ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଯାପିତ

କୋକସରା୨୩/୦୧କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ପରିଚାଳନା ପରିଷଦର ପ୍ରତିଷ୍ଠାତା ସଂପାଦକ ବ୍ୟୋମକେଶ ପଣ୍ଡା ସଭାପତିତ୍ୱ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି, ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠାତା ସଭ୍ୟ ପୁରୁଷୋତ୍ତମ ଦାସଗୁପ୍ତା ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ସାମଗ୍ରିକ ବିକାଶ ପାଇଁ ଏହିପରି ଶିବିରର ଆୟୋଜନର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।
ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ଶାନ୍ତନୁ କୁମାର ପରିଡା ତିନିଦିନିଆ ଶିବିରର ଅନୁଭୂତି ବର୍ଣ୍ଣନା କରିଥିଲେ । ଶିବିରର ନିର୍ଦ୍ଦେଶକ ଅଧ୍ୟାପକ ସୁବ୍ରତ କୁମାର ବେହେରା ଶିବିରର ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲାବେଳେ ପରାମର୍ଶଦାତା ମାନସ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଈରୀ ନାଶନ ଚିନ୍ଦା ଓ ଚନ୍ଦ୍ରଚୁଡ ବେହେରା ପରିଚାଳନା କରିଥିଲେ। ଯୁବ ରେଡକ୍ରସର ତିନିଦିନ ପାଇଁ ଉଦ୍ଧିଷ୍ଟ ଏହି ଶିବିରରେ ରେଡକ୍ରସ ଇତିହାସ, ବିକାଶ ଓ ଚିହ୍ନ,ମୌଳିକ ନିୟମ ବିଷୟରେ ମାନସ ପଣ୍ଡା,ବିପର୍ଯ୍ୟୟ ପରିଚାଳନା ବିଷୟରେ ଓଡିଶା ଅଗ୍ନିଶମ ବିଭାଗ,ପ୍ରାଥମିକ ଚିକିତ୍ସା ବିଷୟରେ ମୋହନ ଚରଣ ବିଷି, ରକ୍ତଦାନର ମହତ୍ତ୍ଵ ବିଷୟରେ ଗୋବିନ୍ଦ ସାହୁ,ସଡକ ସୁରକ୍ଷା ବିଷୟରେ ଦଶମନ୍ତ ରଣା,ଏଚଆଇଭି ଏଡ଼ସ୍ ବିଷୟରେ ସଂଜିବ ସାହୁ ଓ ଝସକେତନ ବାରିକ, ନେତୃତ୍ୱର ବିକାଶ ବିଷୟରେ ଶାନ୍ତନୁ କୁମାର ପରିଡା,ବିଶ୍ୱତାପାୟାନ ବିଷୟରେ ସରୋଜ କୁମାର ପଣ୍ଡା,ନିଶା ମୁକ୍ତ କ୍ୟାମ୍ପସ୍ ବିଷୟରେ ସଂଜିବ କୁମାର ମୁଣ୍ଡ,ବ୍ୟକ୍ତିତ୍ୱ ବିକାଶ ବିଷୟରେ ଚନ୍ଦ୍ରଚୁଡ ବେହେରା ଓ ଯୋଗ ବିଷୟରେ ଅନିଲ କୁମାର ମାଝୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହା ବ୍ୟତୀତ ଶିବିରାର୍ଥୀମାନଙ୍କ ମଧ୍ୟରେ ପ୍ରବନ୍ଧ,ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ସ୍ବେଚ୍ଛାସେବୀ ମାନେ କୋକସରା ପରିକ୍ରମା କରି ସଡକ ସୁରକ୍ଷା, ନିଶା ନିବାରଣ,ଏଡ଼ସ୍,ସ୍ବଚ୍ଛତା, ବୃକ୍ଷରୋପଣ ଉପରେ ସଚେତନ କରିଥିଲେ। ଶିବିରରେ ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୨୦ ଜଣ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ।ଏହି ଶିବିର ପରିଚାଳନାରେ କୋକସରା ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଯୁବରେଡକ୍ରସ ଏନସିସି ଓ ଏନଏସଏସ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।