ଅସୁରକ୍ଷିତ ରାଜଧାନୀ: ପେଟ୍ରୋଲ ପମ୍ପରେ ଆତଙ୍କରାଜ, ବଟି ନ ଦେବାରୁ କର୍ମଚାରୀଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ । ସଞ୍ଜ ନଇଁଲେ ପୂରା ରାଜଧାନୀକୁ କବ୍ଜାକୁ ନେଇ ଯାଉଛନ୍ତି ଅପରାଧୀ । ରାତି ଅଧରେ ଆତଙ୍କ ଖେଳାଉଛନ୍ତି । କମିଶନରେଟ୍ ପୁଲିସ ଅପରାଧୀଙ୍କ ଆଗରେ ହାତ ଟେକି ଦେଇଛି । ସୋମବାର ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଧୀନ କଳ୍ପନା ଛକ ପେଟ୍ରୋଲ ପମ୍ପରେ ୩ ଅପରାଧୀ ଆତଙ୍କ ଖେଳାଇଛନ୍ତି । ବଟି ନ ଦେବାରୁ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ବଡ଼ଗଡ଼ର ଜଗା ସିଂହ ଓ ତା’ର ଦୁଇ ସହଯୋଗୀଙ୍କ ଏଭଳି କାଣ୍ଡ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି ।
ମିଳିଥିବା ଅଭିଯୋଗ ମୁତାବକ, ବଡ଼ଗଡ଼ର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ସିଂହ ଓ ତା’ର ଦୁଇ ସହଯୋଗୀ ଗତକାଲି ରାତି ୧୧ଟାରେ କଳ୍ପନା ପେଟ୍ରୋଲ ପମ୍ପକୁ ବାଇକ୍ରେ ତେଲ ପକାଇବାକୁ ଯାଇଥିଲେ । ତେଲ ପକାଇବାରେ ବିଳମ୍ବ ହେବାରୁ କର୍ମଚାରୀଙ୍କୁ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ । କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ତରବର ହୋଇ ଆସି ଜଗା ବାଇକ୍ରେ ତେଲ ପକାଇଥିଲେ । କାହିଁକି ଡେରି କଲୁ କହି ଜଗା ପ୍ରଥମେ ପୂର୍ଣ୍ଣଙ୍କୁ ଧକ୍କା ମାରିଥିଲା । ଗାଳି ଗୁଲଜ କରି ମାସିକ ଦାଦାବଟି ନ ଦେଲେ ପେଟ୍ରୋଲ ପମ୍ପକୁ ଉଡ଼ାଇ ଦେବ ବୋଲି ଧମକ ଦେଇଥିଲା । ପୂର୍ଣ୍ଣ ପ୍ରତିବାଦ କରିବାରୁ ଆତଙ୍କ ଖେଳାଇଥିଲା ଜଗା । ଷ୍ଟିଲ୍ ଷ୍ଟାଣ୍ଡ ଉଠାଇ ପୂର୍ଣ୍ଣଙ୍କୁ ଆକ୍ରମଣ କରିଥିଲା । ୩ ଜଣ ମିଶି ସେଠାରେ ଏଭଳି ଆତଙ୍କ ରଚାଇଥିଲେ ଯେ, ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସୁଥିବା ଲୋକେ ସେଠାରୁ ଭୟରେ ପଳାଇଥିଲେ । ଅନ୍ୟ କର୍ମଚାରୀମାନେ ମଧ୍ୟ ପେଟ୍ରୋଲ ପମ୍ପ ଅଫିସ ଭିତରକୁ ପଶି ଯାଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଜଗା ଓ ଦୁଇ ସହଯୋଗୀ ଆତଙ୍କ ଖେଳାଇଥିଲେ । ପରେ କର୍ମଚାରୀମାନେ ପୂର୍ଣ୍ଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଥିଲେ । ଏନେଇ ପୂର୍ଣ୍ଣ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ ୩ ଅପରାଧୀଙ୍କ ଆତଙ୍କ ଖେଳାଇବାର ଦୃଶ୍ୟ ରେକର୍ଡ ହୋଇଛି । ସିସିଟିଭି ଫୁଟେଜ୍କୁ ନେଇ ପୁଲିସ ଜଗା ସିଂହ ଓ ତା’ର ଦୁଇ ସହଯୋଗୀଙ୍କୁ ଚିହ୍ନଟ କରିଛି । ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିପାରି ନାହିଁ ।
ସୂଚନା ଥାଉ କି, ଗତ କିଛିଦିନ ଭିତରେ ଅପରାଧୀମାନେ ବିଳମ୍ବିତ ରାତିରେ ରାଜଧାନୀରେ ଆତଙ୍କ ଖେଳାଉଛନ୍ତି । ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁ ଭିତରେ ରାତି ଅଧରେ ଘନଘନ ବୋମା ମାଡ଼ କରିଥିଲେ । ସେହିପରି ନୂଆପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ କାର୍ ଚାଳକଙ୍କୁ ବିଳମ୍ବିତ ରାତିରେ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍ ଉଦ୍ୟମ କରାଯାଇଥିଲା । ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଦୁର୍ଗାମଣ୍ଡପ ସମ୍ମୁଖରେ ଯୁବ ବ୍ୟବସାୟୀଙ୍କୁ ହାଣି ଲୁଟ୍ପାଟ୍ ହୋଇଥିଲା । ଏସବୁ ଘଟଣାର ସିସିଟିଭି ଫୁଟେଜ୍ କମିଶନରେଟ୍ ପୁଲିସ ହାତରେ ଲାଗିଛି । ସେଥିରେ ଅପରାଧୀଙ୍କ କଳା କାରନାମା ଉତ୍ତୋଳିତ ହୋଇଛି । ହେଲେ କମିଶନରେଟ୍ ପୁଲିସ କୌଣସି ଗୋଟିଏ ଘଟଣାରେ ଅପରାଧୀଙ୍କୁ ଧରିବାରେ ସଫଳ ହୋଇନି । ଏଥିରୁ କମିଶନରେଟ୍ ପୁଲିସର ପାରିବା ପଣିଆ ଜଣାପଡ଼ିଛି ।