ନୂଆଦିଲ୍ଲୀ, ୮।୧: ଟାରିଫ୍କୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । ଭାରତକୁ ଘାରିଲା ଚିନ୍ତା । ଏଣିକି ୫୦ କି ୧୦୦ ନୁହେଁ ୫୦୦% ଟାରିଫ୍ ଲଗାଇପାରନ୍ତି ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ବିଲ୍କୁ ମଞ୍ଜୁରି ଦେଇଛନ୍ତି । ଏହି ବିଲ୍ ଅନୁସାରେ, ଯେଉଁ ଦେଶ ରୁଷିଆରୁ ତେଲ କିମ୍ବା ୟୁରେନିୟମ କିଣୁଛନ୍ତି ସେମାନଙ୍କ ଉପରେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ । ଫଳରେ ଭାରତ ଓ ଚୀନ ଉପରେ ବହୁ ମାତ୍ରାରେ ଆମେରିକୀୟ ଶୁଳ୍କ ବୃଦ୍ଧି ହୋଇପାରେ । କିଛି କ୍ଷେତ୍ରରେ ଟାରିଫ୍ ୫୦୦% ପର୍ଯ୍ୟନ୍ତ ବି ବଢ଼ିପାରେ ।
ଆସନ୍ତା ସପ୍ତାହରେ ଭୋଟିଂ ସମ୍ଭାବନା:
ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ, ଟ୍ରମ୍ପ ଏହି ବିଲ୍କୁ ଆଗକୁ ବଢ଼ାଇବାକୁ ସମର୍ଥନ ଦେଇଛନ୍ତି । ଆସନ୍ତା ସପ୍ତାହରେ ଆମେରିକା ସଂସଦରେ ଏହା ଉପରେ ଭୋଟିଂ ହୋଇପାରେ । ଲିଣ୍ଡସେ ଗ୍ରାହାମ ଓ ଡେମୋକ୍ରାଟ୍ ସିନେଟର ରିଚ୍ଚାର୍ଡ ବ୍ଲୁମେନଥଲ ମିଳିତ ଭାବେ ଏହି ବିଲ୍କୁ ଆଗତ କରିଥିଲେ ।
ଭାରତ, ଚୀନ୍ ଏବଂ ବ୍ରାଡିଲ୍ ଉପରେ ଚାପ:
ସିନେଟର ଗ୍ରାହମଙ୍କ କହିବନୁସାରେ, ଏହି ବିଲ୍ ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ, ଚୀନ ଓ ବ୍ରାଜିଲ୍ ଭଳି ଦେଶ ଉପରେ ଚାପ ପକାଇବାକୁ ସୁଯୋଗ ମିଳିବ । ଯାହା ଫଳରେ ଏସବୁ ଦେଷ ଶସ୍ତା ରୁଷୀୟ ତେଲ କିଣିବା ବନ୍ଦ କରିବେ । ଗତ ବର୍ଷ ଟ୍ରମ୍ପ ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ଲଗାଇଥିଲେ ଏବଂ ରୁଷରୁ କିଣାଯାଇଥିବା ତେଲ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟିକସ ଲଗାଇଥିଲେ । ଏହା କିଛି ଭାରତୀୟ ସାମଗ୍ରୀ ଉପରେ ମୋଟ୍ ଟିକସ ୫୦ ପ୍ରତିଶତରେ ପହଞ୍ଚିଥିଲା ଏବଂ ଦୁଇ ଦେଶର ସମ୍ପର୍କରେ ତିକ୍ତତା ବଢ଼ିଥିଲା ।
ଚୀନ୍ ସହିତ ସମ୍ପର୍କ ଖରାପ:
ଟିକସକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଆମେରିକା ଚୀନ୍ରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରିଥିଲା, ଯାହା ଜବାବରେ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଟିକସ ଲାଗୁ କରିଥିଲା । ପରେ ଏକ ମିଳିତ ବିବୃତ୍ତିରେ, ଆମେରିକା ଏବଂ ଚୀନ୍ କହିଛନ୍ତି ଯେ ସେମାନେ ସେମାନଙ୍କର ନିଜ ନିଜ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିବେ ଏବଂ ଆଲୋଚନା ଜାରି ରଖିବେ । ଚୁକ୍ତି ଅନୁଯାୟୀ, ଆମେରିକା ଚୀନ୍ ରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଟିକସକୁ ୧୪୫ ପ୍ରତିଶତରୁ ୩୦ ପ୍ରତିଶତକୁ ହ୍ରାସ କରିବ । ଚୀନ୍ ଆମେରିକାରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଟିକସକୁ ୧୨୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିବ । ଗତ କିଛି ଦିନ ମଧ୍ୟରେ ଟ୍ରମ୍ପ ଭାରତ ଉପରେ ନୂତନ ଟିକସ ଲାଗୁ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି । ଏୟାର ଫୋର୍ସ ୱାନ୍ରେ ସାମ୍ବାଦିକମାନଙ୍କ ସହ ଆଲୋଚନାରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଥିଲେ ଯେ ସେ ଅସନ୍ତୁଷ୍ଟ । ଟ୍ରମ୍ପ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଜଣେ ଭଲ ଲୋକ, କିନ୍ତୁ ମୋତେ ଖୁସି ରଖିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେ ଖୁବ୍ ଶୀଘ୍ର ଟିକସ ବୃଦ୍ଧି କରିପାରୁ ।"
ଚାଉଳ ଉପରେ ଟିକସ ଲଗାଇବାର ଚେତାବନୀ:
ଗତ ମାସରେ ଟ୍ରମ୍ପ ଭାରତୀୟ ଚାଉଳ ଉପରେ ନୂଆ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ । ହ୍ୱାଇଟ୍ ହାଉସ୍ରେ ଆମେରିକୀୟ ଚାଷୀ ଭାରତ, ଚୀନ୍ ଏବଂ ଥାଇଲ୍ୟାଣ୍ଡ ଉପରେ ଶସ୍ତା ଶସ୍ୟ ବିକ୍ରି କରୁଥିବା ଅଭିଯୋଗ ଆଣିଥିଲେ, ସେହି ସମୟରେ ଟ୍ରମ୍ପଙ୍କର ଏଭଳି ଧମକ ସାମନାକୁ ଆସିଥିଲା । କହିରଖୁଛୁ ଯେ, ଆମେରିକା ଏବଂ ଭାରତ ବର୍ତ୍ତମାନ ଶୁଳ୍କ ଉପରେ ଅଟକି ରହିଛନ୍ତି । ଆମେରିକା ଚାହୁଁଛି ଯେ, ଭାରତ ଆମେରିକୀୟ କୃଷି ସାମଗ୍ରୀ ଉପରେ ଟିକସ ହ୍ରାସ କରୁ । ଅନ୍ୟପଟେ ଭାରତ ସରକାର ସ୍ପଷ୍ଟ କରିଛନ୍ତି, ଭାରତ ଏହାର ଚାଷୀ ଏବଂ ଡାଏରୀ ସେକ୍ଟର ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ ।