ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ (ଅକ୍ଟୋବର ୨୦୨୫) ଏହି ସେବା ଆରମ୍ଭ ହେବ । ଭାରତ ଏବଂ ଚୀନ୍ ମଧ୍ୟରେ ଏକ ସଂଶୋଧିତ ବିମାନ ସେବା ଆରମ୍ଭ ହେବାକୁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡାଇରେକ୍ଟ ଫ୍ଲାଇଟ୍ ଉଡ଼ାଣ ଭରିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏହାରି ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସ ଘୋଷଣା କରିଛି ଯେ, ଏହା ଅକ୍ଟୋବର ୨୬ରୁ ଚୀନକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ।
ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଭାରତ ଏବଂ ଚୀନ୍ ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକୁ ସଂଯୋଗ କରୁଥିବା ସିଧାସଳଖ ବିମାନ ସେବା ୨୦୨୫ ଅକ୍ଟୋବର ଶେଷ ସୁଦ୍ଧା ଆରମ୍ଭ ହେବ । ଯଦି ଉଭୟ ଦେଶର ନିର୍ଦ୍ଦିଷ୍ଟ ବିମାନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ମାନଦଣ୍ଡ ପୂରଣ କରନ୍ତି ତେବେ ଏହି ସେବା ଆରମ୍ଭ ହୋଇପାରିବ ବୋଲି ଉଭୟ ଦେଶ ମଧ୍ୟରେ ସହମତି ହୋଇଛି ।
ଗତ ମାସରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ତିଆନଜିନରେ ହୋଇଥିବା ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଞ୍ଚଳିକ ସମ୍ପର୍କକୁ ପ୍ରାଥମିକତା ଦେବା ପାଇଁ ଦୁଇ ଦେଶର ବ୍ୟବହାରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଏବଂ ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆଣିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ ।
ଦୁଇ ଦେଶ ୩୫୦୦ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ପାଟ୍ରୋଲିଂ ନିୟମ ଉପରେ ସହମତ ହୋଇଥିଲେ । ଏହା ଚାରି ବର୍ଷ ଧରି ଚାଲିଥିବା ସୀମା ବିବାଦକୁ ହ୍ରାସ କରିଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଦୁଇ ନେତା ଗତ ବର୍ଷର ଚୁକ୍ତିନାମାକୁ ପ୍ରଶଂସା କରିଥିଲେ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ସହମତି ପ୍ରକାଶ କରିଥିଲେ। ଉଭୟ ଦେଶର ଲୋକଙ୍କ ଦୀର୍ଘକାଳୀନ ସ୍ୱାର୍ଥକୁ ଧ୍ୟାନରେ ରଖି ସୀମା ସମସ୍ୟାର ଏକ ପାରଷ୍ପରିକ ସହମତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ସେମାନେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।