କଂଗ୍ରେସରେ ଅସନ୍ତୋଷ: ରାଗିଲେ ତାରା, ମହିଳାଙ୍କୁ ଟିକେଟ ନମିଳିଳେ ପରିସ୍ଥିତି ଖରାପ ହେବ ବୋଲି ସୁମିତ୍ରାଙ୍କ ଚେତାବନୀ

ଭୁବନେଶ୍ୱର ୧୯/୩: କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଦଳରେ ଅସନ୍ତୋଷ ବଢିବାକୁ ଲାଗିଛି । ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ତାରାପ୍ରସାଦ ବାହିନୀପତି । ଏବେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ମଧ୍ଯ ନିଜର ଅସନ୍ତୋଷ ବ୍ଯକ୍ତ କରିଛନ୍ତି । ଟିକେଟ ବଣ୍ଟାକୁ ନେଇ ତାରା କ୍ଷୋଭ ପ୍ରକାଶ କରି କହିଥିଲେ ଯେ ତାଙ୍କର କୌଣସି କଥା ଦଳରେ ରହୁନି ।
ତାରା କହିଛନ୍ତି ପଶ୍ଚିମ ଓଡ଼ିଶା କଂଗ୍ରେସର ଗଡ଼, କିନ୍ତୁ ଟିକେଟ ବଣ୍ଟାରେ ସବୁ ଗଡ଼ବଡ଼ । ଯେଉଁମାନେ ଦଳରେ ଅଧିକ ପରିଶ୍ରମ କରନ୍ତି ତାଙ୍କୁ ଗୁରୁତ୍ବ ଦିଆଯାଏନି । ସେ ଯାହା କହିଲେ ବି ତାଙ୍କ କଥାକୁ କିଛି ଗୁରୁତ୍ବ ଦିଆଯାଉନି ବୋଲି ସେ କହିଛନ୍ତି । ଅନ୍ୟପଟେ ପିସିସି ସଭାପତି ନିରଂଜନ କହିଛନ୍ତି ଯେ ତାରାଙ୍କ ବୁଝିବାରେ କିଛି ଭୁଲ ରହିଯାଇଛି ବୋଲି ସେ ଏମିତି କହିଛନ୍ତି ।
ମହିଳା କଂଗ୍ରେସ ସଭାନେତ୍ରୀ ମଧ୍ଯ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେ ୫୨ ମହିଳାଙ୍କ ନାଁ ସୁପାରିଶ କରିଛୁ । ଯଦି ସେହି ଅନୁସାରେ ସନ୍ତୋଷଜନକ ପ୍ରାର୍ଥୀ ଚୟନ କରାନଯାଏ ତେବେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି ସୁମିତ୍ରା । ଦଳର ପ୍ରଥମ ପର୍ଯ୍ୟାୟ ତାଲିକାରେ ମାତ୍ର ଜଣେ ମହିଳାଙ୍କ ନାଁ ସୁମିତ୍ରାଙ୍କ କ୍ଷୋଭର କାରଣ ପାଲଟିଛି । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଯେମିତି ଅଧିକ ମହିଳାଙ୍କ ନାଁ ରହିବ ସେଥିପାଇଁ ସେ ଆଶାୟୀ ଅଛନ୍ତି । ସୁମିତ୍ରା ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ୍ ପାଇଁ ଆଶାୟୀ ପ୍ରାର୍ଥୀ । ତେବେ ଟିକେଟ୍ ମିଳିଲେ ଆଗାମୀ ପରିସ୍ଥିତି ଖରାପ ହେବ ବୋଲି ସେ କହିଛନ୍ତି । କହିରଖୁଛୁ କଂଗ୍ରେସର ଟିକେଟ ବଣ୍ଟନ ପରେ ଅନେକ ନେତା ଅସନ୍ତୋଷ ପ୍ରକାଶ କରୁଛନ୍ତି । ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକ ମଧ୍ୟ ମଙ୍ଗଳବାର ଦଳ ଛାଡ଼ିଛନ୍ତି ।