ରତ୍ନଗର୍ଭା ଭାରତ । ଏହି ଦେଶର ସମସ୍ତ ରାଜ୍ୟ ବିଭିନ୍ନ କାରଣ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି । କାହାର ପର୍ଯ୍ୟଟନ କ୍ଷେତ୍ର ଉନ୍ନତ ତ କାହାର ଉନ୍ନତ କୃଷି ଓ କିଏ ଖଣିଜ ସମ୍ପଦରେ ଭରପୂର । ଖଣିଜ ସମ୍ପଦଭରା ରାଜ୍ୟ-ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶା ଇତ୍ୟାଦିର ଭୂଗର୍ଭରେ ଲୁହାପଥର, କୋଇଲା, ମାଙ୍ଗାନିଜ, କ୍ରୋମାଇଟ୍, ଡୋଲମାଇଟ୍ ଓ ବକ୍ସାଇଟ୍ ଆଦି ଖଣିଜ ଦ୍ରବ୍ୟ ଭରପୂର ଥିବାବେଳେ ଭୂପୃଷ୍ଠରେ ଜଳ, ଜଙ୍ଗଲ ଓ ଜମି ପର୍ଯ୍ୟାପ୍ତ ପରିମାଣରେ ରହିଛି । ଏହିସବୁ ସମ୍ପତ୍ତିକୁ ଖନନ ଓ ବ୍ୟବହାର କରି ଭାରତ ତାର ଅର୍ଥନୀତିକୁ ସୁଦୃଢ଼ କରୁଛି । ଦିନ ଥିଲା, ବିଦେଶ ଶକ୍ତିମାନେ ଖଣିଜ ସମ୍ପଦର ଲୋଭ ଏଡ଼ାଇନପାରି ବ୍ୟବସାୟ ପାଇଁ ମନ ବଳାଇ ବହୁବର୍ଷ ଧରି ଆମକୁ ଶାସନ କଲେ । ଇଂରେଜମାନେ ୨୦୦ବର୍ଷ ଧରି ଶାସନ କରି ଅନେକ ସମ୍ପତ୍ତି ତାଙ୍କ ଦେଶକୁ ଚାଲାଣ କରିଥିଲେ ।

ଆମ ଦେଶରେ ତତ୍କାଳୀନ ଶାସକମାନଙ୍କ ମଧ୍ୟରେ ସହମତି, ସହଯୋଗିତା ଓ ନିଷ୍ଠାପରତା ଅଭାବ ପାଇଁ ବିଦେଶୀ ଶାସକମାନେ ଅନାୟାସରେ ଶାସନ କରି ଖଣିଜ ସମ୍ପଦକୁ ଲୁଣ୍ଠନ କରିଚାଲିଲେ । ସଚେତନତା ଓ ଶିକ୍ଷା ବୃଦ୍ଧି ଯୋଗୁଁ ଆନ୍ଦୋଳନ ମାଧ୍ୟମରେ ଦେଶକୁ ସ୍ୱାଧୀନତା ମିଳିଲା । ଏହା ଭିତରେ ୭୭ବର୍ଷ ବିତିଗଲାଣି । ମହଜୁଦ୍ ଥିବା ଖଣିଜ ସମ୍ପଦକୁ ସଠିକ୍ ଭାବରେ ଖନନ ଓ ବ୍ୟବହାର କରି ରାଜ୍ୟ ତଥା ଦେଶର ଆୟ ବୃଦ୍ଧି କରିବା ସଙ୍ଗେ ଅର୍ଥନୀତିକୁ ମଧ୍ୟ ଆଗେଇନେବାକୁ ହେବ । ମାତ୍ର ଦେଖାଯାଉଛି ପରିଚାଳନା ତ୍ରୁଟି ହେଉ କିମ୍ବା ଦୂରଦୃଷ୍ଟିସମ୍ପନ୍ନ ହେଉ, ଦେଶ ଅନେକ କ୍ଷତି ସହିବା ସହିତ ସାଧାରଣ ଲୋକେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ ଭାବରେ ଖଣି ଖନନ ଓ ପରିବହନ ଦ୍ୱାରା ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପରିବେଶ କଳୁଷିତ ହେବା, ସ୍ୱାସ୍ଥ୍ୟହାନି ହେବା, ଶିକ୍ଷା ଓ ଗମନାଗମନର ଅସୁବିଧା ଭୋଗିବା ଯୋଗୁଁ ସେମାନଙ୍କର ଜୀବନ ମଧ୍ୟ ଦୁର୍ବିସହ ହୋଇପଡୁଛି । ଏହାକୁ ହୃଦୟଙ୍ଗମ କରି ଜୀବନ ପ୍ରବାହର ଉନ୍ନତି ପାଇଁ ଜାତୀୟ ସ୍ତରରେ ୨୦୧୫ ମସିହାରେ ଏମ୍.ଏମ୍.ଡି.ଆର୍ (ମାଇନ୍ସ, ମିନେରାଲ୍ସ ଡେଭେଲପମେଣ୍ଟ ରେଗୁଲେସନ) ଆଇନ ଅଣାଗଲା ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନମାନ ରାଜ୍ୟସ୍ତରରେ ପ୍ରତିଷ୍ଠା କରି ପ୍ରତ୍ୟେକ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଗଲା, ଯାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏକ ଲାଭବିହୀନ ଟ୍ରଷ୍ଟ, ଯାହା ଭାରତର ଖଣିଖାଦାନ ଦ୍ୱାରା ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକ ପାଇଁ ଉଦ୍ଦିଷ୍ଟ । ଖଣି କାର୍ଯ୍ୟଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଜିଲ୍ଲାର ଅଧିବାସୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଓ ପରିବେଶ ପ୍ରତି ସ୍ୱତନ୍ତ୍ର ଭାବରେ ଦୃଷ୍ଟିଦେବା ପାଇଁ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପି.ଏମ୍.କେ.କେ.କେ.ୱାଇ) ଅଧୀନରେ ଖଣି ଓ ଖଣିଜ ଦ୍ରବ୍ୟ ଆଇନକୁ ସଂଶୋଧନ ଦ୍ୱାରା ଲମ୍ବା ଅବଧିର ସ୍ଥାନୀୟ ଲୋକମାନଙ୍କ ଉପକାର ଓ ଉନ୍ନତି ପାଇଁ ପାଣ୍ଠି ସଂଗ୍ରହ କରି ବିନିଯୋଗର ଲକ୍ଷ୍ୟ ସାଧନ ପାଇଁ ଏହାର ସୃଷ୍ଟି ଅଟେ । ଜିଲ୍ଲା ଖଣିଜ ପ୍ରତିଷ୍ଠାନଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଲା ଖଣିଜ ପାଣ୍ଠି ଗଠନ, ସଂଗ୍ରହ ଓ ଉତ୍ତମ ପରିଚଳନା । ଏହାର ମୋଟାମୋଟି କ୍ଷେତ୍ରଗୁଡ଼ିକ ହେଲା ଖଣିଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷ ଓ ଅଞ୍ଚଳର ଉପକାର ଏବଂ ଉନ୍ନତି, ଖଣି ଲିଜ୍ଧାରୀମାନେ ଦେଉଥିବା ରୟାଲ୍ଟିର କିଛି ଅଂଶ ପ୍ରଦାନ କରିବା ସହିତ ଆବଶ୍ୟକ କ୍ଷେତ୍ରକୁ ଅନୁଧ୍ୟାନ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଦକ୍ଷତା ବିକାଶ, ନାରୀ ତଥା ଶିଶୁ ବିକାଶ ଓ ପରିବେଶ କ୍ଷେତ୍ରରେ ଅର୍ଥ ବିନିଯୋଗ କରିବା । ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗ କରିବା ପାଇଁ କୈଫିୟତଯୋଗ୍ୟ ପଦକ୍ଷେପ ଯଥା- ବାର୍ଷିକ ଅଡିଟ୍ ଓ ରିପୋର୍ଟ ପ୍ରକାଶ କରିବା, ଖଣି ପ୍ରଭାବିତ ଅଧିବାସୀମାନଙ୍କୁ ଶୁଣିବା ପାଇଁ ଅଭିଯୋଗ କକ୍ଷର ଆୟୋଜନ କରିବା, ପାଣ୍ଠି ଖର୍ଚ୍ଚ କରିବାରେ ସ୍ୱଚ୍ଛତା ଆଣିବା ଏବଂ ଆଇନ ମଧ୍ୟରେ ରହି ଖର୍ଚ୍ଚ କରିବା ପାଇଁ ଯଥାସାଧ୍ୟ ଚେଷ୍ଟାହେବା ଉଚିତ୍ । ଖଣିଜ ପାଣ୍ଠିକୁ ବିନିଯୋଗ କଲାବେଳେ ମୁଖ୍ୟତଃ ୩ଟି ଦିଗକୁ ତର୍ଜମା କରିବା ଆବଶ୍ୟକ । ପ୍ରଥମତଃ, ଖଣି ଉତ୍ତୋଳନ ଓ ପର ସମୟରେ ଲୋକମାନେ ଏହାଦ୍ୱାରା ଆଦୌ ପ୍ରଭାବିତ ହେବେନାହିଁ ବା ଅଳ୍ପ ପ୍ରଭାବିତ ହେବେ । ପରିବେଶ, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ପ୍ରଭାବକୁ ଦୃଷ୍ଟିରେ ରଖି ସମୟପୋଯୋଗୀ ପଦକ୍ଷେପମାନ ଗ୍ରହଣ କରିବା ଉଚିତ୍ । ଦ୍ୱିତୀୟରେ, ଖଣି ଯୋଗୁଁ ଜମି, ଜୀବିକା ଓ ରୋଜଗାର ହରାଇଥିବା ଲୋକମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତର ଆୟକୁ ସୁନିଶ୍ଚିତ କରି ଜୀବନଧାରଣର ମାନ ବୃଦ୍ଧି କରିବା । ତୃତୀୟରେ, ବିଭିନ୍ନ ପ୍ରକାର ଆବଶ୍ୟକୀୟ ଲାଭପ୍ରଦ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା । ବିଶେଷ ଭାବରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରଚଳିତ ଥିବା କାର୍ଯ୍ୟକ୍ରମଗୁଡିକୁ ଉଚିତ୍ ଭାବରେ ଲାଗୁ କରାଇବା ।

ଏମ୍.ଏମ୍.ଡି.ଆର ଆକ୍ଟ ୧୯୫୭ର ଧାରା ୯(ଖ), ଉପଧାରା(୧) ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସରକାର ଖଣିକାର୍ଯ୍ୟ ଦ୍ୱାରା ପ୍ରଭାବିତ ଜିଲ୍ଲାଗୁଡିକରେ ଜିଲ୍ଲା ଖଣିଜ ପାଣ୍ଠିର ବନ୍ଦୋବସ୍ତ କରିପାରିବେ । ଏହି ଆଇନର ଧାରା ୯(ଖ), ଉପଧାରା (୩) ଖଣିଜ ପାଣ୍ଠିକୁ କିପରି ପରିଚାଳନା କରାଯିବ ତାର ନିୟମାବଳୀ ରାଜ୍ୟମାନଙ୍କୁ ଦିଆହୋଇଅଛି । ଭାରତ ସରକାର ମଧ୍ୟ ପି.ଏମ୍.କେ.କେ.କେ.ୱାଇ ଅଧୀନରେ ଥିବା ନିର୍ଦ୍ଦେଶାବଳୀକୁ ଜିଲ୍ଲା ଖଣିଜ ପାଣ୍ଠିର ପରିଚାଳନା ପାଇଁ ଯୋଗାଇ ଦେଇଛନ୍ତି । ଏଥିରେ ସଂଗୃହୀତ ଜିଲ୍ଲା ଖଣିଜ ପାଣ୍ଠିକୁ ବିନିଯୋଗ କରିବା ପାଇଁ ୨ଟି ସ୍ତରରେ ବିଭକ୍ତ କରାଯାଇଛି । ପ୍ରଥମେ ଅତ୍ୟାବଶ୍ୟକ ଯଥା- ପାନୀୟଜଳ, ସ୍ୱାସ୍ଥ୍ୟ ଯତ୍ନ, ଶିକ୍ଷା, ପରିବେଶ ଓ ସ୍ୱଚ୍ଛତା କ୍ଷେତ୍ରରେ ୭୦% ବିନିଯୋଗ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୩୦% ପର୍ଯ୍ୟନ୍ତ ସଡ଼କ ଓ ସେତୁ ଭିତ୍ତିଭୂମି, ଜଳସେଚନ ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବିନିଯୋଗ ହେବ । ଉଲ୍ଲେଖଥାଉ କି, ପ୍ରତ୍ୟକ୍ଷ ଭାବରେ ଯେଉଁ ଅଞ୍ଚଳରେ ଖଣି ଉତ୍ତୋଳନ ଦ୍ୱାରା ଲୋକମାନେ କ୍ଷତିଗ୍ରସ୍ତ ହେଉଥିବେ ଏହି ପାଣ୍ଠିରୁ ୭୦% ନିଶ୍ଚିତ ଖର୍ଚ୍ଚହେବ । ଖଣିଖାଦାନ ଉତ୍ତୋଳନ କରିବାପାଇଁ ଲିଜ୍ଧାରୀମାନଙ୍କୁ ସରକାରଙ୍କର ଅନୁମତି ମିଳିଥାଏ । ସେମାନେ ଏହି ଜିଲ୍ଲା ଖଣିଜ ପାଣ୍ଠିକୁ ନିୟମିତ ରୟାଲ୍ଟି ପୈଠ ବ୍ୟତୀତ ଅଧିକ ପ୍ରତିଶତ ଅଂଶ ମଧ୍ୟ ପୈଠ କରିଥାନ୍ତି । ୨୦୧୫ ମସିହା ପୂର୍ବରୁ ପାଇଥିବା ଲିଜ୍ଧାରୀମାନେ ୩୦% ଏବଂ ନିଲାମ ଦ୍ୱାରା ୨୦୧୫ ବର୍ଷ ପରେ ପାଇଥିବା ଲିଜ୍ଧାରୀମାନେ ରୟାଲ୍ଟିର ୧୦% ଏଥିରେ ପୈଠ କରନ୍ତି । ତଥ୍ୟ ଅନୁଯାୟୀ, ୨୦୨୫ ବର୍ଷ ସୁଦ୍ଧା ଜାତୀୟସ୍ତରରେ ୧.୪୨ଲକ୍ଷ କୋଟି ଟଙ୍କା ୨୩ଟି ରାଜ୍ୟର ୬୪୬ ଜିଲ୍ଲାରୁ ସଂଗ୍ରହ ହୋଇଛି ।

ଓଡ଼ିଶା ସରକାର ଏମ୍.ଏମ୍.ଡି.ଆର ଆଇନ୍୧୯୫୭, ଜିଲ୍ଲା ଖଣିଜ ପାଣ୍ଠି ନିୟମ ୨୦୧୫ର ଧାରା ୯(ଖ) ଅନୁସାରେ ଜାନୁଆରୀ ମାସ ୧୨ ତାରିଖ, ୨୦୧୫ ମସିହାଠାରୁ ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତି ଜିଲ୍ଲାରେ ଗଠନ ହୋଇ ଖଣିକାର୍ଯ୍ୟ ଚାଲୁଥିବା ସମୟରେ ବା ସରିଲା ପରେ ମଧ୍ୟ ସେମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଯେମିତି ଉପକାର ପାଇବେ, ତାହା ପ୍ରତି ଦୃଷ୍ଟି ଦିଆଯାଉଛି । ଏହି ଖଣିଜ ପାଣ୍ଠି ଖଣିଦ୍ୱାରା ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଲୋକ ଏବଂ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଅଟେ ଏବଂ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଉତ୍ତୋଳନରୁ ରୟାଲ୍ଟି ଦ୍ୱାରା ସଂଗ୍ରହ ହୋଇ ଧ ଆକାରରେ ଜିଲ୍ଲା ଖଣିଜ କାର୍ଯ୍ୟାଳୟରେ ଜମା ହୋଇଥାଏ ।

