ନୂଆଦିଲ୍ଲୀ : ଡାଇବେଟିସ୍ ବା ମଧୁମେହ କେବଳ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି ପାଇବାର ସମସ୍ୟା ନୁହେଁ ; ଏହା ଆମ ହାର୍ଟର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏକ ଗମ୍ଭୀର ଚେତାବନୀ ସଦୃଶ। ରକ୍ତରେ ଯେତେବେଳେ ଶର୍କରା ସ୍ତର ଦୀର୍ଘ ଦିନ ଯାଏ ଅନିୟନ୍ତ୍ରିତ ରହିଥାଏ, ସେତେବେଳେ ସେମାନେ ହାର୍ଟକୁ କାର୍ଯ୍ୟକ୍ଷମ କରୁଥିବା ସ୍ନାୟୁ ଏବଂ କ୍ଷୁଦ୍ର ରକ୍ତବାହୀ ନଳୀଗୁଡ଼ିକୁ ନୀରବରେ ଦୁର୍ବଳ କରିବାକୁ ଆରମ୍ଭ କରି ଦିଅନ୍ତି। ଏହି କାରଣରୁ ଜଣେ ମଧୁମେହ ରୋଗୀଙ୍କ ହୃଦରୋଗର ଆଶଙ୍କା ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ୨-୪ ଗୁଣ ଅଧିକ ବଢିଯାଏ। ବାସ୍ତବତା ହେଉଛି ହାର୍ଟର (ହୃଦୟ)ସୁରକ୍ଷା ପାଇଁ ଚିନି ବା ସୁଗାରକୁ ନିୟନ୍ତ୍ରଣ କରିବା।
ଏହାସହ ମଧ୍ୟ ପଢନ୍ତୁ : ବଳକା ଭାତକୁ ଆଉଥରେ ଗରମ କରୁଥିଲେ ସାବଧାନ ! ଅଜାଣତରେ ଅନେକ ରୋଗକୁ କିଣି ପାରନ୍ତି
ମ୍ୟାକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ (ଶାଲିମାର ବାଗସ୍ଥିତ )ର ହୃଦରୋଗ ବିଶେଷଜ୍ଞ ଡକ୍ଟର ନବୀନ ଭାମାରୀଙ୍କ ଠାରୁ ଆସନ୍ତୁ ଜାଣିବା ଯେ, ଅନିୟନ୍ତ୍ରିତ ଡାଇବେଟିସ୍ ହାର୍ଟର ସ୍ୱାସ୍ଥ୍ୟ ଉପରେ କେମିତି ଖରାପ ପ୍ରଭାବ ପକାଇ ଥାଏ। ଶର୍କରା ସ୍ତର ବୃଦ୍ଧି ମାତ୍ରା ରକ୍ତ ବାହିକା ଗୁଡ଼ିକର ଭିତର ଆସ୍ତରଣକୁ କ୍ଷତି ପହଞ୍ଚାଇ ଧମନୀଗୁଡ଼ିକ କଠିନ ଏବଂ ସଙ୍କୁଚିତ କରିଥାଏ। ଯେଉଁଥିରେ ହାର୍ଟକୁ ରକ୍ତ ପ୍ରବାହ ହ୍ରାସ ପାଏ ଏବଂ କରୋନାରୀ ଆର୍ଟେରୀ ଡିଜିଜର ବିପଦ ବୃଦ୍ଧି କରେ।
ମଧୁମେହରେ ପ୍ରାୟତଃ LDL (ଖରାପ କୋଲେଷ୍ଟ୍ରଲ) ଏବଂ ଟ୍ରାଇଗ୍ଲିସେରାଇଡ୍ ବଢି ଯାଏ , ଯେତେବେଳେ କି HDL (ଭଲ କୋଲେଷ୍ଟ୍ରଲ) ହ୍ରାସ ପାଇଯାଏ। ଏହା ଧମନୀରେ ପ୍ଲାକ୍ ଜମା କରିଥାଏ ଏବଂ ହୃଦଘାତର ଆଶଙ୍କା ବଢାଇ ଥାଏ। ମଧୁମେହ ସହ ପ୍ରାୟତଃ ଉଚ୍ଚ ରକ୍ତଚାପ ମଧ୍ୟ ହୋଇ ଥାଏ । ଏହା ଏକାଠି ହୃଦୟ ଉପରେ ଅତିରିକ୍ତ ଚାପ ପକାଇଥାଏ , ହୃଦଘାତ ଭଳି ସମସ୍ୟାର ଆଶଙ୍କା ବୃଦ୍ଧି କରିଥାଏ। ମଧୁମେହରେ ସ୍ନାୟୁର କ୍ଷତି ହୋଇଥାଏ, ଯାହା ହୃଦସ୍ପନ୍ଦନ ଏବଂ ରକ୍ତଚାପ ନିୟନ୍ତ୍ରଣକୁ ପ୍ରଭାବିତ କରିପାରେ। ସାଧାରଣ ହୃଦଘାତର ଲକ୍ଷଣଗୁଡ଼ିକ ପ୍ରାୟତଃ ଲୁଚି ଯାଇପାରେ, ଯେଉଁଥିରେ ସ୍ଥିତି ଆହୁରି ବିପଦପୂର୍ଣ୍ଣ ହୋଇଯାଏ। ଦୀର୍ଘ ଦିନ ଯାଏ ବଢୁଥିବା ଉଚ୍ଚ ସୁଗାର ସ୍ତର ଶରୀରରେ ପ୍ରଦାହ(ଇନଫ୍ଲେସନ) ବୃଦ୍ଧି କରାଏ , ଯାହା ହାର୍ଟ ଓ ରକ୍ତବାହୀ ନଳୀକୁ ଆହୁରି କ୍ଷତି କରିଥାଏ।
ମଧୁମେହ ବା ଡାଇବେଟିସ ରୋଗୀଙ୍କ ପାଇଁ ହୃଦରୋଗକୁ ରକ୍ଷା ପାଇବା ପାଇଁ ୭ଟି ଉପାୟ -
ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣରେ ରଖନ୍ତୁ - ପ୍ରତିଦିନ କିମ୍ବା ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କର ସୁଗାରକୁ ଚେକ୍ କରନ୍ତୁ , ବିଶେଷକରି ଫାଷ୍ଟିଂ ଏବଂ ପିପି ( ଖାଇବା ପରେ) HbA1c ସ୍ତର ୭%ରୁ କମ୍ ରଖିବାର ଲକ୍ଷ୍ୟ ରଖନ୍ତୁ। ଏହା ଆପଣଙ୍କ ହାର୍ଟ ଓ ପୂରା ଶରୀରକୁ ସୁରକ୍ଷା ଦେଇଥାଏ।
ଅନ୍ୟାନ୍ୟ ରୋଗ ଏବଂ ବିପଦ କାରଣଗୁଡ଼ିକୁ ନିୟନ୍ତ୍ରଣ କରନ୍ତୁ - ଉଚ୍ଚ ରକ୍ତଚାପ, ହାଇ କାଲେଷ୍ଟ୍ରଲ ଏବଂ ମୋଟାପା ମଧ୍ୟ ହୃଦରୋଗର ଆଶଙ୍କା ବୃଦ୍ଧି କରେ। ଏଗୁଡ଼ିକୁ ଡାଇବେଟିସ ସହ ନିୟନ୍ତ୍ରଣ କରିବା ଖୁବ୍ ଜରୁରୀ।
ହାର୍ଟ ପାଇଁ ସୁସ୍ଥ ଆହାର ଖାଆନ୍ତୁ – ଖାଦ୍ୟରେ ଫଳ, ପନିପରିବା, ଶସ୍ୟ, ଲିନ୍ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି (ଯେପରିକି ବାଦାମ, ମଞ୍ଜି ଏବଂ ମାଛ) ସାମିଲ କରନ୍ତୁ। ଅତ୍ୟଧିକ ଭଜା ଖାଦ୍ୟ, ଟ୍ରାନ୍ସ ଚର୍ବି, ସାଚୁରେଟେଡ୍ ଚର୍ବି ଏବଂ ପ୍ରକ୍ରିୟାକୃତ ଚିନି ପରିହାର କରନ୍ତୁ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୁଣ ଖାଇବାକୁ ସୀମିତ କରନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ -ପ୍ରତିଦିନ ବ୍ୟାୟାମ ରକ୍ତ ଶର୍କରା (ବ୍ଲଡ୍ ସୁଗାର) କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହାର୍ଟକୁ ଶକ୍ତିଶାଳୀ କରେ। ସପ୍ତାହରେ ଅତି କମରେ ୩୦ ମିନିଟ୍ ଦ୍ରୁତ ଗତିରେ ଚାଲିବା, ପହଁରିବା କିମ୍ବା ସାଇକେଲ ଚଲାଇବା ଲାଭଦାୟୀ।
ଭଲ ନିଦ୍ରା ଯିବା –ହାର୍ଟ ଓ ଡାଇବେଟିସ୍ ସ୍ବାସ୍ଥ୍ୟ ପାଇଁ ଭଲ ନିଦ ଜରୁରୀ, ଦୈନିକ ୭-୯ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।
ଚିନ୍ତା ବା ଚାପ କମାନ୍ତୁ, ଧୂମପାନ ଏବଂ ମଦ୍ୟପାନ ଛାଡ଼ନ୍ତୁ - ଅତ୍ୟଧିକ ଚାପ ରକ୍ତ ଶର୍କରା ବୃଦ୍ଧି କରିପାରେ, ଏବଂ ଧୂମପାନ ଓ ମଦ୍ୟପାନ ହାର୍ଟ ପାଇଁ ବହୁତ କ୍ଷତିକାରକ। ହାର୍ଟ ପାଇଁ ଧ୍ୟାନ, ଯୋଗ ଏବଂ ଡିପ୍ ବ୍ରେଦିଂର ଅଭ୍ୟାସ କରନ୍ତୁ। ଧୂମପାନ ତ୍ୟାଗ କରିବା ଆପଣଙ୍କ ହାର୍ଟ ପାଇଁ ସର୍ବୋତ୍ତମ ନିଷ୍ପତ୍ତି। ଆପଣଙ୍କ ମଦ୍ୟପାନ ସେବନକୁ ସୀମିତ କରନ୍ତୁ।
ନିୟମିତ ମଧୁମେହ ଏବଂ ହୃଦଘାତ ଯାଞ୍ଚ କରାନ୍ତୁ- ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ଯାଞ୍ଚ କରିବା ଗୁରୁତ୍ବପୂର୍ଣ୍ଣ। ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦସ୍ପନ୍ଦନ ପରୀକ୍ଷା ସମସ୍ୟାଗୁଡ଼ିକୁ ପ୍ରାରମ୍ଭିକ ଭାବରେ ଚିହ୍ନଟ କରିବାରେ ସାହାଯ୍ୟ କରିବ। ପରାମର୍ଶ ଡାକ୍ତର ନବୀନ ଭାମାରୀ କୁହନ୍ତି ଯଦି ମଧୁମେହ ନିୟନ୍ତ୍ରଣରେ ନ ଥାଏ କିମ୍ବା ଛାତି ଯନ୍ତ୍ରଣା, ଶ୍ବାସକ୍ରିୟା କଷ୍ଟ, ଛାତିରେ ଭାରୀପଣ, କିମ୍ବା ବାହୁ, କିମ୍ବା ବେକରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।