କୋଣାର୍କ,୧୦/୧୨ : ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ କୋଣାର୍କ ଇକୋ ରିଟ୍ରିଟ ସପ୍ତମ ସଂସ୍କରଣ ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏ ନେଇ ବୁଧବାର ସନ୍ଧ୍ୟାରେ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଇକୋ ରିଟ୍ରିଟର ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ବିଦ୍ୟୁତ ଯୋଗାଣ, ସ୍ୱଛତା, ପରିସ୍କାର ପରିଛନ୍ନତା, ସ୍ବାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବେଳାଭୂମିରେ ବଡ଼ ତୋରଣ, ସେଲ୍ଫି ପଏଣ୍ଟ, କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳ ବ୍ୟବସ୍ତା, ବିଦ୍ୟୁତ ସଂଯୋଗ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ବେଳାଭୂମିରେ ୭୦ତମ୍ବୁ ଘର ଓ ବିଚ ବାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ପର୍ଯ୍ୟଟକମାନଙ୍କ ପାଇଁ ତମ୍ବୁ ଘରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିବ । ଏହା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ। ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନ ଭରି ଉପଭୋଗ କରିବେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ବାନାନା ବୋଟ, ପାରାସେଲିଙ୍ଗ, ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।