ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଡିଜିଟାଲ୍‌ ଭାରତର ଏକ ଦଶନ୍ଧି

Published By : Prameya | July 2, 2025 1:30 PM

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ନାଗରିକମାନଙ୍କୁ ସିଧାସଳଖ  ୪୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହସ୍ତାନ୍ତର କରାଯାଇଛି । ଦଲାଲଙ୍କ  ଭୂମିକାକୁ ଦୂର କରି ଏବଂ ୩.୪୮ ଲକ୍ଷ କୋଟି ଟଙ୍କାର ବାଟମାରଣାକୁ ବନ୍ଦ  କରାଯାଇପାରିଛି । ସ୍ୱାମୀତ୍ୱ ଭଳି ଯୋଜନାଗୁଡ଼ିକ ୨.୪ କୋଟିରୁ ଅଧିକ ସମ୍ପତ୍ତି  କାର୍ଡ ଜାରି କରିଛି ଏବଂ ୬.୪୭ ଲକ୍ଷ ଗ୍ରାମକୁ ମ୍ୟାପ୍‌ ଅଧୀନକୁ ଆଣିଛି ।  ଫଳରେ ବର୍ଷ ବର୍ଷ ଧରି ଜମି ସମ୍ପର୍କିତ ଅନିଶ୍ଚିତତାର ସମାପ୍ତି ହୋଇଛି ।

ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ  ବିଶ୍ୱାସ ସହିତ ଏପରି ଏକ  କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ  ଯେଉଁଠାକୁ ପୂର୍ବରୁ କେହି  ଯାଇନଥିଲେ । ଭାରତୀୟମାନେ  ପ୍ରଯୁକ୍ତିବିଦ୍ୟା ବ୍ୟବହାର  କରିପାରିବେ କି ନାହିଁ ତାହାକୁ  ନେଇ ଅନେକ ଦଶନ୍ଧି ଧରି ଶଙ୍କା  ବ୍ୟକ୍ତ କରାଯାଉଥିଲା । ଆମେ ସେହି ମାନସିକତାକୁ ପରିବର୍ତ୍ତନ  କରିଛୁ ଏବଂ ଭାରତୀୟମାନଙ୍କ  ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର  କ୍ଷମତାରେ ବିଶ୍ୱାସ କରିଛୁ । ପ୍ରଯୁକ୍ତିବିଦ୍ୟାର ବ୍ୟବହାର  କେବଳ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ  ଆହୁରି ଅଧିକ କରିବ ବୋଲି ଅନେକ ଦଶନ୍ଧି ଧରି  ଯେଉଁ ମାନସିକତା ରହିଥିଲା ଆମେ ସେହି ମାନସିକତାକୁ  ପରିବର୍ତ୍ତନ କରି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବ୍ୟବଧାନକୁ  ଦୂର କରିଛୁ । 

ଉଦ୍ଦେଶ୍ୟ ସଠିକ୍‌ ଥିଲେ ନବସୃଜନ ଅବହେଳିତ  ଲୋକଙ୍କୁ ସଶକ୍ତ କରିଥାଏ । ଆଭିମୁଖ୍ୟ ସମାବେଶୀ  ହେଲେ ପ୍ରଯୁକ୍ତିବିଦ୍ୟା ଗରିବ ଲୋକଙ୍କ ଜୀବନକୁ  ପରିବର୍ତ୍ତନ କରିଥାଏ । ଏହି ବିଶ୍ୱାସ ଡିଜିଟାଲ୍‌ ଇଣ୍ଡିଆର  ମୂଳଦୁଆ ପାଲଟିଥିଲା । ଏହାର ବିସ୍ତାରକୁ ସାର୍ବଜନୀନ  କରିବା, ସମନ୍ୱିତ ଡିଜିଟାଲ୍‌ ଭିତ୍ତିଭୂମି ନିର୍ମାଣ କରିବା  ଏବଂ ସମସ୍ତଙ୍କ ପାଇଁ ସୁଯୋଗ ଉପଲବ୍ଧ କରାଇବାର ଏକ  ମିଶନ ଆରମ୍ଭ ହୋଇଥିଲା ।  

