ଭୁବନେଶ୍ୱର, ୧୭/୦୩ : ରାଜ୍ୟସଭା ପାଇଁ ୧୪୭ ବିଧାୟକଙ୍କ ଭୋଟ ପଡ଼ିଲା। ରାଜ୍ୟସଭା ଗଣିତ ଆଧାରରେ ଓଡ଼ିଶା ବିଧାନସଭାର ପ୍ରତି ବିଧାୟକଙ୍କ ଗୋଟିଏ ଭୋଟର ମୂଲ୍ୟାୟନ ୧୦୦ । ଅର୍ଥାତ୍ ୧୪୭ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟାୟନ ହେଉଛି ୧୪୭୦୦ । ଜଣେ ରାଜ୍ୟସଭା ପ୍ରାର୍ଥୀ ବିଜୟୀ ହେବାକୁ ଆବଶ୍ୟକ ୨୯୪୧ ଭୋଟ । ପ୍ରଥମ ପସନ୍ଦ ଭୋଟ ଗଣତିରେ ବିଜେପିର ମନମୋହନ ସାମଲ ୩୫ଟି (୩୫୦୦), ସୁଜିତ କୁମାରଙ୍କୁ ୩୫ (୩୫୦୦), ବିଜେଡିର ସଂତୃପ୍ତ ମିଶ୍ର ୩୧ଟି (୩୧୦୦) ଭୋଟ ପାଇଥିଲେ । ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ୨୩ (୨୩୦୦) ଏବଂ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଥିବା ଦିଲ୍ଲୀପ ରାୟ ୨୩ଟି (୨୩୦୦) ଭୋଟ ପାଇଲେ । ଦିଲ୍ଲୀପ ଓ ଦତ୍ତେଶ୍ୱରଙ୍କ ଭୋଟ ସମାନ ହୋଇଥିବାବେଳେ ମ୍ୟାଜିକ ନମ୍ବର ୨୯୪୧ ଛୁଇଁନଥିଲା । ତେଣୁ ଦ୍ୱିତୀୟ ପସନ୍ଦ ଭୋଟ ଗଣତି କରିବାକୁ ପଡ଼ିଲା ।

ନିୟମ ଆଧାରରେ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀ ମନମୋହନ ଓ ସୁଜିତଙ୍କ ଦ୍ୱିତୀୟ ପସନ୍ଦ ଭୋଟ ଗଣତି କରାଯାଇଥିଲା । କାହା ଭୋଟ ପ୍ରଥମେ ଗଣତି ହେବ, ସେଥିପାଇଁ ଲଟେରୀରେ କାଗଜ ଗୁଳା ପଡ଼ିଲା । ସୁଜିତ କୁମାରଙ୍କ ନାଁ ଲଟେରୀରୁ ବାହାରିଲା । ଏହାପରେ ସୁଜିତ କୁମାରଙ୍କୁ ମିଳିଥିବା ଭୋଟରୁ ଦ୍ୱିତୀୟ ପସନ୍ଦ ଭୋଟ ହିସାବ ହେଲା । ପ୍ରଥମ ପସନ୍ଦର ପ୍ରତିଟି ଭୋଟ ମୂଲ୍ୟାୟନ ୧୦୦ ରଖାଯାଇଥିବା ବେଳେ ଦ୍ୱିତୀୟ ପସନ୍ଦ ଭୋଟ ମୂଲ୍ୟାୟନ ହୋଇଥିଲା ୪୩ । ସୁଜିତଙ୍କ ଭୋଟରୁ ୧୩ଟି ଦ୍ୱିତୀୟ ପସନ୍ଦ ଭୋଟ ଦିଲ୍ଲୀପଙ୍କ ଖାତାକୁ ଗଲା । ଦ୍ୱିତୀୟ ପସନ୍ଦର ପ୍ରତିଟି ଭୋଟ ମୂଲ୍ୟ ୪୩ ହୋଇଥିବାରୁ ଏହି ହିସାବରେ ଦିଲ୍ଲୀପଙ୍କୁ ମିଳିଥିଲା ମୋଟ ୫୫୯ଟି ଭୋଟ । ଦିଲ୍ଲୀପ ପାଇଥିବା ପ୍ରଥମ ପସନ୍ଦର ୨୩୦୦ ଭୋଟ ସହ ଏହାକୁ ମିଶାଇ ପାଇଲେ ମୋଟ ୨୮୫୯ ଭୋଟ । ଏହି ଦ୍ୱିତୀୟ ପସନ୍ଦ ଭୋଟ ଯିବା ପରେ ବି ବିଜୟ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୯୪୧ ଭୋଟ ସୁଜିତଙ୍କ ପାଖରେ ରହିଲା । ଏହି ହିସାବ ପରେ ମନମୋହନଙ୍କ ଭୋଟ ସଂଖ୍ୟା ୩୫୦୦, ସୁଜିତଙ୍କ ଭୋଟ ୨୯୪୧, ସଂତୃପ୍ତଙ୍କ ଭୋଟ ସଂଖ୍ୟା ୩୧୦୦, ଦତ୍ତେଶ୍ୱରଙ୍କ ୨୩୦୦ ଏବଂ ଦିଲ୍ଲୀପଙ୍କ ଭୋଟ ବଢ଼ି ୨୮୫୯ ହୋଇଥିଲା । ଏହାପରେ ମନମୋହନଙ୍କୁ ମିଳିଥିବା ଭୋଟରୁ ଦ୍ୱିତୀୟ ପସନ୍ଦ ଭୋଟ ଗଣତି ହେଲା । ଏଥିରୁ ସମାନ ୧୩ଟି ଭୋଟ (ଯାହାର ମୂଲ୍ୟ ୫୫୯) ଦିଲ୍ଲୀପଙ୍କୁ ଗଲା । ଏଭଳି ଭାବେ ପ୍ରଥମ ପସନ୍ଦ ଓ ଦ୍ୱିତୀୟ ପସନ୍ଦ ଭୋଟକୁ ମିଶାଇ ଦିଲ୍ଲୀପଙ୍କ ମୋଟ ଭୋଟ ସଂଖ୍ୟା ୩୪୧୮ ହେଲା ।

ଏମିତି ଜିତିଲେ ଦିଲ୍ଲୀପ...

