ନୂଆଦିଲ୍ଲୀ,୦୬/୧୦: ନବରାତ୍ରି ପରେ ଦୀପାବଳି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଲୋକର ପର୍ବ ଦୀପାବଳି ପାଇଁ ବଜାର ଏବେ ଚଳଚଞ୍ଚଳ । ଲୋକେ ଚୀନ ସାମଗ୍ରୀ ପରିବର୍ତ୍ତେ ଘରୋଇ ପ୍ରସ୍ତୁତ ସାମଗ୍ରୀ କିଣାକୁ ପ୍ରାଥମିକତା ଦେଉଛନ୍ତି । ଫଳରେ ବଜାରରେ ସ୍ୱଦେଶୀ ସାମଗ୍ରୀର ଦବ୍‌ଦବା ରହିଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି ।

ଏଥର ପାର୍ବଣ ଋତୁରେ ଦେଶର ବ୍ୟବସାୟ କ୍ଷେତ୍ର ପାଇଁ ନୂଆ ରେକର୍ଡ କରିବାର ଢେର ସମ୍ଭାବନା ରହିଛି । ଦୀପାବଳି ବିକ୍ରି ୪.୭୫ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ସିଏଆଇଟି ଆକଳନ କରିଛି । କେବଳ ଜାତୀୟ ରାଜଧାନୀ ଦିଲ୍ଲୀରେ ୭୫ ହଜାର କୋଟିର କାରବାର ରହିପାରେ ।

ସିଏଆଇଟିର ରାଷ୍ଟ୍ରୀୟ ମହାସଚିବ ତଥା ଚାନ୍ଦିନୀଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ପାର୍ବଣରେ ଦେଶର ୩୫ ପ୍ରମୁଖ ସହରକୁ ନେଇ ସର୍ବେ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର୍‌ ଲୋକାଲ୍‌ ଏବଂ ଲୋକାଲ ଫର୍‌ ଗ୍ଲୋବାଲ୍‌ ଆହ୍ୱାନକୁ ଗ୍ରାହକଙ୍କ ପକ୍ଷରୁ ଜୋରଦାର ସମର୍ଥନ ମିଳିଛି । ଗତ ୪ ବର୍ଷ ହେବ ଦୀପାବଳିରେ ବମ୍ପର ବିକ୍ରି ହେଉଛି ।

୨୦୨୧ରେ ୧.୨୫ ଲକ୍ଷ କୋଟି, ୨୦୨୨ରେ ୨.୫୦ ଲକ୍ଷ କୋଟି, ୨୦୨୩ରେ ୩.୭୫ଲକ୍ଷ କୋଟି ବିକ୍ରି ରହିଥିଲା । ଚଳିତ ବର୍ଷ ଦୀପାବଳି ବଜାରରେ ଚୀନ ଉତ୍ପାଦକୁ ଗ୍ରାହକ ନାପସନ୍ଦ କରୁଛନ୍ତି । ବିଭିନ୍ନ ଭାରତୀୟ ଉତ୍ପାଦକୁ ଗ୍ରାହକ ପସନ୍ଦ କରୁଛନ୍ତି । ମାଟି ଦୀପ, ମୂର୍ତ୍ତି, ୱାଲ୍‌ ହ୍ୟାଙ୍ଗିଙ୍ଗ୍‌, ହସ୍ତଶିଳ୍ପ, ପୂଜା ସାମଗ୍ରୀ, ଗୃହ ସାଜସଜ୍ଜାଠାରୁ ଆରମ୍ଭ କରି ଏଫ୍‌ଏମ୍‌ସିଜି, ଇଲେକ୍‌ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍‌ ସାମଗ୍ରୀ, ବିଲ୍‌ଡର୍ସ ହାର୍ଡୱେର, ଅଟୋମୋବାଇଲ୍‌, କପଡା, ରେଡିମେଡ୍‌ ପୋଷାକ, ଫର୍ଣ୍ଣିଚର, ଖେଳନା, ମିଠା, ପର୍ସନାଲକେୟାର ଉତ୍ପାଦ, କିଚେନ୍‌ୱେୟର ଏବଂ ବାସନ ଏହା ମଧ୍ୟରେ ସାମିଲ ରହିଛି ।

ପ୍ରାୟ କ୍ଷେତ୍ରରେ ବମ୍ପର ବିକ୍ରିର ସମ୍ଭାବନା ରହିଛି । ଏଥିରେ ଭାରତୀୟ କାରିଗର, ନିର୍ମାତା ଏବଂ ବ୍ୟବସାୟୀମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଦୀପାବଳିରେ କାରବାର ଉପର ମୁହାଁ ହେବା ନେଇ ବ୍ୟବସାୟୀମାନେ ବେଶ ଆଶାବାଦୀ ରହିଥିବା ଉଲ୍ଲେଖ କରିଛନ୍ତି ଶ୍ରୀ ଖଣ୍ଡେଲ୍‌ୱାଲ ।

ଚାନ୍ଦିନୀଚୌକର କପଡା ବ୍ୟବସାୟୀ ଅଭିଷେକ ଗନେଡିୱାଲା କହିଛନ୍ତି, ଏଥର ଲୋକମାନେ ଦୀପାବଳି ସହ ବିବାହ ଲାଗି ଏକାସାଙ୍ଗରେ କିଣାକିଣି କରୁଛନ୍ତି । ପାର୍ବଣ ପୂର୍ବରୁ ଷ୍ଟୋରରେ ଲୋକଙ୍କ ଭିଡ ଲାଗି ରହିଛି । ଆଗାମୀ ଦିନ ଗୁଡ଼ିକରେ ମଧ୍ୟ ଭଲ କାରବାର ହେବ । ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍‌ ଗୋଲ୍ଡସ୍ମିଥ୍‌ ଫେଡେରେସନର ଅଧ୍ୟକ୍ଷ ପଙ୍କଜ ଅରେଡା କହିଛନ୍ତି, ସୁନା ଏବଂ ରୁପା ଦର ଉପର ମୁହାଁ ଜାରି ରହିଥିବାରୁ ଲୋକେ ଏହାକୁ ନିବେଶ ଭାବେ ଦେଖିବା ସହ ଉତ୍ସାହିତ ହୋଇ କିଣାକିଣି କରୁଛନ୍ତି । ସିଏଆଇଟି ଅଧ୍ୟକ୍ଷ ବିପିନ ଆହୁଜା କହିଛନ୍ତି, ନବରାତ୍ରିଠାରୁ ଦଶହରା ଯାଏ ବମ୍ପର ବିକ୍ରି ହୋଇଛି । ଗ୍ରାହକ ସ୍ଥାନିୟ ସାମଗ୍ରୀ କିଣିବାକୁ ଗୁରୁତ୍ୱ ଦେଉଛନ୍ତି ।