୨୦୧୪ରେ, ଇଣ୍ଟରନେଟ୍‌ ଉପଲବ୍ଧତା ସୀମିତ  ଥିଲା, ଡିଜିଟାଲ୍‌ ସାକ୍ଷରତା କମ୍‌ ଥିଲା ଏବଂ ସରକାରୀ  ସେବା ପାଇଁ ଅନଲାଇନ୍‌ ପ୍ରବେଶ ଅତ୍ୟନ୍ତ ସୀମିତ ଥିଲା ।  ଅନେକ ସନ୍ଦେହ କରୁଥିଲେ ଯେ, ଭାରତ ଭଳି ବିଶାଳ  ଏବଂ ବିବିଧ ଦେଶ ପ୍ରକୃତରେ ଡିଜିଟାଲ୍‌ ହୋଇପାରିବ  କି ନାହିଁ । ଆଜି ଏହି ପ୍ରଶ୍ନର ଉତ୍ତର ତଥ୍ୟ କିମ୍ବା  ଡ୍ୟାସବୋର୍ଡରେ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ  ଜୀବନରେ ଉପଲବ୍ଧ । ଶାସନ ଠାରୁ ଶିକ୍ଷା, କାରବାର ଏବଂ  ଉତ୍ପାଦନ ପର୍ଯ୍ୟନ୍ତ, ଡିଜିଟାଲ ଇଣ୍ଡିଆ ସବୁଠି ରହିଛି ।  

ଡିଜିଟାଲ ବିଭାଜନର ଦୂରୀକରଣ ୨୦୧୪ରେ ଭାରତରେ ପ୍ରାୟ ୨୫ କୋଟି  ଇଣ୍ଟରନେଟ୍‌ ସଂଯୋଗ ଥିଲା । ଆଜି ଏହି ସଂଖ୍ୟା ୯୭  କୋଟିରୁ ଅଧିକ ହୋଇଛି । ୪୨ ଲକ୍ଷ କିଲୋମିଟରରୁ  ଅଧିକ ଅପ୍‌ଟିକାଲ୍‌ ଫାଇବର କେବୁଲ୍‌, ପୃଥିବୀ ଏବଂ  ଚନ୍ଦ୍ର ମଧ୍ୟରେ ଦୂରତାର ୧୧ ଗୁଣା, ବର୍ତ୍ତମାନ ସବୁଠାରୁ  ଉପାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି ।

 ଭାରତରେ ୫ଜି ସେବା ବିଶ୍ୱର ସବୁଠାରୁ ଦ୍ରୁତତମ  ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି । ମାତ୍ର ଦୁଇ ବର୍ଷ  ମଧ୍ୟରେ ୪.୮୧ ଲକ୍ଷ ବେସ୍‌ ଷ୍ଟେସନ୍‌ ସ୍ଥାପିତ ହୋଇଛି ।  ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ ବର୍ତ୍ତମାନ  ସହରାଞ୍ଚଳ କେନ୍ଦ୍ରଗୁଡ଼ିକ ଠାରୁ  ଆରମ୍ଭ କରି ଗଲୱାନ୍‌, ସିଆଚେନ୍‌ ଏବଂ ଲଦାଖ ଭଳି ସାମରିକ  ପୋଷ୍ଟଗୁଡ଼ିକରେ ପହଞ୍ଚା ଯାଇଛି ।  ଆମର ଡିଜିଟାଲ୍‌ ଭିତ୍ତିଭୂମି,  ଇଣ୍ଡିଆ ଷ୍ଟାକ୍‌, ୟୁପିଆଇ ଭଳି  ପ୍ଲାଟଫର୍ମକୁ ସକ୍ଷମ କରିଛି, ଯାହା  ଏବେ ବାର୍ଷିକ ୧୦୦ ବିଲିୟନରୁ  ଅଧିକ କାରବାର ପ୍ରକ୍ରିୟାକରଣ  କରିଥାଏ । ବିଶ୍ୱର ମୋଟ୍‌ ବାସ୍ତବ  ସମୟ ବା ରିଅଲ୍‌-ଟାଇମ୍‌  ଡିଜିଟାଲ୍‌ କାରବାରର ପ୍ରାୟ ଅଧା  ଭାରତରେ ହେଉଛି ।  

