ନୂଆଦିଲ୍ଲୀ, ୧୩/୦୧ : ଦିଲ୍ଲୀର ଏନଆରଆଇ ଦମ୍ପତିଙ୍କୁ ଡିଜିଟାଲ୍ ଆରେଷ୍ଟ। ଲୁଟିନେଲେ ଜୀବନଯାକର ଜମାପୁଞ୍ଜି। ବ୍ୟାଙ୍କ ଆକାଉଣ୍ଟରୁ ଖାଲି କରିଦେଲେ ୧୪ କୋଟି ଟଙ୍କା। ଏହି ଖବର ନୂଆ ନୁହେଁ। ପ୍ରତିଦିନ ଆସୁଛି ଏଭଳି ଅନେକ ଖବର। ସାଇବର୍ ଠକଙ୍କୁ ନେଇ ସାରା ଦେଶରେ ହେଉଛି ସଚେତନତା କାର୍ଯ୍ୟକ୍ରମ। କଲର ଟ୍ୟୁନ୍ ହେଉକି, ବ୍ୟାଙ୍କ୍ ମେସେଜ୍ କିମ୍ଵା ମନ୍ କି ବାତ୍ କାର୍ଯ୍ୟକ୍ରମ ସବୁଠି ଦିଆଯାଉଛି ଟିପ୍ସ। ତଥାପି କାହିଁକି ଫସୁଛନ୍ତି ଶିକ୍ଷିତ ଲୋକ ? ସବୁ ଜାଣି ବି କେମିତି ହେଉଛନ୍ତି ଠକେଇର ଶିକାର। ଡିଜିଟାଲ୍ ଆରେଷ୍ଟର ଦୁର୍ବଳତା କ'ଣ ? କ'ଣ ରହିଛି ଟର୍ଣ୍ଣିଂ ପଏଣ୍ଟ ?

ଡିଜିଟାଲ୍ ଆରେଷ୍ଟ... ଏହି ଶବ୍ଦ ଲୋକମାନେ ଭଲ ଭାବେ ଜାଣନ୍ତି ଏବଂ ବୁଝନ୍ତି। ଏସବୁ ସତ୍ତ୍ଵେ ଠକମାନେ ଏଭଳି ଜାଲ ବୁଣନ୍ତି ଭିକ୍ଟିମ୍ ସହଜରେ ଫସିଯାଆନ୍ତି। କ'ଣ ସତରେ ପାର୍ସଲ, ଡ୍ରଗ୍ସ, ସିମ କାର୍ଡ ଭଳି କୌଣସି କାମରେ ତାଙ୍କର ସଂପୃକ୍ତି ଅଛି କି, ବୋଲି ଭାବିବାକୁ ବାଧ୍ୟ ହୁଅନ୍ତି। ସାଇବର୍ ଠକ ଦେଖାଉଥିବା ପ୍ରମାଣ ଉପରେ ବିଶ୍ଵାସ କରିବାକୁ ବାଧ୍ୟ ହୁଅନ୍ତି। ଏହା ପଛର ବଡ଼ କାରଣ ହେଲା ଭୟ ଏବଂ ତ୍ଵରିତ ନିଷ୍ପତ୍ତି। ସାଇବର୍ ଠକ ବି ଖୁବ୍ ଚାଲାକ। ସେମାନେ ଭିକ୍ଟିମ୍ ଙ୍କୁ ଭାବିବାକୁ ସମୟ ଦିଅନ୍ତିନି। ସମାଧାନ ବାଟ ଦେଖାନ୍ତି। ଯେମିତିକି କେଉଁଠାକୁ ଯିବାକୁ ପଡିବନି, ଘରେ ଡିଜିଟାଲ୍ ଆରେଷ୍ଟ ରହିବ। ମମଲା ଚାପିବାକୁ ଟଙ୍କା ଦେବାକୁ ପଡ଼ିବ। ଏଇଠି ଭିକ୍ଟିମ୍ ଫସିଯାଏ। ତୁରନ୍ତ ମୁକୁଳିବାକୁ ଡିଜିଟାଲ୍ ଆରେଷ୍ଟର ରାସ୍ତା ବାଛେ। ଆଉ ସାଇବର୍ ଠକମାନେ ଧୀରେ ଧୀରେ ସବୁ ଜମାପୁଞ୍ଜି ଗାଏବ କରି ନିଅନ୍ତି। ତେବେ ସାଇବର୍ ଠକମାନଙ୍କର ଏକ କମଅନ୍ ପାର୍ଟନ ରହିଛି। ସମାନ ଢଙ୍ଗରେ ସେମାନେ ଲୋକଙ୍କୁ ଫସାନ୍ତି। ପ୍ରଥମେ ଏକ ଅଜଣା ନମ୍ଵରରୁ ଫୋନ କଲ୍ ଆସେ। ଫେକ୍ ପାର୍ସଲ, ଡ୍ରଗ୍ସ, ବ୍ୟାଙ୍କ ଆକାଉଣ୍ଟରେ କଳା ଟଙ୍କାର ଧମକ ଆସେ। ଏହିପରି ୯ଟି ପର୍ଯ୍ୟାୟରେ ଠକମାନେ ସେମାନଙ୍କ ଜାଲ ବୁଣନ୍ତି।

ସବୁଠୁ ବଡ଼ କଥା ହେଲେ କୌଣସି ରାଜ୍ୟର ପୁଲିସ କିମ୍ଵା ଯାଞ୍ଚ ଏଜେନ୍ସି ଭିଡିଓ କଲ୍ କରନ୍ତିନି କି କାହାକୁ ଡିଜିଟାଲ୍ ଆରେଷ୍ଟ କରନ୍ତିନି। ଯଦି କେହି କଲ୍ କରି ଡିଜିଟାଲ୍ ଆରେଷ୍ଟ କଥା କୁହେ ତାହେଲେ ତାହା ୧୦୦ ପ୍ରତିଶତ ଫେକ୍। ସରକାରୀ ଏଜେନ୍ସି କେବେବି ଭିକ୍ଟିମକୁ ଚୁପ୍ ରହିବାକୁ କୁହନ୍ତିନି କି ଜରିମାନା ଦେବାକୁ କୁହନ୍ତିନି। ସେମାନେ ଆପଣଙ୍କୁ ଥାନାକୁ ଡାକନ୍ତି। ଏହାପରେ ଯାଇ ମାମଲା ବିଷୟରେ କୁହନ୍ତି। ତେଣୁ ଠକଙ୍କ ସବୁ ଫନ୍ଦି ବୁଝନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। କୌଣସି ଅଜଣା ନମ୍ଵରରେ ବ୍ୟାଙ୍କ ଡିଟେଲ୍ସ କି ଓଟିପି ସେୟାର କରନ୍ତୁ ନାହିଁ। ସାଇବର୍ କ୍ରାଇମ୍ କିମ୍ଵା ସଞ୍ଚାର ସାଥୀ ପୋର୍ଟାଲରେ ଦିଆଯାଇଥିବା ଟୋଲ୍ ଫ୍ରି ନମ୍ଵରରେ ଜଣାନ୍ତୁ।