ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ

ଭୁବନେଶ୍ୱର,୩ ।୬(ବ୍ୟୁରୋ): ନୂଆପଲ୍ଲୀ ରେଣ୍ଟାଲ କଲୋନୀ ସୁବୁଦ୍ଧି ଅଟାକଳ କର୍ମଚାରୀ ଦିଲ୍ଲୀପ ସାହୁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଚିଣ୍ଟୁ ଜେନା ଆଜି ପୁଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଛି । ସେ କିପରି ଦିଲ୍ଲୀପଙ୍କୁ ହତ୍ୟା କଲା । ହତ୍ୟା ପରେ କିପରି ତାଙ୍କ ମୃତଦେହକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ଛାତ ଉପରକୁ ଗଲା । ଛାତ ଉପରୁ କିପରି ଦିଲ୍ଲୀପଙ୍କ ମୃତଦେହକୁ ହର୍ଟିକଲଚର ପରିସରକୁ ଫିିଙ୍ଗିଲା ତାହାର ଡେମୋ ଦେଖାଇଥିଲା । ତେବେ ସେ ଏକୁଟିଆ ଏହି କାଣ୍ଡ ଭିଆଇଛି କି ତା’ ସହିତ ଆଉ କିଏ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ଚିଣ୍ଟୁଙ୍କୁ ମାରାଥନ ଜେରା ଚଳାଇଛି । ଆସନ୍ତାକାଲି ଚିଣ୍ଟୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।
ସୂଚନା ଥାଉକି, ରେଣ୍ଟାଲ୍ କଲୋନୀରେ ଥିବା ବିଡିଏ ମାର୍କେଟ୍ କମ୍ପେ୍ଲକ୍ସରେ ଚନ୍ଦକା ଥାନା ପାଇକରାପୁର ଗ୍ରାମର ପ୍ରମୋଦ ସୁବୁଦ୍ଧି ‘ସୁବୁଦ୍ଧି ଅଟାକଳ’ କରିଛନ୍ତି । ଦିଲ୍ଳୀପ ଓ ଚିଣ୍ଟୁ ଦୀର୍ଘ ବର୍ଷ ହେବ ‘ସୁବୁଦ୍ଧି ଅଟାକଳ’ରେ କାମ କରୁଥିଲେ । ଉକ୍ତ ମାର୍କେଟ୍ କମ୍ପେ୍ଲକ୍ସ ଭିତରେ ଏକ ରୁମ୍କୁ ଅଟାକଳ ମାଲିକ ଷ୍ଟୋର ରୁମ କରିଥିଲେ । ସେଠାରେ ଦିଲ୍ଲୀପ ଓ ଚିଣ୍ଟୁଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିଲେ । ଉଭୟ ସେଠାରେ ରହୁଥିଲେ । ଗତକାଲି ପୂର୍ବାହ୍ନ ୮ଟାବେଳେ ପ୍ରମୋଦଙ୍କ ପୁଅ ଅଟାକଳ ଖୋଲିବା ବେଳେ ଦିଲ୍ଲୀପ ଓ ଚିଣ୍ଟୁଙ୍କୁ ପାଇ ନଥିଲେ । ସେମାନେ ରହୁଥିବା ରୁମ୍କୁ ଯାଇଥିଲେ । ହେଲେ ରୁମ୍ ବନ୍ଦ ଥିଲା । ଘର ଭିତରୁ ରକ୍ତର ଦାଗ ସିଡ଼ିବାଟ ଦେଇ ଛାତ ଉପର ପର୍ଯ୍ୟନ୍ତ ଯାଇଥିଲା । ତେଣୁ ସନ୍ଦେହ ହେବାରୁ ସେ ଛାତ ଉପରକୁ ଯାଇ ଖୋଜାଖୋଜି କରିଥିଲେ । ଉକ୍ତ ଘରର ପଛକୁ ଲାଗିଥିବା ହର୍ଟି କଲଚର ହତାର ବୁଦୁବୁଦୁକିଆ ବଣ ଭିତରେ ଦିଲ୍ଲୀପଙ୍କ ମୃତଦେହ ପେଟି ଓ ଅଖାରେ ଗୁଡ଼ା ହୋଇ ପଡ଼ିଥିଲା । ଦିଲ୍ଲୀପଙ୍କ ମୃତଦେହ ଦେଖି ସେ ସଙ୍ଗେ ସଙ୍ଗେ ବାପା ପ୍ରମୋଦଙ୍କୁ ଖବର ଦେଇଥିଲେ । ପ୍ରମୋଦ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଫୋନ୍ କରିଥିଲେ । ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପଙ୍କ ମୃତଦେହ ଜବତ କରିଥିଲା । ସହକର୍ମୀ ଚିଣ୍ଟୁ ଫେରାର ଥିବାରୁ ସେହି ଦିଲ୍ଲୀପଙ୍କ ହତ୍ୟାକାରୀ ବୋଲି ପୁଲିସ ସନ୍ଦେହ କରିଥିଲା । ଚିଣ୍ଟୁଙ୍କ ମୋବାଇଲ୍ ଫୋନ୍କୁ ଟ୍ରାକିଂ କରି ତାଙ୍କୁ ନିଆଳିରୁ ପୁଲିସ ଗିରଫ କରିଥିଲା । ଚିଣ୍ଟୁଙ୍କୁ ଜେରା କରିବା ପରେ ଦିଲ୍ଲୀପ ଧାର ନେଇଥିବା ୧୦ ହଜାର ଟଙ୍କାକୁ ନେଇ ସେ ହତ୍ୟା କରିଥିବା ମାନିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ଚିଣ୍ଟୁ ମନା କରିଥିଲେ । ତେଣୁ ସେ ମଦ ନିଶାରେ ଛୁରି ଭୁସି ଦିଲ୍ଲୀପଙ୍କୁ ହତ୍ୟା କରିଥିବା ପୁଲିସକୁ କହିଥିଲେ ।
ଏକମାତ୍ର ପୁଅକୁ ମାରିଦେଲେ, ବେସାହାରା ହୋଇଗଲେ ମା’
ମାତ୍ର ୩ ବର୍ଷର ହୋଇଥିଲେ ଦିଲ୍ଲୀପ । ବାପା ଭାଗିରଥୀ ସାହୁ ଘର ଛାଡ଼ି କେଉଁଆଡ଼େ ଚାଲିଗଲେ । ମା’ ପ୍ରମିଳା ସାହୁ ରଣପୁର ଶ୍ୱଶୁର ଘର ଛାଡ଼ି ବାପା ଘର ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ା ପାଟଣା ଗ୍ରାମକୁ ଚାଲିଲେ । ବାପା ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରମିଳା ଗାଁରେ ଘର ଭଡ଼ା ନେଇ ରହୁଥିଲେ । ପର ଘରେ ପାଇଟି କରି ଦିଲ୍ଲୀପଙ୍କୁ ଦେଇ ବଡ଼ କଲେ । ଆଶା କରିଥିଲେ ପୁଅ ବଡ଼ ହୋଇ ତାଙ୍କୁ ପୋଷିବ । ଦିଲ୍ଲୀପ ମଧ୍ୟ ମା’ଙ୍କୁ ପୋଷିବା ପାଇଁ ଚାକିରି ଆଶାରେ ଭୁବନେଶ୍ୱର ଚାଲି ଆସିଥିଲେ । ନୂଆପଲ୍ଲୀ ରେଣ୍ଟାଲ କଲୋନୀରେ ସୁବୁଦ୍ଧି ଅଟାକଳରେ କାମ କରି ମା’ଙ୍କୁ ପୋଷୁଥିଲେ । ହେଲେ ଦିଲ୍ଲୀପଙ୍କୁ ସହକର୍ମୀ ଚିଣ୍ଟୁ ଜେନା ବୀଭତ୍ସଭାବେ ହତ୍ୟା କରିବା ପରେ ଏବେ ବେସାହାରା ହୋଇ ଯାଇଛନ୍ତି ଦିଲ୍ଲୀପଙ୍କ ମା’ ପ୍ରମିଳା ।