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ  ନାଗରିକମାନଙ୍କୁ ସିଧାସଳଖ ୪୪ ଲକ୍ଷ କୋଟି ଟଙ୍କାରୁ  ଅଧିକ ହସ୍ତାନ୍ତର କରାଯାଇଛି । ଦଲାଲଙ୍କ ଭୂମିକାକୁ ଦୂର  କରି ଏବଂ ୩.୪୮ ଲକ୍ଷ କୋଟି ଟଙ୍କାର ବାଟମାରଣାକୁ  ବନ୍ଦ କରାଯାଇପାରିଛି । ସ୍ୱାମୀତ୍ୱ ଭଳି ଯୋଜନାଗୁଡ଼ିକ  ୨.୪ କୋଟିରୁ ଅଧିକ ସମ୍ପତ୍ତି କାର୍ଡ ଜାରି କରିଛି ଏବଂ  ୬.୪୭ ଲକ୍ଷ ଗ୍ରାମକୁ ମ୍ୟାପ୍‌ ଅଧୀନକୁ ଆଣିଛି । ଫଳରେ  ବର୍ଷ ବର୍ଷ ଧରି ଜମି ସମ୍ପର୍କିତ ଅନିଶ୍ଚିତତାର ସମାପ୍ତି  ହୋଇଛି । 

ସମସ୍ତଙ୍କ ପାଇଁ ସୁଯୋଗର ଉପଲବ୍ଧତା ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏବେ ପୂର୍ବ ଅପେକ୍ଷା  ଅଧିକ ଏମଏସଏମଇ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ  କରୁଛି । ଓଏନଡିସି (ଓପନ୍‌ ନେଟୱାର୍କ ଫର୍‌ ଡିଜିଟାଲ  କମର୍ସ) ଏକ କ୍ରାନ୍ତିକାରୀ ପ୍ଲାଟଫର୍ମ, ଯାହା ବିକ୍ରେତା ଏବଂ କ୍ରେତାଙ୍କୁ ଏକ ବିଶାଳ ବଜାର ସହିତ ସଂଯୋଗ କରି  ନୂତନ ସୁଯୋଗର ଏକ ଦ୍ୱାର ଖୋଲିଥାଏ । ଜିଇଏମ  (ସରକାରୀ ଇ-ମାର୍କେଟ ପ୍ଲେସ୍‌) ସାଧାରଣ ଲୋକଙ୍କୁ  ସରକାରଙ୍କ ସମସ୍ତ ବିଭାଗକୁ ସାମଗ୍ରୀ ଏବଂ ସେବା  ବିକ୍ରୟ କରିବାକୁ ଅନୁମତି ଦିଏ । ଏହା କେବଳ ସାଧାରଣ ନାଗରିକଙ୍କୁ ଏକ ବିଶାଳ ବଜାର ପ୍ରଦାନ କରେନାହିଁ ବରଂ  ସରକାରଙ୍କ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରେ । 

କଳ୍ପନା କରନ୍ତୁ ଆପଣ ଅନ୍‌ଲାଇନରେ ମୁଦ୍ରା ଋଣ ପାଇଁ ଆବେଦନ  କରିପାରୁଛନ୍ତି । ଆପଣଙ୍କର କ୍ରେଡିଟ ଯୋଗ୍ୟତା  ଆକାଉଣ୍ଟ ଏଗ୍ରିଗେଟର ଫ୍ରେମୱାର୍କ ମାଧ୍ୟମରେ ମୂଲ୍ୟାଙ୍କନ  କରାଯାଇପାରୁଛି । ଆପଣ ଋଣ ପାଉଛନ୍ତି, ଆପଣ  ନିଜର ବ୍ୟବସାୟ ଆରମ୍ଭ କରନ୍ତି । ଆପଣ ଜିଇଏମରେ  ପଞ୍ଜୀକରଣ କରିପାରୁଛନ୍ତି, ସ୍କୁଲ ଏବଂ ହସ୍ପିଟାଲଗୁଡ଼ିକୁ  ଯୋଗାଣ କରୁଛନ୍ତି ଏବଂ ତା'ପରେ ଓଏନଡିସି ମାଧ୍ୟମରେ  ଏହାକୁ ବୃଦ୍ଧି କରୁଛନ୍ତି । 

