ବ୍ରହ୍ମପୁର,୨୩/୮ : ଗୁଳି କରି ବ୍ୟବସାୟୀଙ୍କ ହୀରା ଲୁଟ୍ ଘଟଣାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ବଜାର ପୁଲିସ । ପିସ୍ତଲ ସହ ଗୁଳି ଜବତ । ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ପୁରୀ ନିକଟରେ ଲୁଚି ରହିଥିବାବେଳେ ପୁଲିସ ୪ଜଣଙ୍କୁ ଧରିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ଅଗଷ୍ଟ ୫ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ଲାଇନରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ହୋଇଥିଲା। ଏହି ଘଟଣାରେ ପୁଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଭୁବନେଶ୍ବରର ୩ଜଣ ଓ ଜଣେ ବ୍ରହ୍ମପୁରର ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ଗୋଟିଏ ପିସ୍ତଲ, ବୁଲେଟ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।
୩.୯ଲକ୍ଷ ଟଙ୍କାର ହୀରା ପାଇଥିବା ପୁଲିସ ସୂଚନା ଦେଇଛି । ପୂର୍ବରୁ ହୀରା ବିକ୍ରି କରିବାକୁ ମଧ୍ୟସ୍ଥି ଭୂମିକା ତୁଲାଇଥିବା ମଳୟ ଉପାଧ୍ୟାୟ, ଖଣ୍ଡଗିରି ଅଂଚଳର ସରୋଜ କୁମାର ମହାନ୍ତି, ଶେଖ୍ ରାଜୁ, ସାହିଲ ଖାନ୍ ପ୍ରମୁଖ ୪ ଜଣଙ୍କୁ ଗତ ୧୨ତାରିଖରେ ଗିରଫ କରିଥିଲା ପୁଲିସ। ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ସେମାନଙ୍କୁ ପୁଲିସ ରାଜ୍ୟ ବାହାରୁ ଗିରଫ କରିଥିଲା। ଏହି ମାମଲାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆହୁରି ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।