ମୁମ୍ବାଇ ୦୭/୦୭: ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କର ଜୁଲାଇ ୬ରେ ଥିଲା ଜନ୍ମଦିନ । ଏହି ସ୍ୱତନ୍ତ୍ର ଅବସରରେ ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ଧୂରନ୍ଧର’ର ନିର୍ମାତାମାନେ ଫିଲ୍ମର ଟିଜର ଜାରି କରିଛନ୍ତି । ଟିଜରର ଅବଧି ରହିଛି ୨ ମିନିଟ୍‌ ୪୦ ସେକେଣ୍ଡ । ସେଥିରେ ରଣବୀରଙ୍କୁ ବିଲ୍‌କୁଲ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ଲମ୍ବା କେଶ, ଦାଢ଼ିରେ ଖୁବ୍‌ ଭୟାନକ ଲାଗୁଛନ୍ତି ସେ । ଏଥିସହିତ ତାଙ୍କର ଦମ୍‌ଦାର ଆକ୍ସନ୍‌ ବି ଦେଖିବାକୁ ମିଳୁଛି । 

ରଣବୀରଙ୍କ ବ୍ୟତୀତ ଆର୍‌ ମାଧବନ୍‌, ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଓ ଅକ୍ଷୟ ଖାନ୍ନାଙ୍କ ଭଳି ଭେଟେରାନ୍‌ କଳାକାର ଫିଲ୍ମରେ ନଜର ଆସିବେ । ଆଜି ଜାରି ହୋଇଥିବା ଟିଜରରେ ସେମାନଙ୍କ ଝଲକ ମଧ୍ୟ ରହିଛି । ସେପଟେ ପ୍ରଶଂସକମାନେ ଏହି ଟିଜରକୁ ଖୁବ୍‌ ପସନ୍ଦ କରିଛନ୍ତି । ସୋସିଆଲ୍‌ ମିଡିଆରେ ଏହା ଭାଇରାଲ୍‌ ହେଉଛି । ‘ଧୂରନ୍ଧର’ରେ ରଣବୀର ସିଂହ ଜଣେ ଗୁଇନ୍ଦା ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ଦେଶର ସୁରକ୍ଷା ଲାଗି ଯେକୌଣସି ସ୍ତରକୁ ଯାଇପାରନ୍ତି । ରଣବୀରଙ୍କୁ ଏଥିରେ ଅଭିନେତ୍ରୀ ସାରା ଅର୍ଜୁନଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଆଦିତ୍ୟ ଧର ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି । ଡିସେମ୍ବର ୫ରେ ଫିଲ୍ମଟି ଥିଏଟରରେ ମୁକ୍ତିଲାଭ କରିବ । ସେଦିନ ମୁକ୍ତିଲାଭ କରୁଥିବା ପ୍ରଭାସଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦ ରାଜା ସାବ୍‌’ ସହ ଏହାର ଟକ୍କର ହେବ ।