ଗତକାଲି ପୁଲିସ ଠାରୁ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିବା ଖବର ପାଇ ମା’ ପ୍ରମିଳାଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା । ରାତି ହୋଇ ଯାଇଥିବାରୁ ଆଜି ସକାଳୁ ପୁତୁରା ଜୟନ୍ତ ମହାରଣାଙ୍କୁ ସାଙ୍ଗରେ ଧରି ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ । ସେଠାରୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ଆସିଥିଲେ । ପୁଅର ମୃତଦେହ ଦେଖି ସେ ବେହୋସ ହୋଇ ପଡ଼ିଥିଲେ । ଚେତା ଫେରିବା ପରେ ଏକୋଇରବଳା ବିଶିକେଶନକୁ କିଏ ମୋ’ଠାରୁ ଛଡ଼ାଇ ନେଲା କହି କାନ୍ଦିକାନ୍ଦି ମାଟି ସାଉଁଟି ପକାଉଥିଲେ । ବାର୍ଦ୍ଧକ୍ୟ ଅବସ୍ଥାରେ କିଏ ତାଙ୍କୁ ସାହା ହେବ କହି ଭୋ ଭୋ ହୋଇ କାନ୍ଦୁଥିଲେ । ପ୍ରମିଳାଙ୍କ କହିବା ଅନୁଯାୟୀ, ଦିଲ୍ଲୀପ ୭ ବର୍ଷ ଧରି ସୁବୁଦ୍ଧି ଅଟାକଳରେ କାମ କରୁଥିଲେ । ସେ ଗାଁରେ ଘର ଭଡ଼ା ନେଇ ରହିବା ସହ ମାସିକ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ । ଦିଲ୍ଲୀପ ମାସକୁ ହଜାରେ ୨ ହଜାର ପଠାଉଥିଲେ । ସେଥିରେ ସେ ଆରାମରେ ଚଳି ଯାଉଥିଲେ । ହେଲେ ପ୍ରାୟ ୨ ବର୍ଷ ହେବ ଦିଲ୍ଲୀପ ଆଉ ଟଙ୍କା ପଠାଉ ନଥିଲେ । ୨ ମାସ ହେଲା ଦିଲ୍ଲୀପ ଅଟାକଳ ଛାଡ଼ି ଗାଁକୁ ପଳାଇଥିଲେ । ପ୍ରମିଳା ପଚାରିବାରେ କହୁଥିଲେ, ମାଲିକ ଠିକ୍ରେ ପଇସା ଦେଉ ନାହାନ୍ତି । ତେଣୁ ସେ ଆଉ ଯିବେ ନାହିଁ । ୮ ଦିନ ତଳେ ମାଲିକ ଫୋନ୍ କରିବାରୁ ସେ ପୁଣି ଅଟାକଳକୁ ଫେରିଥିଲେ । କହି ଯାଇଥିଲେ ଏଥର ଅଧିକ ଟଙ୍କା ଧରି ଆସିଲେ ବିବାହ କରିବେ । ହେଲେ ତାଙ୍କୁ ଏଠାରେ ମାରି ଦିଆଗଲା । ଏବେ ପ୍ରମିଳା ସଂପୂର୍ଣ୍ଣ ବେସାହାରା ହୋଇଗଲେ । ଏ ବୟସରେ ପୁଅ ବିନା କେମିତି ଚଳିବେ ବୋଲି କହି ବାହୁନି ବାହୁନି କାନ୍ଦୁଛନ୍ତି ।