ମୁମ୍ବାଇ ୨୪/୦୬: ଭାରତରେ ରିଲିଜ୍‌ ହେବନି ପଞ୍ଜାବୀ ସୁପର୍‌ଷ୍ଟାର ଦିଲଜୀତ ଦୋସାଂଝଙ୍କ ଫିଲ୍ମ ‘ସରଦାର ଜୀ-୩’ । ଫିଲ୍ମରେ ପାକିସ୍ତାନ ଅଭିନେତ୍ରୀ ହନିୟା ଆମିରଙ୍କ ସମେତ ଅନ୍ୟ ପାକିସ୍ତାନୀ କଳାକାରଙ୍କ ଉପସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୭ ତାରିଖରେ ଫିଲ୍ମ କେବଳ ବିଦେଶରେ ମୁକ୍ତିଲାଭ କରିବ । ଦିଲଜୀତ ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଶେୟାର କରି ଲେଖିଛନ୍ତି ‘ସରଦାର ଜୀ୩’ ଜୁନ୍‌ ୨୭ରେ ବିଦେଶରେ ମୁକ୍ତିଲାଭ କରୁଛି ।

ଭାରତରେ ଫିଲ୍ମର ଟ୍ରେଲର୍‌କୁ ୟୁଟ୍ୟୁବ୍‌ରେ ବ୍ଲକ୍‌ କରାଯାଇଛି । ଫିଲ୍ମରେ ଦିଲଜୀତଙ୍କ ସହ ପାକ୍‌ କଳାକାର ହନିୟା, ନାସିର ଚିନ୍ୟୋଟି, ଡାନିଏଲ ଖ୍ୱାର ଓ ସଲୀମ ଅଲବେଲା ନଜର ଆସିବେ । ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକ୍‌ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା । ଫେଡେରେସନ ଅଫ୍‌ ୱେଷ୍ଟର୍ନ ସିନେ ଏମ୍‌ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ) ଫିଲ୍ମ ବିରୋଧରେ ସେନ୍ସର ବୋର୍ଡ (ସିବିଏଫ୍‌ସି)କୁ ଚିଠି ଲେଖି ଫିଲ୍ମକୁ ପ୍ରମାଣପତ୍ର ନ ଦେବାକୁ ଦାବି କରିଛି । 

ଏଫ୍‌ଡବ୍ଲ୍ୟୁଆଇସିଇ ଅନୁସାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ କୌଣସି ଭାରତୀୟ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ସାମିଲ କରାଯାଇ ପାରିବ ନାହିଁ । ଏଫ୍‌ଡବ୍ଲ୍ୟୁଆଇସିଇର ଅଧ୍ୟକ୍ଷ ବିଏନ୍‌ ତିୱାରୀ ଏକ ଗଣମାଧ୍ୟମକୁ କହିଛନ୍ତି, ‘ସରଦାର ଜୀ-୩’କୁ ଭାରତରେ ରିଲିଜ୍‌ ହେବାକୁ ଦିଆଯିବନି । ପାକ୍‌ କଳାକାରଙ୍କ ସହ କାମ କରୁଥିବା ନିର୍ମାତା-ନିର୍ଦ୍ଦେଶକଙ୍କୁ ବ୍ୟାନ୍‌ କରାଯିବ । ଦିଲଜୀତ ଭାରତରେ ପ୍ରଦର୍ଶନ କରିପାରିବେ ନାହିଁ । ‘ସରଦାର ଜୀ-୩’ ଏକ ହରର୍‌ କମେଡି ଫିଲ୍ମ । ଏଥିରେ ହନିୟା ଓ ଦିଲଜୀତ ଏକ ବଙ୍ଗଳାରେ ଆତ୍ମାକୁ ହଟାଇବାର ମିଶନରେ ଅଛନ୍ତି । ଫିଲ୍ମରେ ନୀରୁ ବାଜୱା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ବ୍ରିଟେନରେ ଫିଲ୍ମର ସୁଟିଂ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଲୋକଙ୍କର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଅନେକ ୟୁଜର ଦିଲଜୀତଙ୍କ ଉପରେ ଦେଶଦ୍ରୋହୀର ଅଭିଯୋଗ ଆଣିଛନ୍ତି ।