ଦୁନିଆ ବଦଳିବା ସହ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ହେଉଛି । ଆଜିକାଲିର ଖାଦ୍ୟ ଖାଇବା ଶୈଳୀ ଓ ପରିବର୍ତ୍ତନ ଜୀବନଶୈଳୀ ଯୋଗୁଁ ଲୋକମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି । ତେବେ ଆମେ କେବଳ ଖରାପ ବା ବାହାର ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ ନାହିଁ ବରଂ ଖାଇସାରିବା ପରେ ଏମିତି କିଛି ଭୁଲ କରିଥାନ୍ତି, ଯାହା ଆମ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ଯେପରିକି ,
ଖାଇବା ପରେ ଶୋଇବାର ଭୁଲ କରନ୍ତୁ ନାହିଁ । ପ୍ରକୃତରେ, ଅନେକ ଲୋକ ଭାବନ୍ତି ଯେ,ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ଶୋଇବା ଭଲ । କିନ୍ତୁ ଖାଇବା ପରେ ତୁରନ୍ତ ଶୋଇବା ଦ୍ୱାରା ପେଟର ଏସିଡ୍ ଖାଦ୍ୟନଳୀକୁ ଚାଲିଯାଏ । ତେଣୁ ଖାଦ୍ୟ ଖାଇସାରିବା ପରେ ତୁରନ୍ତ ଶୋଇବା ପରିବର୍ତ୍ତେ,ସିଧା ବସିବାକୁ ଚେଷ୍ଟା କରନ୍ତୁ କିମ୍ବା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ହାଲକା ଚାଲିବାକୁ ଚେଷ୍ଟା କରନ୍ତୁ ।
ଖାଇବା ପରେ ଏକ କପ୍ ଗରମ ଚା କିମ୍ବା କଫି ପିଇବା ସନ୍ତୋଷଜନକ ହୋଇପାରେ, କିନ୍ତୁ ଏହା ପ୍ରକୃତରେ ଆଇରନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖଣିଜ ପଦାର୍ଥର ଅବଶୋଷଣକୁ ଅବରୋଧ କରେ । କୁପୋଷଣ ଏବଂ ରକ୍ତହୀନତା ପୀଡିତ ଲୋକଙ୍କୁ ଖାଇବାର ଗୋଟିଏ ଘଣ୍ଟା ପରେ ଚା ପିଇବାକୁ ପରାମର୍ଶ ଦିଆଯାଇଥାଏ ।
ସେହିପରି'ଦି ଆମେରିକାନ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍'ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଖାଇବା ପରେ ଧୂମପାନ କରିବା ଏକାଥରେ ୧୦ ସିଗାରେଟ୍ ପିଇବା ସହିତ ସମାନ । ଧୂମପାନ ହଜମ ପ୍ରକ୍ରିୟାକୁ ଧୀମା କରିଦିଏ ଏବଂ ଏସିଡ୍ ଉତ୍ପାଦନକୁ ବୃଦ୍ଧି କରେ ।
ସେହିପରି ଖାଦ୍ୟ ଖାଇବା ପରେ, ଶରୀର ଖାଦ୍ୟ ହଜମ କରିବା ପାଇଁ ପାଚନ ତନ୍ତ୍ରକୁ ରକ୍ତ ପଠାଏ । ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ବ୍ୟାୟାମ ଆରମ୍ଭ କରନ୍ତି, ତେବେ ଆପଣଙ୍କ ମାଂସପେଶୀ ସେହି ରକ୍ତ ପାଇଁ ପ୍ରତିଯୋଗିତା କରନ୍ତି । ଏହା ପାଚନ ସମସ୍ୟା ସୃଷ୍ଟି କରିଥାଏ । ସେଥିପାଇଁ ଯେତେବେଳେ ଆମେ ଭାରି ଖାଦ୍ୟ ଗ୍ରହଣ ପରେ ଜୋରଦାର ବ୍ୟାୟାମ କରୁ, ଆମେ ପ୍ରାୟତଃ ବାନ୍ତି, ନିଦ୍ରାଳୁ ଇତ୍ୟାଦି ଅନୁଭବ କରୁ ।