍, ୨ ମୃତ ୩୦ରୁ ଉର୍ଦ୍ଧ୍ଵ ଗୁରୁତର

ଢେଙ୍କାନାଳ, ୨୩/୦୧ : ପୋଲ ତଳକୁ ଖସିଲା ନୀଳମାଧବ ବସ୍। ରବିବାର ରାତି ୩ଟାରେ ଢେଙ୍କାନାଳ ସଦର ଥାନା ପଞ୍ଚବଟୀ ନିକଟରେ ଭାରସାମ୍ୟ ହରାଇ ବସ୍ଟି ପୋଲ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଗୁରୁତର ହୋଇଛନ୍ତି। ମୃତାହତମାନେ କେନ୍ଦ୍ରାପଡା ଇଚ୍ଛାପୁର ଅଞ୍ଚଳରୁ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ସହରର ୪୬ ଜଣ ଯାତ୍ରୀ ନୀଳମାଧବ ନାମକ ଏକ ବସରେ ପିକନିକ୍ ଯାଇଥିଲେ। ବଲାଙ୍ଗିର ହରିଶଙ୍କର ଓ ସମ୍ବଲପୁର ଆଦି ବୁଲି ଗତକାଲି ରାତିରେ ଫେରୁଥିଲେ । ହେଲେ ରାତି ପ୍ରାୟ ୩ଟା ବେଳେ ଢେଙ୍କାନାଳ ସଦର ଥାନା ନିକଟ ପଞ୍ଚବଟୀ ନିକଟରେ ୫୫ ନଂ ଜାତୀୟ ରାଜପଥର କାମ ଚାଲୁଥିବାରୁ ଡ୍ରାଇଭର ଜାଣି ନପାରି କେନାଲକୁ ଗାଡି ଗଡାଇ ଦେଇଥିଲେ । କେନାଲର ନିର୍ମାଣାଧିନ ବ୍ରିଜ ପିଲାରରେ ବସଟି ପିଟି ହୋଇ ସମ୍ମୁଖ ଭାଗ ଚୁରମାର୍ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ, ଅଗ୍ନିଶମ, ପୁଲିସ ପହଞ୍ଚି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣାରେ ରେଣୁବାଳା ଜେନା ଓ ବିଜୟ ଲକ୍ଷ୍ମୀ ସ୍ଵାଇଁ ନାମକ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
