‘ପ୍ରେମିକା ଚାପୁଡ଼ା ଚାପ ସହିପାରିଲେନି DJ ଆଜେକ୍ସ’, ଜୀବନ ହାରି ଦେଲେ…

ଭୁବନେଶ୍ୱର,୨୦/୦୩: ଯାହାଙ୍କ ଡିଜେ ମ୍ୟୁଜିକ୍ ବାଜିବା ମାତ୍ରେ ପାଦ ତଳେ ଲାଗୁନଥିଲା । ଝୁମୁଥିଲେ ଯୁବପିଢ଼ି । ବଲିଉଡ, ଓଲିଉଡର ସୁପରହିଟ୍ ରିମିକ୍ସ ଗୀତ ତାଳେ ତାଳେ ମତୁଆଲା ହେଉଥିଲେ । ଉଠୁଥିଲା ପଡୁଥିଲା ଓଡି଼ଶାର ନାମୀ ଶିକ୍ଷାନୁଷ୍ଠାନ, ଦାମୀ ହୋଟେଲ ଆଉ ରିସୋର୍ଟର ଇଭେଣ୍ଟ । ସେଲ୍ପି ପାଇଁ ଫ୍ୟାନ୍ଙ୍କ ଲାଇନ୍ ଲମ୍ବୁଥିଲା । ରାପଚିକ୍ ଓ ଆକର୍ଷଣୀୟ ଡିଜେ ବଜାଇ ଯିଏ ହଜାର ହଜାର ଯୁବତୀଙ୍କ ମନରେ ଛାପ ଛାଡି଼ଥିଲେ । ସେ ଆଜି ନିଜ ପ୍ରେମ ସଂଘର୍ଷରେ ଫେଲ୍ ମାରିଛନ୍ତି । ‘ତ୍ରିକୋଣୀୟ ପ୍ରେମ’ ରେସ୍ରେ ହାରି ଜୀବନ ହାରିଛନ୍ତି ।

ସଙ୍ଗୀତ ସହ ରୁଚି ରଖୁଥିବା ଯୁବପିଢ଼ିଙ୍କ ମଧ୍ୟରେ ‘ଡିଜେ ଆଜେକ୍ସ’ଙ୍କ ନାଁ ବେଶ୍ ଜଣାଶୁଣା । ୨୦୧୨ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୮ ବେଳେ ମେ’ ଫେୟାର ହୋଟେଲରେ ୬ ମାସ ପାଇଁ ଡିଜେ ବଜାଉଥିଲେ । ପରେ ତାଙ୍କ ଫ୍ୟାନ୍ ଫଲୋଅର୍ସ ବଢ଼ିବାକୁ ଲାଗିଲେ । ହଜାରେ କି ଦୁଇ ହଜାରେ ନୁହେଁ, ଡିଜେ ଆଜେକ୍ସଙ୍କ ଇନ୍ଷ୍ଟାଗ୍ରାମରେ ପ୍ରାୟ ୯୫ ହଜାର ଫଲୋଅର୍ସ ଥିଲେ । ମାସକୁ ରୋଜଗାର ଲକ୍ଷେ ଟଙ୍କାରୁ ଅଧିକ । ଓଡି଼ଶା ତଥା ବାହାରେ ବଡ଼ ଇଭେଣ୍ଟରେ ତାଙ୍କ ଡିଜେ ସାଉଣ୍ଡ ଜୋଶ୍ ଭରି ଦେଉଥିଲା ।

