ନବରଙ୍ଗପୁର,୧୭/୧୧(ଆପ୍ର): ସ୍କୁଲ କାନ୍ଥରେ ଲମ୍ବିଥିଲା ବୁଢିଆଣୀ ଜାଲ ଓ ଅଳନ୍ଧୁ। ସ୍କୁଲ ପରିବେଶ ଦେଖି ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ଜିଲ୍ଲା ଶିକ୍ଷାଧିକାରୀ ବିଗିଡ଼ିଥିଲେ । ଶେଷରେ ନିଜେ ଝାଡୁଧରି କାନ୍ଥରେ ଥିବା ବୁଢିଆଣୀ ଜାଲ ଓ ଅଳନ୍ଧୁକୁ ସଫା କରିଛନ୍ତି ଖୋଦ୍ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ବ୍ଳକ ସାନମସି ଗାଁ ହାଇସ୍କୁଲରେ।
ସୋମବାର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ସାନମସି ଗାଁ ହାଇସ୍କୁଲ ପରିଦର୍ଶନ ଯାଇଥିଲେ। ସ୍କୁଲ ଭିତରେ ପଶିଲା ବେଳକୁ ସ୍କୁଲ କାନ୍ଥ ଗୁଡିକରେ ଲମ୍ବିଥିବା ଵୁଢିଆଣି ଜାଲ ଓ ଅଳନ୍ଧୁ । ସତେ ଯେପରି ବର୍ଷ ବର୍ଷ ଧରି ସଫେଇ ହୋଇନାହିଁ। ଭୂତକୋଠି ଭଳି ଦୃଶ୍ୟ ଦେଖି ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ଵର୍ଷିଥିଲେ। ସ୍କୁଲ ବିଦ୍ୟାର ମନ୍ଦିର ହୋଇଥିବା ବେଳେ ଅପରିଷ୍କାର ପରିବେଶରେ ଶିକ୍ଷା ଦାନକୁ ନେଇ ବିଗିଡ଼ି ଥିଲେ। ଡିଇଓ ବିଗିଡିବା ପରେ ମଧ୍ୟ କୌଣସି କର୍ମଚାରୀ ପ୍ରତିକ୍ରିୟା ଦେଇନଥିଲେ ନୀରଵ ରହିଯାଇଥିଲେ। ଶେଷରେ ଡିଇଓ ଛତ୍ରପତି ସାହୁ ନିଜେ ଏକ ଝାଡ଼ୁ ଧରି ସ୍କୁଲ କାନ୍ଥ ଗୁଡ଼ିକକୁ ସଫା କରିଛନ୍ତି। ସେଭଳି ମଧ୍ୟାହ୍ନଭୋଜନ ତଦାରଖ କରିଥିଲେ। ସୋମବାର ମଧ୍ୟାହ୍ନ ଭୋଜନରେ ମେନ୍ୟୁରେ ଅଣ୍ଡା ତରକାରୀ ଥିବା ବେଳେ ଅଣ୍ଡା ବଦଳରେ ଡାଲମା ପ୍ରସ୍ତୁତ ହୋଇଥିଲା । ଛାତ୍ର ଛାତ୍ରୀଙ୍କ ସହ କଥା ହେବା ସହିତ ପାଠ ପଢ଼ାଇ ଜିଲ୍ଲା ଶିକ୍ଷା ଅଧିକାରୀ ଫେରିଥିଲେ।