ରାଉରକେଲା, ୩୧।୧: ଭତ୍ତା ଟଙ୍କା ୧୫ ତାରିଖରେ ମିଳେ । ୧୦-୧୫ ଦିନ ଯେମିତି ସେମିତି ଲୁଣ ଲଙ୍କାରେ ଚଳିଯାଏ । ଭତ୍ତା ଟଙ୍କା ସରିଲେ ଭାତ ପାଖରୁ ତିଅଣ ଯୋଗାଡ଼ କରିବା କଷ୍ଟକର । ଶୁଖିଲା ଭାତରେ ପେଟ ପୂରେ । ଚିକ୍ମିକ୍ ଆଲୁଅରେ ଝଲସୁଥିବା ଶିଳ୍ପନଗରୀ ରାଉରକେଲାରେ ଭଙ୍ଗାଦଦରା ଘରେ ଏମିତି ଦୁର୍ଦ୍ଦିନରେ ବଞ୍ଚିଛନ୍ତି ଦୃଷ୍ଟିବାଧିତ ବୃଦ୍ଧ ଦମ୍ପତି ୭୦ ବର୍ଷୀୟ ତାରକେଶ୍ୱର ଗୁପ୍ତା ଓ ୬୦ ବର୍ଷୀୟ ଶାନ୍ତି ଗୁପ୍ତା । ବିହାର ଗୟା ମାନପୁର ଅଞ୍ଚଳର ମୂଳ ବାସିନ୍ଦା ହେଉଛନ୍ତି ତାରକେଶ୍ୱର । ୪୫ ବର୍ଷ ପୂର୍ବେ ସେ କାମ ଅନ୍ୱେଷଣରେ ବାପା ବି.ଏଲ୍. ଗୁପ୍ତାଙ୍କ ସହ ରାଉରକେଲା ଚାଲି ଆସିଥିଲେ । ରାଉରକେଲା ନିକଟ ଦେଓଗାଁ ଧବଳେଶ୍ୱର ମାର୍କେଟ୍ ଅଞ୍ଚଳରେ ଦୋକାନ କରି ବାପପୁଅ ବ୍ୟବସାୟ ଆରମ୍ଭ କରିଥିଲେ । ରାଉରକେଲାରେ ରହଣି ଭିତରେ ଶାନ୍ତିଙ୍କୁ ବିବାହ କରିଥିଲେ ତାରକେଶ୍ୱର । ପରବର୍ତ୍ତୀ ସମୟରେ ଦୋକାନକୁ ଲାଗି ରହିଥିବା ଜମିରେ ଗୋଟିଏ କୋଠରୀ ବିଶିଷ୍ଟ ଘର ଆଜବେଷ୍ଟସ୍ ଘର ତିଆରି କରିଥିଲେ ।
ଗୁପ୍ତା ଦମ୍ପତି ନିଃସନ୍ତାନ । ବାପାଙ୍କ ଅନ୍ତେ ସ୍ୱାମୀ-ସ୍ତ୍ରୀ ଏକାଠି ଚଳୁଥିଲେ । ତାରକେଶ୍ୱର ଜଲଦା ହାଟରେ ମନୋହରି ଜିନିଷ ବିକ୍ରି କରୁଥିଲେ । ସକାଳୁ ସଞ୍ଜ ଯାଏଁ ଖଟିବା ଭିତରେ ଯାହା ରୋଜଗାର କରୁଥିଲେ, ସେଥିରେ ହସଖୁସିରେ ଚଳୁଥିବା ପରିବାର । ସବୁ ଠିକ୍ଠାକ ଚାଲିଥିଲା । ମାତ୍ର ବୟସ ବଢ଼ିବା ସହ ତାଙ୍କ ଦୃଷ୍ଟି ଶକ୍ତି କମିଗଲା । ଶାନ୍ତିଙ୍କର ମଧ୍ୟ ଅନୁରୂପ ସମସ୍ୟା ଦେଖାଗଲା । ସୀମିତ ସମ୍ବଳରେ ଚକ୍ଷୁ ଚିକିତ୍ସା କରି ନ ପାରିବାରୁ ଦୁହିଁଙ୍କ ଆଖିକୁ ଏବେ ଦେଖା ଯାଉନାହିଁ । ଏଭଳି ସମୟରେ ବିଦ୍ୟୁତ୍ ବିଭାଗ ମଧ୍ୟ ଦାଉ ସାଧିଥିଲା । ବିଲ୍ ପୈଠ କରି ନ ପାରିବାରୁ ବିଦ୍ୟୁତ୍ ସଂଯୋଗ କାଟିଦେଲା । ଏହା ପରେ ଗତ କିଛି ବର୍ଷ ହେଲା ଗୁପ୍ତା ଦମ୍ପତି ବଡ଼ ସମସ୍ୟାରେ ଦିନ ବିତାଉଛନ୍ତି । ସଞ୍ଜ ଗଡ଼ିଲେ ସେମାନଙ୍କ ଅସହାୟତା ଆହୁରି ବଢ଼ିଯାଉଛି । ଦୋକାନ ଖଣ୍ଡିକ ମଧ୍ୟ ଭାଙ୍ଗିରୁଜି ଗଲାଣି । ଘରର ଅବସ୍ଥା କହିଲେ ନ ସରେ । ଆଜବେଷ୍ଟସ୍ ଭାଙ୍ଗିରୁଜି ଗଲାଣି । ବର୍ଷା ଦିନେ ପାଣି ଗଳୁଛି । ଏଭଳି ସ୍ଥିତିରେ ଅନ୍ଧକାର କୋଠରୀରେ ବୟସର ସାୟାହ୍ନରେ ଦିନ ଗଣୁଛନ୍ତି ବୃଦ୍ଧ ଦମ୍ପତି ।
ତାରକେଶ୍ୱର ଏବଂ ଶାନ୍ତିଙ୍କ କହିବା କଥା, ସରକାର ଦୁଇ ଜଣଙ୍କୁ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି । ମାସକୁ ୩୫ କେଜି ଚାଉଳ ମିଳୁଛି । ଭତ୍ତା ଟଙ୍କାରେ ଚଳିବା କଷ୍ଟକର ହେଉଛି । ଟଙ୍କା ସରିଗଲେ ଶୁଖିଲା ଭାତ କିମ୍ବା ଚୁଡ଼ା ଖାଇ ରହୁଛନ୍ତି । ଭତ୍ତା ଟଙ୍କା ଆଣିବାକୁ ବଡ଼କଷ୍ଟରେ ଯାଉଛନ୍ତି । ରାଉରକେଲାରେ ସେମାନଙ୍କର କୌଣସି ସମ୍ପର୍କୀୟ ମଧ୍ୟ ନାହାନ୍ତି । ତେଣୁ ଦମ୍ପତି ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ସେମାନେ ଚକ୍ଷୁ ଚିକିତ୍ସା କରିପାରନ୍ତେ ବୋଲି ଗୁପ୍ତା ଦମ୍ପତି ନିବେଦନ କରିଛନ୍ତି ।
ଆହୁରି ପଢ଼ନ୍ତୁ... 'କାମ ହେବ, କୁକୁଡ଼ା ଦିଅ'... ଅଜବ ଲାଞ୍ଚ ମାଗୁଛନ୍ତି ସରକାରୀ ଅଧିକାରୀ, ସାବାଡ଼ କଲେ ବ୍ଲକବାସୀ