ତଥାପି ସେ ରବିବାର ଆରପାରିକୁ ଚାଲିଗଲେ । ଏହା ପଛର କାରଣ କ’ଣ? ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆତ୍ମହତ୍ୟା ପୂର୍ବରୁ ଅର୍ଥାତ ଶନିବାର ଅପରାହ୍ଣରେ ଆଜେକ୍ସ ପିଲାଦିନର ଘନିଷ୍ଠ ସାଙ୍ଗ ଚକ୍ରଧର ରାଉତ (ରାହୁଲ)ଙ୍କୁ ଫୋନ୍ କରିଥିଲେ । ତାଙ୍କୁ କହିଥିଲେ, ତୁ ଗୋଟେ ଜିଜିପି କଲୋନିରେ ଭଡ଼ା ଘର ଖୋଜ । ଆଉ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି ମଧ୍ୟ ବୁଝ । ପ୍ରେମିକା ତଥା ଜାନୁ(ଛଦ୍ମନାମ) ସେହି ସ୍କୁଟିରେ ଯିବା ଆସିବା କରିବ । ଜାନୁ ଆଉ ସେ ରଶ୍ମି (ପ୍ରେମିକାଙ୍କ ପୁରୁଷ ବନ୍ଧୁ) ବାଇକ୍ରେ କଲେଜ ଯା’ ଆସ କରିବନି । ରଶ୍ମି ସହ ବେଶି ମିଳାମିଶା ଆଜେକ୍ସକୁ ଭଲ ଲାଗୁନଥିବା ଫୋନ୍ରେ କହିଥିଲେ ।
ରାହୁଲଙ୍କ ଅଭିଯୋଗ ମୁତାବକ, ଗତ ୧୭ ତାରିଖରେ ଉଭୟଙ୍କ ମଧ୍ୟରେ ବଡ଼ ଧରଣ ଝଗଡ଼ା ଲାଗିଥିଲା । ଜାନୁଙ୍କ ପାଣ୍ଡରା ଛକସ୍ଥିତ ଭଡ଼ା ଘର ତଳକୁ ଦେଖା କରିବାକୁ ଯାଇଥିଲେ ଆଜେକ୍ସ । ସେଠାରେ ରଶ୍ମିଙ୍କ ମିଳାମିଶାକୁ ନେଇ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ଜାନୁ ଅଚାନକ ଆଜେକ୍ସଙ୍କୁ ୨ଟା ଚାପୁଡ଼ା ମାରିଥିଲେ । ଏ କଥା ସେହିଦିନ ରାତିରେ ଆଜେକ୍ସ ତାଙ୍କ ସାଙ୍ଗ ୱାସିମ୍କୁ ଫୋନ୍ ଯୋଗେ କହିଥିଲେ ।
ପରିବାର ଲୋକଙ୍କ କହିବା ମୁତାବକ, ସେହିଦିନ ରାତି ୩ଟାରେ ଆଜେକ୍ସ ଘରକୁ ଫେରିଥିଲେ । ବେଶ୍ ଉଦାସ ଲାଗୁଥିଲେ । କାହାକୁ କିଛି ନ କହି ଚୁପ୍ ହୋଇ ରୁମ୍କୁ ଯାଇ ଶୋଇପଡି଼ଲେ । ତା’ପରଦିନ ଅର୍ଥାତ ରବିବାର ମଧ୍ୟ ଆଜେକ୍ସ ଘରୁ ବାହାରକୁ ଆଦୌ ପାଦ ରଖିନଥିଲେ । ଗୁମ୍ସୁମ୍ ହୋଇ ଘରେ ପଡ଼ି ରହିଥିଲେ । ସନ୍ଧ୍ୟାରେ ଶେଷ ଥର ପାଇଁ ତାଙ୍କ ମା’ଙ୍କ ସହ କଥା ହୋଇ ପୁଣି ରୁମ୍ରେ ନିଜକୁ ଲକ୍ କରି ଦେଇଥିଲେ ।
ଜୋନ୍-୧ ଏସିପି ମାନସ ଗଡ଼ନାୟକଙ୍କ କହିଛନ୍ତି, ମୃତକଜଣକ କୌଣସି କାରଣରୁ ମାନସିକ ଚାପର ବଶବର୍ତ୍ତୀ ହୋଇଥିଲେ । ସେଥିଯୋଗୁଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି । ତେବେ ଅନୁମାନ କରାଯାଉଛି, ଏହି ଚାପୁଡ଼ାର ଚାପ ଆଜେକ୍ସଙ୍କ ମନକୁ ଆନ୍ଦୋଳିତ କରିଥାଇପାରେ । ଏକ ସେଲିବ୍ରେଟି ଜୀବନଶୈଳୀ ଜିଉଁଥିବା ଆଜେକ୍ସ ଚାପୁଡ଼ା ଅପମାନ ସହି ନପାରି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ।