ଦିଗପହଣ୍ଡି ୭।୭(ଆପ୍ର) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ପଂଚାୟତ ଅନ୍ତର୍ଗତ ଓସ୍ତପଲ୍ଲୀ ଗ୍ରାମରେ ଝାଡାବାନ୍ତିର ପ୍ରକୋପ ଅଣାୟତ ଅବସ୍ଥାରେ ପହଞ୍ଚିଛି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରୁ ଏବେ ୧୫ରେ ପହଞ୍ଚିଲାଣି।
ଗତ ୪ ଦିନ ତଳେ ବୃଦ୍ଧ ଦାସ ଶବରଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ରାତିରେ ପ୍ରକାଶ ରଇତ (୩୩) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି। ପାଟପୁର ପୁଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ପ୍ରକାଶଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲ ପଠେଇଛନ୍ତି। ଆକ୍ରାନ୍ତମାନେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।
ପ୍ରକୋପକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ମନ୍ବିତ ପ୍ରୟାସ ଜାରି ରଖିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ନାଏକ, ବ୍ରହ୍ଣପୁର ଉପଜିଲ୍ଲାପାଳ ଧୀନ ଦସ୍ତାଗିରି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ଡିପିଏମ ବୁଲୁନାଥ ସାହା, ଦିଗପହଣ୍ଡି ବିଡ଼ିଓ, ତହସିଲଦାର, ଗ୍ରାମ୍ୟ ଜଳ ଓ ପରିମେଳ ବିଭାଗ ନିର୍ବାହୀ ଯନ୍ତ୍ରୀ, ଦିଗପହଣ୍ଡି ସିଡିପିଓ ପ୍ରମୁଖ ପ୍ରଭାବିତ ଗ୍ରାମକୁ ଯାଇ ପରିସ୍ଥିତି ଉପରେ ଅନୁଧ୍ୟାନ କରିବା ସହ ଘାଟଣା ସମ୍ପର୍କରେ ଗାଁ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି। ମୃତକଙ୍କ ପରିବାରକୁ ରେଡ଼କ୍ରସ ପକ୍ଷରୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।