ଖଣି ମନ୍ତ୍ରଣାଳୟ ଏହି ପାଣ୍ଠିର ସୁବିନିଯୋଗ ପାଇଁ ଜାତୀୟ ଜିଲ୍ଲା ଖଣିଜ ପାଣ୍ଠିର ନେଟ୍ ପୋର୍ଟାଲ ମାଧ୍ୟମରେ ଦେଶର ୨୩ଟି ରାଜ୍ୟର ୬୪୬ଟି ଜିଲ୍ଲାକୁ ତଦାରଖ କରି ଦୃଷ୍ଟି ଦେଇଥାଏ । ୨୦୨୪ ମସିହାରେ ହୋଇଥିବା ନିୟମ ଅନୁସାରେ ଖଣିଜ କାର୍ଯ୍ୟ ଶେଷ ହେଲାପରେ ମଧ୍ୟ ଆଗାମୀ ୫ବର୍ଷ ପାଇଁ ଖଣିଜ ପାଣ୍ଠିର ୧୦% ଆବଶ୍ୟକୀୟ ଖର୍ଚ୍ଚ ଜୀବନ ବିତାଇବା ପାଇଁ ବିନିଯୋଗ ହେବାର ବନ୍ଦୋବସ୍ତ ଅଛି । ଓଡ଼ିଶା ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ କେଉଁଝରରେ ଲୁହାପଥର ଓ ମାଙ୍ଗାନିଜ, ସୁନ୍ଦରଗଡ଼ରେ ଚୂନପଥର, ମାଙ୍ଗାନିଜ, ଡୋଲମାଇଟ୍ ଓ ଲୁହାପଥର, ଅନୁଗୁଳରେ କୋଇଲା, ଯାଜପୁରରେ କ୍ରୋମାଇଟ୍, ମୟୂରଭଞ୍ଜରେ ସୁନା ଓ ଚିନାମାଟି, କୋରାପୁଟ, କଳାହାଣ୍ଡି, ରାୟଗଡା ଓ ମାଲକାନଗିରି ଜିଲ୍ଲାରେ ବକ୍ସାଇଟ୍ ଇତ୍ୟାଦି ଖଣିଜ ପଦାର୍ଥ ଭରପୂର ଅଛି । ଓଡ଼ିଶା ଦେଶରେ ଖଣିଜ ପଦାର୍ଥ ଉତ୍ତୋଳନରେ ଅଗ୍ରିମ ଭୂମିକା ଗ୍ରହଣ କରେ ।

ଭାରତରେ ମୋଟ୍ ଗଚ୍ଛିତ କ୍ରୋମାଇଟ୍ର ୯୮% ଓଡ଼ିଶାରୁ ମିଳିଥାଏ, ଯାହା ମଧ୍ୟରୁ ସୁକିନ୍ଦା ଅଞ୍ଚଳରୁ ୯୭% ମିଳିଥାଏ । ପ୍ରକାଶଥାଉ କି, ଜିଲ୍ଲା ହିସାବରେ ଓଡ଼ିଶାର କେଉଁଝର ଦେଶରେ ସର୍ବାଧିକ ପାଣ୍ଠି ସଂଗ୍ରହ କରୁଥିବା ଜିଲ୍ଲା ଅଟେ । ପ୍ରତ୍ୟେକ ରାଜ୍ୟରେ ଜିଲ୍ଲାସ୍ତରରେ ଖଣିଜ ପାଣ୍ଠି ସଂଗ୍ରହ ପାଇଁ ଆଇନତଃ ବନ୍ଦୋବସ୍ତ କରାହୋଇଛି ଏବଂ ଏହାର ସୁପରିଚାଳନା ପାଇଁ ମୁଖ୍ୟତଃ ଦୁଇଟି ପ୍ରଶାସନିକ ସ୍ତରରେ ବିଭକ୍ତ ହୋଇଥାଏ । ପ୍ରଥମଟି ପରିଚାଳନା ସମିତି ଗଠନ ହୋଇଥାଏ ଏବଂ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରୁହନ୍ତି । ଦ୍ୱିତୀୟଟି ପରିଚାଳନା କମିଟି ଦ୍ୱାରା ହୋଇଥିବା ଯୋଜନା ନିଷ୍ପତ୍ତିମାନ ଦୈନଦିନ କାର୍ଯ୍ୟକାରୀ କରିବା । ପ୍ରକାଶଥାଉ କି, ଉକ୍ତ କମିଟିରେ ସ୍ଥାନୀୟ ପ୍ରତିନିଧିଙ୍କ ସହିତ ସାଂସଦ, ବିଧାୟକ ଓ ସରକାରୀ ଉଚ୍ଚପଦସ୍ଥ କର୍ମଚାରୀମାନେ ସଦସ୍ୟ ରହିଥାନ୍ତି ଏବଂ ଖଣି ମନ୍ତ୍ରଣାଳୟ ଅଧୀନରେ ଜିଲ୍ଲାପାଳ ମୁଖ୍ୟ ପରିଚାଳନା ଟ୍ରଷ୍ଟି ଭାବରେ କାର୍ଯ୍ୟଭାର ତୁଲାଇଥାନ୍ତି।

