ନୂଆଦିଲ୍ଲୀ, ୧୨।୩: ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବା ମଧ୍ୟପ୍ରାଚ୍ୟ ସଂଘର୍ଷ ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ଏବଂ ଇସ୍ରାଏଲ୍ ସହ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଇରାନ ପ୍ରଥମ ଥର ପାଇଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଯୁଦ୍ଧ ବିରତି ପାଇଁ ୩ଟି ପ୍ରମୁଖ ସର୍ତ୍ତ ରଖିଛନ୍ତି । କ’ଣ ସେହି ୩ଟି ସର୍ତ୍ତ ଆସନ୍ତୁ ଜାଣିବା । ରାଷ୍ଟ୍ରପତି ପେଜେଶକିଆନଙ୍କ କହିବା ଅନୁଯାୟୀ, ଯଦି ସେ ରଖିଥିବା ଦାବି ପୂରଣ ହୁଏ, ତେବେ ତେହେରାନ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ।
ଏହି ୩ଟି ସର୍ତ୍ତ ହେଉଛି:
ବୈଧ ଅଧିକାରର ସ୍ୱୀକୃତି: ଇରାନର ଆଇନଗତ ଓ ବୈଧ ଅଧିକାରକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳୁ ।
କ୍ଷତିପୂରଣ: ଚାଲିଥିବା ଯୁଦ୍ଧରେ ଇରାନର ଯେଉଁ ସବୁ କ୍ଷତି ହୋଇଛି, ତାହାର ଭରଣା ପ୍ରଦାନ କରାଯାଉ ।
ଆନ୍ତର୍ଜାତୀୟ ଗ୍ୟାରେଣ୍ଟି: ଭବିଷ୍ୟତରେ ଇରାନ ଉପରେ କୌଣସି ପ୍ରକାର ଆକ୍ରମଣ ହେବ ନାହିଁ ବୋଲି ପୂର୍ଣ୍ଣ ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ଦିଆଯାଉ ।
ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧରେ UAEରେ ହାହାକାର... ଅଢେଇ ଶହ ଟଙ୍କା ଛୁଇଁଲା ଟମାଟୋ, ଲୁହ ବାହାର କରିଦେଉଛି ପିଆଜ
ସୋସିଆଲ ମିଡିଆରେ ଜଣାଇଲେ ନିଷ୍ପତ୍ତି:
ରୁଷ ଏବଂ ପାକିସ୍ତାନର ନେତାମାନଙ୍କ ସହ ଆଲୋଚନା କରିବା ପରେ ପେଜେଶକିଆନ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, "ଜାୟୋନିଷ୍ଟ ଶାସନ ଏବଂ ଆମେରିକା ଯୋଗୁଁ ଆରମ୍ଭ ହୋଇଥିବା ଏହି ଲଢ଼େଇକୁ ରୋକିବା ପାଇଁ ଏହି ୩ଟି ସର୍ତ୍ତ ମାନିବା ଜରୁରୀ ।" ଗତ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ୍ ଦର ଆକାଶଛୁଆଁ ହୋଇଛି । ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଉତ୍ତେଜନା ଯୋଗୁଁ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହା ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ସୃଷ୍ଟି କରିଛି ।