ଓଏନଡିସି ବର୍ତ୍ତମାନ ୨୦ କୋଟି କାରବାର ସୀମା  ଅତିକ୍ରମ କରିଛି, ଯେଉଁଥିରେ ୬ ମାସରେ ୧୦ କୋଟି  କାରବାର ହୋଇଛି । ବନାରସୀ ବୁଣାକାରଙ୍କ ଠାରୁ  ନାଗାଲାଣ୍ଡର ବାଉଁଶ କାରିଗର ପର୍ଯ୍ୟନ୍ତ, ସବୁ କ୍ଷେତ୍ରର  ବିକ୍ରେତାମାନେ ଏବେ ଦଲାଲଙ୍କ ବିନା ଦେଶବ୍ୟାପୀ  ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁଛନ୍ତି । ଜିଇଏମ ୫୦  ଦିନରେ ୧ ଲକ୍ଷ କୋଟି ଟଙ୍କା ଜିଏମଭି ଅତିକ୍ରମ କରିଛି,  ୧.୮ ଲକ୍ଷରୁ ଅଧିକ ମହିଳା ପରିଚାଳିତ ଏମଏସଏମଇ  ସମେତ ୨୨ ଲକ୍ଷ ବିକ୍ରେତା ୪୬,୦୦୦ କୋଟି ଟଙ୍କାର  ସାମଗ୍ରୀ ଯୋଗାଇଛନ୍ତି ।  

ଡିଜିଟାଲ୍‌ ସାର୍ବଜନୀନ ଭିତ୍ତିଭୂମି, ଭାରତର ବିଶ୍ୱ  ଅବଦାନ ଭାରତର ଡିଜିଟାଲ୍‌ ସାର୍ବଜନୀନ ଭିତ୍ତିଭୂମି  (ଡିପିଆଇ)- ଯେପରିକି ଆଧାର, କୋୱିନ,  ଡିଜିଲକର, ଫାସଟ୍ୟାଗ, ପିଏମ-ବାଣୀ ଏବଂ ଏକ ରାଷ୍ଟ୍ର  ଏକ ସବସ୍କ୍ରିପସନ୍‌- ବର୍ତ୍ତମାନ ବିଶ୍ୱସ୍ତରରେ ଗ୍ରହଣ  କରାଯାଉଛି । କୋୱିନ ବିଶ୍ୱର ସର୍ବବୃହତ ଟୀକାକରଣ  ଅଭିଯାନକୁ ସକ୍ଷମ କରିଛି, ଯାହା ୨୨୦ କୋଟି କ୍ୟୁଆର- ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରିଛି । ୫୪ କୋଟି ଉପଭୋକ୍ତା  ଥିବା ଡିଜିଲକର ୭୭୫ କୋଟିରୁ ଅଧିକ ଡକ୍ୟୁମେଣ୍ଟକୁ  ସୁରକ୍ଷିତ ଏବଂ ସୁଗମ ଭାବରେ ପରିଚାଳିତ କରୁଛି ।  ଭାରତ ଏହାର ଜି-୨୦ ଅଧ୍ୟକ୍ଷତା ସମୟରେ ଗ୍ଲୋବାଲ  ଡିପିଆଇ ରିପୋଜିଟୋରୀ ଏବଂ ୨୫ ନିୟୁତ ଡଲାରର  ସାମାଜିକ ପ୍ରଭାବ ପାଣ୍ଠି ଆରମ୍ଭ କରିଛି, ଯାହାଦ୍ୱାରା  ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଦେଶଗୁଡ଼ିକୁ ସମନ୍ୱିତ  ଡିଜିଟାଲ ଇକୋସିଷ୍ଟମ ଗ୍ରହଣ କରିପାରିବେ । 

ଷ୍ଟାର୍ଟଅପ୍‌ର ଶକ୍ତି ଏବଂ ଆତ୍ମନିର୍ଭର ଭାରତ ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍‌  ଇକୋସିଷ୍ଟମ ମଧ୍ୟରେ ସାମିଲ ଏବଂ ଭାରତରେ ୧.୮ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍‌ ରହିଛନ୍ତି । କିନ୍ତୁ ଏହା କେବଳ  ଏକ ଷ୍ଟାର୍ଟଅପ୍‌ ଆନ୍ଦୋଳନ ନୁହେଁ, ଏହା ଏକ ପ୍ରଯୁକ୍ତିବିଦ୍ୟା  ପୁନର୍ଜାଗରଣ । ଭାରତ ଯୁବପିଢ଼ିଙ୍କ ମଧ୍ୟରେ ଏଆଇ  ଦକ୍ଷତା ଏବଂ ଏଆଇ ପ୍ରତିଭାରେ ବହୁତ ଆଗକୁ ବଢ଼ୁଛି ।  

