ମୁମ୍ବାଇ, ୨୩।୪: ଭାରତୀୟ ସିନେମା ଜଗତରେ ସିକ୍ୟୁଏଲ୍ ଏବଂ ରିମେକର ଚଳଣି ପୁରୁଣା । କିନ୍ତୁ ବର୍ତ୍ତମାନ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଆଦିତ୍ୟ ଧର କିଛି ଏପରି କରିବାକୁ ଯାଉଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା । ନିଜର ବହୁ ପ୍ରତିକ୍ଷିତ ତଥା ସଫଳ ଚଳଚ୍ଚିତ୍ର ‘ଧୁରନ୍ଧର’ର ଅଭୂତପୂର୍ବ ସଫଳତା ପରେ, ଆଦିତ୍ୟ ଏବେ ଦର୍ଶକଙ୍କ ପାଇଁ ଏକ ନିଆରା ସରପ୍ରାଇଜ୍ ପ୍ରସ୍ତୁତ କରିଛନ୍ତି । ଚଳଚ୍ଚିତ୍ରଟିର ସୁଟିଂ ସମୟର ‘ପରଦା ପଛର କାହାଣୀ’ ବା ବିହାଇଣ୍ଡ-ଦି-ସିନ୍ସ (BTS)କୁ ଏକ ସମ୍ପୂର୍ଣ୍ଣ ଫିଚର ଫିଲ୍ମ ଭାବେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଉଛି ।

ସିନେମା ହଲରେ ଦେଖିବେ ‘ମେକିଂ ଅଫ୍ ଧୁରନ୍ଧର’:

ସାଧାରଣତଃ କୌଣସି ଚଳଚ୍ଚିତ୍ରର ମେକିଂ ଭିଡିଓ କିମ୍ବା ବିଟିଏସ୍ ଫୁଟେଜ୍ ୟୁଟ୍ୟୁବ୍ କିମ୍ବା ସୋସିଆଲ ମିଡିଆରେ କ୍ଷୁଦ୍ର କ୍ଲିପ୍ ଆକାରରେ ଦେଖିବାକୁ ମିଳେ । ମାତ୍ର ଆଦିତ୍ୟ ଧର ଏହାକୁ ଏକ ବ୍ୟବସାୟିକ ରୂପ ଦେବାକୁ ଚାହୁଁଛନ୍ତି । ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ସୁଟିଂ ସମୟର ଶହ ଶହ ଘଣ୍ଟାର ଫୁଟେଜ୍ ଏବଂ କଳାକାରମାନଙ୍କର ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ଦୁଇ ଘଣ୍ଟାରୁ ଅଧିକ ସମୟର ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବାକୁ ପାଇବେ କିପରି ସୃଷ୍ଟି ହେଲା ‘ଧୁରନ୍ଧର’ର ସାମ୍ରାଜ୍ୟ । ୨୦୨୬ ଶେଷ ସୁଦ୍ଧା ଏହାକୁ ପ୍ରେକ୍ଷାଳୟରେ ରିଲିଜ୍ କରିବାକୁ ପ୍ରସ୍ତୁତି ଚାଲିଛି ।

ରାଜାମୌଲିଙ୍କ ପଥ ଅନୁସରଣରେ ଆଦିତ୍ୟ:

