ମୁମ୍ବାଇ,୧୯।୮: ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ହେଉଥିବା ବର୍ଷା ଏବେ ଆହୁରି ଅଧିକ ବିପଦ ବଢାଇଛି। ରାଜ୍ୟରେ ଲଗାତାର ହେଉଥିବା ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ସେଭଳି ଶତାଧିକ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ନାନ୍ଦେଡରେ ବାଦଲଫଟା ବର୍ଷା ସ୍ଥିତିକୁ ଅଧିକ ଭୟଙ୍କର କରିଛି। ରାଜରେ ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଲୋକଙ୍କୁ କହିଛନ୍ତି, ଆଗାମୀ ୪୮ ଘଣ୍ଟା ଖୁବ୍ ଗୁରୁତ୍ବପୂର୍ଣ୍ଣ। ତେଣୁ ସମସ୍ତେ ସାବଧାନ ରୁହନ୍ତୁ। ମୁମ୍ବାଇ, ଥାଣେ, ରାଇଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ ଜିଲ୍ଲାକୁ ହାଇଆଲର୍ଟ କରାଯାଇଛି। ବର୍ଷା ଯୋଗୁଁ ଟ୍ରାକ୍ରେ ପାଣି ଭରିଯାଇଛି। ଏହି କାରଣରୁ ମଧ୍ୟ ରେଲଓ୍ବେ ୭ଟି ଟ୍ରେନ୍କୁ ରଦ୍ଦ କରି ଦଆଯାଇଛି। ଅନେକ ଟ୍ରେନ୍ର ରୁଟ୍ ମଧ୍ୟ ଡାଇଭର୍ଟ କରାଯାଇଛି। ଏହା ସହ ପ୍ରାୟ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ,ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବଂ ମୌସୁମୀ ପବନର ଶକ୍ତି ବୃଦ୍ଧି ଯୋଗୁଁ ପ୍ରବଳ ବର୍ଷା ହୋଇଛି। ଆଇଏମଡି ଆଗାମୀ ଦୁଇ ଦିନ ପାଇଁ ମୁମ୍ବାଇ ସମେତ କୋଙ୍କଣ ଏବଂ ମଧ୍ୟ ମହାରାଷ୍ଟ୍ରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ମରଠୱାଡା ଏବଂ ବିଦର୍ଭରେ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି, ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ୧୦ ଲକ୍ଷ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବର୍ଷା ବନ୍ଦ ହେବାପରେ କ୍ଷୟକ୍ଷତିର ଆକଳନ କରାଯିବ।