ବିଜେପି ବିଧାୟକମାନେ ମନମୋହନ ଓ ସୁଜିତଙ୍କୁ ୩୫ଟି ପ୍ରଥମ ପସନ୍ଦ ଭୋଟ୍ ଦେଇଥିଲେ ହେଁ ୨୨ ଜଣ ଲେଖାଏଁ ବିଧାୟକ ଦ୍ଵିତୀୟ ପସନ୍ଦ ଦେଇନଥିଲେ। ତେଣୁ ଯେଉଁ ୧୩ ଜଣ ଲେଖାଏଁ ବିଧାୟକ ଦ୍ଵିତୀୟ ପସନ୍ଦ ଭୋଟ୍ ଦେଇଥିଲେ ସେମାନଙ୍କ ଭୋଟ୍ ହିସାବ ହୋଇଥିଲା। ଏପରିକି କେତେକ ବିଜେପି ବିଧାୟକ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ଵର ହୋତାଙ୍କୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ପସନ୍ଦ ଭୋଟ୍ ଦେଇଥିଲେ। ବିଜେପିର ରଣନୀତି ଅନୁସାରେ ଏହି ଭୋଟିଂ ହୋଇଥିଲା। ଏହାଦ୍ଵାରା ସବୁଠୁ କମ୍ ପ୍ରିଫରେନ୍ସ ଭୋଟ୍ ସେମାନଙ୍କୁ ମିଳିଥାନ୍ତା। ହେଲେ ବିଜେଡି ଓ କଂଗ୍ରେସ ବିଧାୟକମାନେ କେବଳ ପ୍ରଥମ ଓ ଦ୍ଵିତୀୟ ପସନ୍ଦ ଭୋଟ୍ ଦେଇଥିଲେ। କିନ୍ତୁ ମନମୋହନ ଓ ସୁଜିତ କୁମାରଙ୍କୁ ସନ୍ତୃପ୍ତଙ୍କ ତୁଳନାରେ ଅଧିକ ପ୍ରଥମ ପସନ୍ଦ ଭୋଟ୍ ମିଳିଥିବାରୁ ଦିଲୀପଙ୍କ ପାଇଁ ଦ୍ଵିତୀୟ ପସନ୍ଦ ଭୋଟ୍ ଗଣତି ବେଳେ ସେମାନଙ୍କ ଭୋଟକୁ ହିସାବକୁ ନିଆଯାଇଥିଲା।

ଅପରପକ୍ଷରେ ମନମୋହନଙ୍କ ଭୋଟ ୨୯୪୧, ସୁଜିତଙ୍କ ଭୋଟ ୨୯୪୧, ସଂତୃପ୍ତଙ୍କୁ ୩୧୦୦ ଏବଂ ଦତ୍ତେଶ୍ୱରଙ୍କୁ ୨୩୦୦ ଭୋଟ ମିଳିଲା । ଏଭଳି ଭାବେ ମନମୋହନ, ସୁଜିତ, ସଂତୃପ୍ତ ଏବଂ ଦିଲ୍ଲୀପ ରାଜ୍ୟସଭାକୁ ନିର୍ବାଚିତ ହେଲେ । ପ୍ରଥମ ପସନ୍ଦ ଭୋଟରେ ମନମୋହନ ଓ ସୁଜିତ ବହୁ ଆଗରେ ରହିଲେ । ରାଜ୍ୟସଭାର ଏ ଅଙ୍କ ଅନୁଯାୟୀ ଜଣେ ବିଧାୟକ ଦୁଇଟି ପସନ୍ଦ ଭୋଟ୍ ଦେଇଥିଲେ ମଧ୍ୟ ଗୋଟିଏ ଗଣତି କରାଯିବ । ସେହି ଦୃଷ୍ଟିରୁ ବିଜେପି ଯୋଜନାବଦ୍ଧ ଭାବେ ଉଭୟ ମନମୋହନ ଓ ସୁଜିତ କୁମାରଙ୍କୁ ୩୫ଟି ଲେଖାଁ ପ୍ରଥମ ପସନ୍ଦ ଓ ୧୩ଟି ଲେଖାଁ ଦ୍ୱିତୀୟ ପସନ୍ଦ ଭୋଟ୍ ଦେଇଥିଲା । ଏହି ହିସାବ ଜଟିଳ ହୋଇଥିବାବେଳେ ଅନେକ ବିଧାୟକ ମଧ୍ୟ ଏହାକୁ ବୁଝିପାରିନାହାନ୍ତି । ବିଜେପି ପୂରା ପ୍ରସ୍ତୁତି ମୁତାବକ ବିଜୟର ଗଣିତ କଷି ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଇଛି ।