ବାଲିପାଟଣା,୦୪/୦୬: ଭୁବନେଶ୍ୱର କମିଶନରେଟ୍ ପୁଲିସ ଅଧୀନ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଞ୍ଚଳ ଏବେ ଚୋରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ଗତ ଦେଢ଼ମାସ ମଧ୍ୟରେ ଏହି ଅଞ୍ଚଳରେ ୧୨ରୁ ଊଦ୍ଧ୍ୱର୍ ଚୋରି ଘଟିଲାଣି । ଖାଲି ସେତିକି ନୁହେଁ, ଚୋରମାନେ ଥରେ ଯେଉଁ ସ୍ଥାନରୁ ଚୋରି କରୁଛନ୍ତି, ପୁନର୍ବାର କିଛିଦିନ ପରେ ଆସି ସେହି ସ୍ଥାନରୁ ଚୋରି କରି ନେଉଛନ୍ତି । ଅଥଚ ପୁଲିସ କିଛି କରିପାରୁନାହିଁ । ପରିସ୍ଥିତି ଏପରି ହେଲାଣି ଯେ ଲୋକେ ଘର ଛାଡ଼ି ଯିବାକୁ ଡରୁଛନ୍ତି । ଘର, ଦୋକାନ, ମନ୍ଦିର ସବୁ ସ୍ଥାନରୁ ହେଉଛି ଚୋରି । ଏମିତିକି ଗୁହାଳୁ ଛେଳି, ମେଣ୍ଢା ବି ଟେକି ନେଉଛନ୍ତି । ଗତ କିଛିଦିନ ମଧ୍ୟରେ ଏହି ଅଞ୍ଚଳରେ ଚୋରି, ଲୁଟ୍, ଦିନ ଦିପହରେ ଯୁବକଙ୍କୁ ପିଟି ପିଟି ହତ୍ୟା, ଅବାଧ ନିଶା କାରବାର ଭଳି ସଙ୍ଗୀନ ଘଟଣା ଘଟିଛି, ଯାହାକି ପୁଲିସର ନିଷ୍କ୍ରିୟତାଙ୍କୁ ପ୍ରମାଣିତ କରୁଛି । ପୁଲିସ କେବଳ ଲୋକଦେଖାଣିଆ ତଦନ୍ତ କରି ବସିଯାଉଛି । ତେଣୁ ଚୋରମାନେ ଜାଣିସାରିଲେଣି ଯେ ଚୋରି କରିବାକୁ ହେଲେ ବାଲିପାଟଣା ସବୁଠୁ ସୁବିଧାଜନକ ଅଞ୍ଚଳ ।

ଗତ ମାସ ୨୦ ତାରିଖରେ ବନମାଳୀପୁର ଫାଣ୍ଡି ଅଧୀନ ଦେଉଳିଧରପୁର ସ୍ଥିତ ବୁଦ୍ଧିକେଶ୍ୱର ମନ୍ଦିରରୁ ଦୁର୍ବ ୃତ୍ତମାନେ ଚୋରି କରିଥିଲେ । ମନ୍ଦିର ତାଲା ଭାଙ୍ଗି ଦାନ ହୁଣ୍ଡିରୁ ନଗଦ ୧୩ ହଜାର ଟଙ୍କା, ୨ଟି ବଡ଼ ପିତ୍ତଳ ଘଣ୍ଟି, ୨ଟି ବଡ଼ ପିତ୍ତଳ ଥାଳି, ୨ଟି ପିତ୍ତଳ ଢାଳ ଓ ଗୋଟିଏ ପିତ୍ତଳ ବାଲ୍ଟି ସହ ବହୁ ବାସନ, ଗ୍ୟାସ ସିଲିଣ୍ଡର ଆଦି ଚୋରି କରି ନେଇଥିଲେ । ପୁଲିସ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କ ପତ୍ତା ମିଳିନଥିଲା । ଫଳରେ ଚୋରମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ମଙ୍ଗଳବାର ରାତିରେ ପୁନର୍ବାର ଏହି ମନ୍ଦିରରୁ ଚୋରି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର ପ୍ରାଙ୍ଗଣରେ ଥିବା ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମୂଲ୍ୟବାନ ସାଉଣ୍ଡ ମେସିନ, ଷ୍ଟାଣ୍ଡ, ମାଇକ୍ରୋଫୋନ, ସାଉଣ୍ଡ ସିଷ୍ଟମ, ବୈଦ୍ୟୁତିକ ଉପକରଣ ସହ ବାସନକୁସନ ଲୁଟି ନେଇଛନ୍ତି । ବୁଧବାର ସକାଳେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବାବେଳେ ଚୋରି ହୋଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ତେଣୁ ମନ୍ଦିର ଚୋରି ବାବଦରେ ଗ୍ରାମବାସୀ ପୁଣି ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  ମିଛମିଛିକା ସିନ୍ଦୂର, ଫୁଲମାଳ ପିନ୍ଧୋଇ ବାହାଘର, ଶାରୀରିକ ସଂପର୍କ ରଖିବା ପରେ ଅସଲ ରୂପ ଦେଖାଇଲେ ଯୁବକ....

ମେ ମାସରେ ବାସୁଦେବ ଜୁଏଲେରୀ ଦୋକାନରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲୁଟ୍ କରିଥିଲେ । ପରେ ଅଠାନ୍ତର ମେଡିକାଲ ଛକ ନିକଟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଘରୁ ତାଲା ଭାଙ୍ଗି ୬ ଭରି ସୁନା ଓ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ସେହିପରି ଭଅଁରା ନିଜିଗଡ଼ରୁ ସୁନା ଗହଣା ଚୋରି ହୋଇଥିଲା । ବିଶ୍ୱନାଥପୁରସ୍ଥିତ ମା’ ଦକ୍ଷିଣେଶ୍ୱରୀ ମନ୍ଦିରରୁ ଦୁର୍ବୃତ୍ତମାନେ ମା’ଙ୍କ ସୁନା ଚିତ୍ତା ସହିତ ଅନ୍ୟାନ୍ୟ ଗହଣା ଓ ସାମଗ୍ରୀ ଲୁଟ୍ କରିଥିଲେ । ଆଇତଳଙ୍ଗ ନିକଟ ମା’ନାରାୟଣୀ ମନ୍ଦିରରୁ ମଧ୍ୟ ଲୁଟ୍ ହୋଇଥିଲା । ରାଜସ ମହାଦେବ ମନ୍ଦିରରୁ ଦୁଇ ଦୁଇ ଥର ଚୋରି ହୋଇଥିଲେ ମଧ୍ୟ ପୁଲିସ କାହାରିକୁ ଧରିପାରି ନାହିଁ । ସୋମବାର ସରଦେଇପୁର ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଦୋରବାଙ୍ଗ ଛକଠାରେ ଦୁଇ ଜଣ ଯୁବକ ଦିନ ଦିପହରେ ବଦଳା ଶାସନ ଗ୍ରାମର ଜଣେ ଯୁବକଙ୍କୁ ଭୁଜାଲି ଦେଖାଇ ମାଡ଼ ମାରି ଲୁଟ୍ କରିଥିଲେ । ୩୦ ତାରିଖ ବିଳମ୍ବିତ ରାତିରେ କୁଳନ୍ତିରା ଶାସନ ଗ୍ରାମର ବିଜୟ ମଲ୍ଲିକଙ୍କ ଗୁହାଳୁ କେହି ଦୁର୍ବୃତ୍ତ ୬ଟି ଛେଳି ଚୋରି କରିନେଇଥିଲା ।

ଅଧିକ ପଢ଼ନ୍ତୁ :- Balianta Murder Case: NHRCଙ୍କ ଜେରାରେ ସତ ଉଗାରିଲେ ଟ୍ରକ୍ ଚାଳକ, ଡାଲାରେ ନ ଚଢ଼ି ସିଟ୍‌ରେ ବସିଥିଲେ ପୁଲିସ

ଏହି ଅଞ୍ଚଳରେ ବ୍ରାଉନସୁଗର, ଚୋରାମଦ, ଗଞ୍ଜେଇ ଓ ଭାଙ୍ଗ ଆଦି ଅବାଧରେ ବିକ୍ରି ଚାଲିଛି । ନିଶା କବଳରେ ପଡ଼ି ଅନେକ ଜୀବନ ବି ଗଲାଣି । ମହାବୀର ଛକର ଶିବପ୍ରସାଦ ସାହୁ(୨୧) ଓ ବେଙ୍ଗବତି ବସ୍ତିର ମଟୁ ଖାଁ(୩୦)ଙ୍କ ନିଶା ସେବନ ଯୋଗୁ ମୃତ୍ୟୁ ଘଟିଛି । ସେହିପରି ନିଶା ବେପାରକୁ ନେଇ ରାକେଶ ଦାସ ନାମକ ଜଣେ ଯୁବକଙ୍କୁ ନିଶାଡ଼ି ମାନେ ହତ୍ୟା କରିଥିଲେ । ଅଳ୍ପ କିଛିଦିନ ମଧ୍ୟରେ ଏତେ ସବୁ ଘଟଣା ଘଟିଥିଲେ ମଧ୍ୟ ପୁଲିସ ନୀରବ ଦ୍ରଷ୍ଟା ସାଜିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।