୧.୨ ବିଲିୟନ ଡଲାର ଭାରତ ଏଆଇ ମିଶନ  ଅଧୀନରେ, ଭାରତ ବିଶ୍ୱସ୍ତରରେ ସବୁଠାରୁ ସର୍ବନିମ୍ନ  ମୂଲ୍ୟରେ ୩୪ ହଜାର ଜିପିୟୁ ଉପଲବ୍ଧ କରାଇଛି ।  ପ୍ରତ୍ୟେକ ଜିପିୟୁ ଘଣ୍ଟାପ୍ରତି ୧ ଡଲାରରୁ କମ୍‌ରେ  ଉପଲବ୍ଧ । ଏହା ଭାରତକୁ କେବଳ ସବୁଠାରୁ ଶସ୍ତା  ଇଣ୍ଟରନେଟ୍‌ ଅର୍ଥବ୍ୟବସ୍ଥା ନୁହେଁ ବରଂ ସବୁଠାରୁ ସୁଲଭ  କମ୍ପ୍ୟୁଟିଂ ହବ୍‌ କରିଛି । ଭାରତ ମାନବିକତା ଆଧାରିତ  ଏଆଇକୁ ସମର୍ଥନ କରିଛି । ଏଆଇ ଉପରେ ନୂଆଦିଲ୍ଲୀ  ଘୋଷଣାନାମା ଦାୟିତ୍ୱ ସହିତ ନବସୃଜନକୁ ପ୍ରୋତ୍ସାହିତ  କରେ । ସାରା ଦେଶରେ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ  କରାଯାଉଛି ।  

ଆଗକୁ ଯିବାର ମାର୍ଗ ଆଗାମୀ ଦଶନ୍ଧି ଆହୁରି ପରିବର୍ତ୍ତନକାରୀ ହେବ ।  ଆମେ ଡିଜିଟାଲ୍‌ ପ୍ରଶାସନ ଠାରୁ ଡିଜିଟାଲ୍‌ ନେତୃତ୍ୱ  ଦିଗରେ ଆଗକୁ ବଢ଼ୁଛୁ । ଇଣ୍ଡିଆ ଫାଷ୍ଟରୁ ଇଣ୍ଡିଆ ଫର  ଦି ୱାର୍ଲଡ ପର୍ଯ୍ୟନ୍ତ ଆମର ଯାତ୍ରା ଜାରି ରହିଛି । ଡିଜିଟାଲ  ଇଣ୍ଡିଆ ଆଉ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ,  ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହା  ଏକ ଆତ୍ମନିର୍ଭର ଭାରତ ଗଠନ କରିବାରେ ସହାୟକ  ହୋଇଛି ।  

ସମସ୍ତ ଉଦ୍ଭାବକ, ଉଦ୍ୟାଗୀଙ୍କ ପାଇଁ ପରବର୍ତ୍ତୀ ଡିଜିଟାଲ ବିପ୍ଳବ ନିମନ୍ତେ ସମଗ୍ର  ବିଶ୍ୱ ଭାରତକୁ ଚାହିଁ ରହିଛି । ଆସନ୍ତୁ, ଯାହା ସଭିଙ୍କୁ ସଶକ୍ତ କରିବ ତାହା ନିର୍ମାଣ କରିବା । ଆସନ୍ତୁ, ଏପରି  ସମାଧାନ ବାହାର କରିବା ଯାହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ  ଆମେ ଏପରି ପ୍ରଯୁକ୍ତିବିଦ୍ୟା ସହିତ ନେତୃତ୍ୱ ନେବା  ଯାହା ସମସ୍ତଙ୍କୁ ଏକତ୍ରିତ କରିବ, ଅନ୍ତର୍ଭୁକ୍ତୀକରଣକୁ  ବଢ଼ାଇବ ଏବଂ ସାମଗ୍ରିକ ବିକାଶ ଆଣିପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.