ନୂଆଦିଲ୍ଲୀ, ୧୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଏବେ ବିଶ୍ୱ ବାଣିଜ୍ୟ ବଜାରରେ ହଲଚଲ ସୃଷ୍ଟି କରିଛି । ଭାରତ, ଚୀନ ଏବଂ ବାଂଲାଦେଶ ସମେତ ୧୬ଟି ବଡ଼ ବ୍ୟାପାରିକ ସହଯୋଗୀ ଦେଶ ବିରୋଧରେ ଆମେରିକା ଏକ ବଡ଼ ଧରଣର ଯାଞ୍ଚ ଆରମ୍ଭ କରିଛି । ଆମେରିକାର ବାଣିଜ୍ୟ ଆଇନ ‘ସେକ୍ସନ ୩୦୧’ (Trade Act 1974) ଅଧୀନରେ ଏହି ପଦକ୍ଷେପ ନିଆଯାଇଛି, ଯାହା ଫଳରେ ଏହି ଦେଶଗୁଡ଼ିକରୁ ଆମେରିକା ଯାଉଥିବା ସାମଗ୍ରୀ ଉପରେ ଟ୍ୟାକ୍ସ ବା ଟ୍ୟାରିଫ୍ ବଢ଼ିବାର ସମ୍ଭାବନା ଦେଖାଦେଇଛି ।

ଟ୍ରମ୍ପଙ୍କ ଲିଷ୍ଟରେ କେଉଁ କେଉଁ ଦେଶ ?

ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ ଗ୍ରୀରଙ୍କ ସୂଚନା ଅନୁଯାୟୀ, ଯେଉଁ ୧୬ଟି ଦେଶ ଉପରେ ନଜର ରଖାଯାଇଛି ସେଗୁଡ଼ିକ ହେଉଛି: ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ୟୁରୋପୀୟ ସଂଘ (EU), ତାଇୱାନ, ଭିଏତନାମ, ଥାଇଲାଣ୍ଡ, ମାଲେସିଆ, କାମ୍ବୋଡିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ବାଂଲାଦେଶ, ସ୍ୱିଜରଲ୍ୟାଣ୍ଡ ଏବଂ ନରୱେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଆମେରିକାର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ କାନାଡ଼ାକୁ ଏହି ତାଲିକାରୁ ବାଦ୍ ଦିଆଯାଇଛି ।

ଏହା ବି ପଢ଼ନ୍ତୁ... ଯୁଦ୍ଧ ରୋକିବାକୁ ଇରାନର ୩ ଚରମ ସର୍ତ୍ତ: ଆମେରିକା-ଇସ୍ରାଏଲକୁ ରାଷ୍ଟ୍ରପତି ପେଜେଶକିଆନଙ୍କ ବଡ଼ ଚେତାବନୀ !

କାହିଁକି ହେଉଛି ଏହି ଯାଞ୍ଚ ?

ଆମେରିକାର କହିବା କଥା, ଯେଉଁ ଦେଶଗୁଡ଼ିକର ଉତ୍ପାଦନ କ୍ଷମତା ଅଧିକ ଏବଂ ସେମାନେ ଆମେରିକା ବଜାରରେ ଅଧିକ ସାମଗ୍ରୀ ବିକ୍ରି କରି ବଡ଼ ଲାଭ କରୁଛନ୍ତି, ସେମାନଙ୍କ ଯୋଗୁଁ ଆମେରିକାର ଘରୋଇ ଉଦ୍ୟୋଗ କ୍ଷତିଗ୍ରସ୍ତ ହେଉଛି । ବାଣିଜ୍ୟ କାରବାରରେ ସମାନତା ଆଣିବା ଏବଂ ନିଜ ଦେଶର ମାନୁଫାକ୍ଚରିଂକୁ ଶକ୍ତିଶାଳୀ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଏହି ରଣନୀତି ଆପଣାଇଛି ।

କ’ଣ ଏହି ‘ସେକ୍ସନ ୩୦୧’ ?

ଏହା ହେଉଛି ୧୯୭୪ ମସିହାର ଏକ ଶକ୍ତିଶାଳୀ ଆମେରିକୀୟ ଆଇନ । ଯଦି ଆମେରିକାକୁ ଲାଗେ ଯେ କୌଣସି ଦେଶ ବାଣିଜ୍ୟ କ୍ଷେତ୍ରରେ ଅନୁଚିତ ବା ଭୁଲ୍ ନୀତି ଆପଣାଉଛି, ତେବେ ଏହି ଆଇନ ବଳରେ ସେହି ଦେଶ ଉପରେ କଟକଣା କିମ୍ବା ଅଧିକ ଆମଦାନୀ ଶୁଳ୍କ ଲଗାଯାଇପାରିବ ।

କେବେ ଆସିବ ରିପୋର୍ଟ ?

ଟ୍ରମ୍ପ ପ୍ରଶାସନ ଏହି ଯାଞ୍ଚ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି:

ଏପ୍ରିଲ ୧୫ରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯିବ । ମେ ୫ରେ ସାର୍ବଜନୀନ ଶୁଣାଣି ହେବ । ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ଯାଞ୍ଚ ଶେଷ କରି ରିପୋର୍ଟ ପ୍ରଦାନ କରାଯିବ । ଏହା ସହିତ ୬୦ରୁ ଅଧିକ ଦେଶରେ 'ଶ୍ରମିକ ଶୋଷଣ' ବା 'ଜବରଦସ୍ତ ଶ୍ରମ' ମାଧ୍ୟମରେ ତିଆରି ହେଉଥିବା ସାମଗ୍ରୀ ଉପରେ ମଧ୍ୟ ଆମେରିକା ରୋକ୍ ଲଗାଇବାକୁ ଯୋଜନା କରୁଛି । ଯଦି ଏହି ଟାରିଫ୍ ଲାଗୁ ହୁଏ, ତେବେ ଭାରତୀୟ ସାମଗ୍ରୀ ଆମେରିକା ବଜାରରେ ମହଙ୍ଗା ହୋଇପାରେ ।