ଜିଲ୍ଲା ଖଣିଜ ପାଣ୍ଠିର ମୂଳଉତ୍ସ ହେଲା ଜିଲ୍ଲାରେ ଥିବା କ୍ଷୁଦ୍ର ଓ ବୃହତ ଖଣିକୁ ବ୍ୟବହାର କରି ଲିଜ୍ଧାରୀମାନେ ସରକାରଙ୍କୁ ଦେଉଥିବା ରୟାଲ୍ଟିର କିଛି ଅଂଶ । ଓଡ଼ିଶା ରାଜ୍ୟର କେଉଁଝର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ଦେଶରେ ମଧ୍ୟ ଅଗ୍ରଣୀ ଅଟନ୍ତି । ପରିସଂଖ୍ୟାନ ଅନୁଯାୟୀ, ୨୦୨୫ ବର୍ଷର ମଧ୍ୟଭାଗ ଜୁଲାଇ ମାସ ବେଳକୁ ଏହାର ପରିମାଣ ୩୧୩୨୪ କୋଟି ଟଙ୍କାରେ ପହଞ୍ଚିଛି । ଖଣି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୫ ମସିହା ଡିସେମ୍ବର ମାସ ମଧ୍ୟରେ ସଂଗୃହୀତ ଖଣିଜ ପାଣ୍ଠି ୪୨୦୮.୯୦କୋଟି ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ୨୫୫୮.୮୭କୋଟି ଟଙ୍କାର ଖର୍ଚ୍ଚ ଆକଳନ ମଧ୍ୟରୁ ୧୯୫୮.୫୦କୋଟି ଖର୍ଚ୍ଚ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଯୋଜନାରେ ଉପକାର ପାଉଥିବା ହିତାଧିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଜାତୀୟ ଆୟର ୨୯%, ଛତିଶଗଡ଼ ୧୪% ଓ ଝାଡ଼ଖଣ୍ଡ ୧୩% ପାଇଥାନ୍ତି ।

ଜିଲ୍ଲା ଖଣିଜ ପାଣ୍ଠି ୨୦୧୫ ମସିହାରୁ କାର୍ଯ୍ୟକାରୀ ହେଉଛି । ଖଣିଖାଦାନର ଖନନ, ଉତ୍ତୋଳନ ଓ ପରିବହନ କାର୍ଯ୍ୟଦ୍ୱାରା ଏହି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ-ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଗତ ଦଶବର୍ଷ ମଧ୍ୟରେ ଏହି ଅଞ୍ଚଳରେ ବହୁ ଯୋଜନା ଓ ପଦକ୍ଷେପ ସରକାର କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟ, ପରିବେଶ ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉନଥିବାରୁ ସମସ୍ତେ ଉଦ୍ବେଗ ପ୍ରକାଶ କରୁଛନ୍ତି । ତେଣୁ ଆବଶ୍ୟକ ଜଳ, ଜମି, ଜଳବାୟୁ ଓ ସମ୍ପତ୍ତିକୁ ସର୍ବନିମ୍ନ ଭାବେ ଖଣି ଓ ଶିଳ୍ପ କ୍ଷେତ୍ରକୁ ପ୍ରଦାନ କରି ଏଥିଜନିତ ସମସ୍ତ ନିୟମକୁ କଡ଼ାକଡ଼ି ଲାଗୁ କରି ପରିଚାଳନା ପ୍ରତି ଦୃଷ୍ଟି ଦିଆଯିବା ଉଚିତ୍ ହେବ ।