କଟକ / ନିଆଳି ୧୪/୧୦: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥାଏ । ହଠାତ୍ ଜଣେ ବ୍ୟକ୍ତି ବ୍ୟାଗ୍ରେ ଏକ କଳା ରଙ୍ଗର ଛେଳି ଛୁଆ ନେଇ ସେଠି ପହଞ୍ଚିଲେ । କହିଲେ, ‘ସାର୍ ମୋ ଘର ଉପରେ ୧୧ କେଭି ବିଜୁଳି ତାର ଯାଇଛି । ଏହାର ସଂସ୍ପର୍ଶରେ ଆସି ମୋର ୩ଟି ଛେଳି ମରି ସାରିଲେଣି । ଏବେ ଏଇ ଗୋଟାକୁ ଆପଣ ବଞ୍ଚାଇ ଦିଅନ୍ତୁ ।ଘଟଣାଟି କୌତୂହଳପୂର୍ଣ୍ଣ ଲାଗୁଥିଲେ ବି ଜିଲ୍ଲାପାଳ ଏ ବାବଦରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କଠାରୁ ସବିଶେଷ ବିବରଣୀ ବୁଝିବାକୁ ଚାହିଲେ । ଏସ୍ଡିଓ କହିଲେ, ‘ସାର୍ ଭୁଲ୍ ଛେଳିର ନୁହେଁ, ଛେଳି-ମାଲିକ ଏ ଲୋକର.. । ବେଆଇନ୍ ଭାବେ ୧୧ କେଭି ତାର ତଳେ ଘର କରିଛନ୍ତି । ତାଙ୍କ ନାଁରେ ପୂର୍ବରୁ ଥାନାରେ ଏତଲା ବି ଦିଆଯାଇଛି ।’ ନିଆଳିରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ସୋମବାର ଏଭଳି ଏକ କୌତୂହଳୋଦ୍ଦୀପକ ଘଟଣା ଦେଖିବାକୁ ମିଳିଥିଲା ।
ଖବର ମୁତାବକ, ନିଆଳି ବାହାରଣା ପଞ୍ଚାୟତର ଅଠାନ୍ତର ଗ୍ରାମର ବିଷ୍ଣୁ କୁମାର ବେହେରା(୪୯) ଛେଳି ଚାଷ କରନ୍ତି । ଗାଁରେ ତାଙ୍କର ଏକ ମହଲା ବିଶିଷ୍ଟ ଏକ ଛାତ ଘର ରହିଛି । ବିଷ୍ଣୁଙ୍କ ଘର ଉପରେ ୧୧ କେଭି ବିଦ୍ୟୁତ ତାର ଯାଇଛି । ବିଷ୍ଣୁଙ୍କ କହିବା କଥା, ଛେଳିମାନେ ଶିଡ଼ି ଘର ରାସ୍ତାରେ ଛାତ ଉପରକୁ ଯାଇ ଉଚ୍ଚଶକ୍ତି ସଂପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ମରିଯାଉଛନ୍ତି । ପୂର୍ବରୁ ତାଙ୍କର ତିନୋଟି ଛେଳି ଏଭଳି ଭାବେ ମରିସାରିଛନ୍ତି । ଏ ବାବଦରେ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିବା ସତ୍ତେ୍ୱ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ତେଣୁ ତାଙ୍କ ଘର ପାଖରେ ବିଦ୍ୟୁତ ଖୁଣ୍ଟ ପକାଇଦେଲେ ତାର ଉପରକୁ ଉଠିଯିବ, ଯାହାଫଳରେ ଆଉ ସମସ୍ୟା ରହିବ ନାହିଁ କି ଜୀବନହାନି ହେବନି । ବିଷ୍ଣୁଙ୍କ ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ହାଜର ହୋଇ ଏହା ଜଣାଇଥିଲେ । ସାଙ୍ଗରେ ଛେଳିକୁ ଧରି ଆସିଥିଲେ । ବ୍ୟାଗ୍ରେ ଛେଳିକୁ ପୂରାଇ ଜିଲ୍ଲାପାଳଙ୍କୁ ଛେଳିର ଜୀବନ ରକ୍ଷା ପାଇଁ ନିବେଦନ କରିଥିଲେ ।
ତେବେ ଏ ବାବଦରେ ସେଠାରେ ଉପସ୍ଥିତ ଥିବା ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ପଚରା ଯିବାରୁ ଏସ୍ଡିଓ ସନ୍ତୋଷ କୁମାର ଖୁଣ୍ଟିଆ କହିଥିଲେ, ୧୧ କେଭି ତାର ତଳେ ଘର କରିବାର ନିୟମ ନାହିଁ । କିନ୍ତୁ ବିଷ୍ଣୁ ଜବରଦସ୍ତ ସେଠି ଛାତଘର କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କ ଛାତ ଘରର ଉଚ୍ଚତା ହେଲା ୧୦ ଫୁଟ୍ । ତାଙ୍କ ଘର ଉପରେ ଯାଇଥିବା ୧୧ କେଭି ତାର ଅନ୍ତତଃପକ୍ଷେ ୨୦ଫୁଟ୍ ଉଚ୍ଚରେ ରହିଛି । ତେଣୁ ପୂର୍ବରୁ ଛେଳି ନିର୍ଦ୍ଦିଷ୍ଟ ଭାବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ପାଲଟା ଅଭିଯୋଗ କରି ନିଜ ଭୁଲ୍ ଘୋଡ଼ାଇବାକୁ ସେ ଏଭଳି ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ଖୁଣ୍ଟିଆ ଜଣାଇଥିଲେ । ଏମିତିକି ବିଷ୍ଣୁଙ୍କ ନାମରେ ପୂର୍ବରୁ ନିଆଳି ଥାନାରେ ବିଦ୍ୟୁତ ବିଭାଗ ତରଫରୁ ଅଭିଯୋଗ କରାଯାଇଛି । ଏନେଇ ଆଗାମୀ ଦିନରେ ବିଦ୍ୟୁତ ବିଭାଗର ଏକ ଟିମ୍ ବିଷ୍ଣୁଙ୍କ ଘର ପାଖକୁ ଯାଇ ଯାଞ୍ଚ୍ କରିବ ବୋଲି ସେ କହିଥିଲେ । ଘଟଣାଟି ରୋଚକ ଥିଲା ଓ ଚର୍ଚ୍ଚାର ବିଷୟ ପାଲଟିଥିଲା ।