ଭୁବନେଶ୍ୱର,୧୮/୧୦: ନୟାପଲ୍ଳୀ ଥାନା ଅଞ୍ଚଳରେ ଅସାମାଜିକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଟ୍ରାଫିକ୍‌ ପୋଷ୍ଟରେ ସାମାନ୍ୟ କଥାକୁ ନେଇ ଜଣେ କୋଷ୍ଟଗାର୍ଡ ଡିଜିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ଦୁଇ ଅସାମାଜିକ ଯୁବକ । ଖାଲି ସେତିକି ନୁହେଁ, ଲୁଟ୍‌ ଉଦ୍ୟମ ମଧ୍ୟ କରିଥିବା କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାଶ ନୟାପଲ୍ଳୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଡିଆଇଜି ଶ୍ରୀ ଦାଶ ପତ୍ନୀଙ୍କ ସହ କାର୍‌ରେ ରାଜଭବନ ନିକଟରୁ ବାହାରି ଶାସ୍ତ୍ରୀନଗର ଓ ବେହେରା ସାହି (କଳିଙ୍ଗ ଷ୍ଟାଡିୟମ୍‌) ଟ୍ରାଫିକ୍‌ ଦେଇ ନିକୋ ପାର୍କ ଆଡକୁ ଯାଉଥିଲେ । ବେହେରା ସାହି  ନିକଟରେ ୟୁ-ଟର୍ଣ୍ଣ ମାରିବା ସମୟରେ ହଠାତ୍‌  ତାଙ୍କ କାର୍‌ ଆଗକୁ ଚାଲି ଆସିଥିଲେ ଦୁଇ ଜଣ  ଅସାମାଜିକ ଯୁବକ । ପ୍ରଚୁର ମଦ୍ୟପାନ କରିଥିଲେ । ଶ୍ରୀ ଦାଶ ହର୍ଣ୍ଣ ମାରିଥିଲେ । ଏଥିରେ ଦୁଇ ଯୁବକଙ୍କ ରାଗି ଯାଇ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଶ୍ରୀ ଦାସ ପୁଣି ହର୍ଣ୍ଣ ମାରିଥିଲେ । ମାତ୍ର ଏହି ଦୁଇ ବାଇକ ଆରୋହୀ କାର୍‌ ସାମନାରୁ ହଟିନଥିଲେ । ବାଇକ ପଛରେ ବସିଥିବା ଯୁବକ ଜଣଙ୍କ ତାଙ୍କ କାର୍‌କୁ  ଗୋଇଠା ମାରିଥିଲେ । ତା’ପରେ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ । ଶ୍ରୀ ଦାଶ କାରରୁ ଓହ୍ଲାଇ ଆସିବାରୁ  ସେମାନେ ତାଙ୍କୁ ଆକ୍ରମଣ କରିବା ସହ ଲୁଟ୍‌ ଉଦ୍ୟମ କହିଥିଲେ । ନିଜକୁ ଲୋକାଲ୍‌ ଦାଦା ବୋଲି କହି ଟ୍ରାଫିକ୍‌ ପୋଷ୍ଟରେ ଆତଙ୍କ ଖେଳାଇଥିଲେ । 

ଏହି ଦୁଇ ଯୁବକଙ୍କ ଆତଙ୍କରାଜ ଦେଖୁଥିଲେ ଟ୍ରାଫିକ୍‌ ପୋଷ୍ଟରେ ଥିବା ପୁଲିସ୍‌ କର୍ମଚାରୀ । ଦୁଇ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଶ୍ରୀ ଦାଶ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରିଥିଲେ । ପିସିଆର ଭ୍ୟାନ୍‌ ଆସିବା ପର୍ଯ୍ୟନ୍ତ ସେମାନେ ଉପସ୍ଥିତ ଥିଲେ । ପୋଲିସ୍‌ ପହଞ୍ଚି ସେମାନଙ୍କୁ ଧରି ଥାନାକୁ ନେଇଥିଲା । ଦୁଇ ଯୁବକଙ୍କ ଏଭଳି  ଅସାମାଜିକ କାଣ୍ଡ ପାଇଁ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ନାହିଁ ନଥିବା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା । ଡିଆଇଜି ଶ୍ରୀ ମିଶ୍ର ଥାନାରେ ଦୁଇ ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି । ଡିସିପି ପିନାକ ମିଶ୍ର କହିଛନ୍ତି, ଦୁଇ ଯୁବକ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆଇନ୍‌ ଅନୁସାରେ ଉଭୟରେ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।