ଯେପରି ଏସ୍.ଏସ୍. ରାଜାମୌଲି ‘ବାହୁବଲୀ’ର ୧୦ମ ବର୍ଷ ପୂର୍ତ୍ତି ଅବସରରେ ଦୁଇଟି ଭାଗକୁ ମିଶାଇ ଏକ ନୂଆ ଏକ୍ସପେରିଏନ୍ସ ଦର୍ଶାଇଥିଲେ, ଆଦିତ୍ୟ ଧର ମଧ୍ୟ ସେହିଭଳି ଏକ ‘ସିନେମାଟିକ୍ ଗିଫ୍ଟ’ ପ୍ରଶଂସକଙ୍କୁ ଦେବାକୁ ଯାଉଛନ୍ତି । ଏହି ପଦକ୍ଷେପ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଚଳଚ୍ଚିତ୍ରଟି ଏତେ ବଡ଼ ସଫଳତା ପାଇଥିଲେ ମଧ୍ୟ ମୁଖ୍ୟ ଅଭିନେତା ରଣବୀର ସିଂ ଏବଂ ଅର୍ଜୁନ ରାମପାଲ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଏଡ଼ାଇ ଚାଲିଛନ୍ତି । ଏହା ପଛରେ ଏକ ବଡ଼ ରଣନୀତି ରହିଛି । ନିର୍ଦ୍ଦେଶକ ଚାହୁଁଛନ୍ତି ଯେ, କଳାକାରମାନଙ୍କର ପ୍ରଥମ ପ୍ରତିକ୍ରିୟା ଏବଂ ଅନୁଭୂତି ସିଧାସଳଖ ଥିଏଟରରେ ରିଲିଜ୍ ହେବାକୁ ଥିବା ଏହି ବିଟିଏସ୍ ଫିଲ୍ମ ଜରିଆରେ ହିଁ ଦର୍ଶକଙ୍କ ପାଖକୁ ଯାଉ । କୌଣସି ଫୁଟେଜ୍ ଯେପରି ଅନଲାଇନରେ ଲିକ୍ ନ ହେବ, ସେଥିପାଇଁ ଟିମ୍ ପକ୍ଷରୁ କଡ଼ା ନଜର ରଖାଯାଇଛି ।

କ୍ୟାମେରା ପଛର ନାୟକଙ୍କୁ ମିଳିବ ସମ୍ମାନ:

ଆଦିତ୍ୟ ଧର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିରନ୍ତର ଭାବେ ତାଙ୍କ ଟେକ୍ନିକାଲ ଟିମ୍‌କୁ ଧନ୍ୟବାଦ ଜଣାଉଛନ୍ତି । ସିନେମାଟୋଗ୍ରାଫର, ଆକ୍ସନ ଟିମ୍, କୋରିଓଗ୍ରାଫର ଏବଂ ସେଟ୍ ଡିଜାଇନର୍‌ମାନଙ୍କ କଠିନ ପରିଶ୍ରମକୁ ସେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଆଦିତ୍ୟଙ୍କ ମତରେ, "କ୍ୟାମେରା ଆଗରେ ଥିବା କଳାକାରଙ୍କୁ ତ ସମସ୍ତେ ଦେଖନ୍ତି, କିନ୍ତୁ ଯେଉଁମାନେ ଦିନରାତି ଏକ କରି ସିନେମାକୁ ଜୀବନ୍ତ କରନ୍ତି, ସେମାନଙ୍କର ସଂଘର୍ଷ ବଡ଼ ପରଦାରେ ଦେଖାଯିବା ଉଚିତ୍ ।" ଯଦି ଏହି ବିଟିଏସ୍ ଫିଲ୍ମ ବକ୍ସ ଅଫିସରେ ସଫଳ ହୁଏ, ତେବେ ଏହା ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଆୟର ଏକ ନୂଆ ଉତ୍ସ ସାଜିବ । ଚଳଚ୍ଚିତ୍ର ନିର୍ମାଣର ଜ୍ଞାନକୌଶଳ ଶିଖିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହା ଏକ ପ୍ରେରଣା ହେବ । ସିନେମା ହଲ୍‌ରେ ରିଲିଜ୍ ହେବା ପରେ ଏହା ଓଟିଟି ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ । ବର୍ତ୍ତମାନ କେବଳ ଆଦିତ୍ୟ ଧରଙ୍କ ଅଧିକାରିକ ଘୋଷଣାକୁ ଅପେକ୍ଷା ।

ଆହୁରି ପଢ଼ନ୍ତୁ... ​​​​​​​OTTରେ RRRକୁ ପଛରେ ପକାଇଲା ଧୁରନ୍ଧର-୨